ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଏବର୍ଷ ସମସ୍ତ ପର୍ବପର୍ବାଣୀ ପାଳନ ଫିକା ପଡ଼ିଛି। ରଜ ମଧ୍ୟ ସେଥିରୁ ବାଦ୍ ପଡ଼ିନି। କରୋନା ପାଇଁ ରଜ ଦୋଳି ଓ ରଜ ଦୋଳି ଗୀତର ଆସର ଜମିନାହିଁ। ଲୋକେ ଘରେ ରହି ବିଭିନ୍ନ ଢ଼ଙ୍ଗରେ ରଜ ପାଳିଛନ୍ତି। ରାଜଧାନୀରେ ଜଣେ ଯୁବ ଇଞ୍ଜିନିୟର ଚକ୍‌ ଖଡ଼ିରେ ଦୋଳି ତିଆରି କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଚକ୍‌କୁ ବ୍ୟବହାର କରି ଯୁବ ଇଞ୍ଜିନିୟର ଶିବାଶିଷ ରଜ ଦୋଳି ପ୍ରସ୍ତୁତ କରିଛନ୍ତି। ଗୋଟିଏ ଚକ୍‌ ଖଡ଼ିରେ ଏକ ଗଛ ତିଆରି ହୋଇଛି ଓ ସେଥିରେ ଏକ ଦୋଳି ମଧ୍ୟ କରାଯାଇଛି। ଏହି ଦୋଳିରେ ଚକ୍‌ ଖଡ଼ିରୁ ନିର୍ମିତ ଏକ ଝିଅର ମୂର୍ତ୍ତି ଝୁଲୁଛି। ଏହି ଗଛଟିର ଉଚ୍ଚତା ୩ ସେଣ୍ଟିମିଟର ହୋଇଥିବା ବେଳେ ଝିଅଟିର ଉଚ୍ଚତା ମାତ୍ର ୧ସେଣ୍ଟିମିଟର। ଏକ ଛୁଞ୍ଚି ସାହାଯ୍ୟରେ ଚକ୍‌କୁ କାଟି କାଟି ଶିବାଶିଷ ଏହାକୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ରାୟ ୧ଘଣ୍ଟା ଲାଗିଛି ବୋଲି ସେ କହିଛନ୍ତି। ଓଡ଼ିଶାର କଳା ଓ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ତାଙ୍କର ଏକ ଅଭିନବ ପ୍ରୟାସ ବୋଲି ସେ କହିଛନ୍ତି।