ଲକ୍‌ଡାଉନ୍‌ରେ ବି ଜମିବ ରଜ ମଉଜ; ପାତ୍ରପଡ଼ାରେ ଏଥର ଗୋଟିଏ କି ଦୁଇଟି ଦୋଳି

ରଜ ବଜାରରେ ୧୩୨ ପ୍ରକାର ପାନ, ପିଠା ଯୋଗାଇବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ବର, ୧୨।୬(ଇମିସ): ଦୋଳିର କଟମଟ ଶବ୍ଦ କି ତରୁଣୀଙ୍କ ହସ ଓ କୋଳାହଳ ଶୁଭିବନି। ନୂଆ ପୋଷାକ, ମେହେନ୍ଦି, ଚୁଡ଼ି ଓ ପ୍ରସାଧନ ସାମଗ୍ରୀ କିଣିବାକୁ ବି ବଜାରରେ ଭିଡ଼ ଜମିବନି। ବୁଲାବୁଲି ଓ ସିନେମା ଦେଖା ବି ହେବାର ସମ୍ଭାବନା ନାହିଁ। ଗତବର୍ଷ ଭଳି ଚଳିତବର୍ଷ ବି କରୋନା ଏ ସବୁଥିରେ ତାଲା ପକାଇ ଦେଇଛି। ତଥାପି ଆଶା ମଉଳି ନାହିଁ। ରଜ ପୋଷାକଠାରୁ ଆରମ୍ଭ କରି ପିଠା, ପାନ ଓ ରଜ ସୁନ୍ଦରୀ ପ୍ରତିଯୋଗିତା ସବୁ ଅନ୍‌ଲାଇନ୍‌ ଚାଲିଛି। ଘରେ ବସି ତରୁଣୀମାନେ ଏଥର ଅନ୍‌ଲାଇନ୍‌ ରଜର ମଜା ନେବେ ବୋଲି ଆଶା ବାନ୍ଧି ବସିଛନ୍ତି।

ପାତ୍ରପଡ଼ାରେ ଏଥର ଗୋଟିଏ କି ଦୁଇଟି ଦୋଳି
ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ଏବର୍ଷ ଜାକଜମକରେ ରଜ ପାଳନ ହେବନି। କେବଳ ପ୍ରତୀକାତ୍ମକ ଭାବେ ଏଥର ମାତ୍ର ଗୋଟିଏ କିମ୍ବା ୨ଟି ଦୋଳି ବନ୍ଧାଯିବ। ଅନେକ ବର୍ଷ ଧରି ନିଆରା ଶୈଳୀରେ ପାଳିତ ହେଉଥିବା ରଜ ମଉଜ ଦୁଇ ବର୍ଷ ହେଲା ଫିକା ପଡ଼ିଛି। ପାତ୍ରପଡ଼ା ଓ ଭଗବାନପୁର ଗାଁ ପକ୍ଷରୁ ମହାରାଜା କ୍ରିକେଟ ଆସୋସିଏସନ୍‌ ପଡ଼ିଆରେ ରଜ ମଉଜ ପାଳିତ ହେଉଥିଲା। ୨ଶହରୁ ଊର୍ଧ୍ବ ଦୋଳି ବନ୍ଧା ଯାଉଥିଲା। କିନ୍ତୁ କରୋନା ଓ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଚଳିତବର୍ଷ ଏତେ ବିଶାଳ ଆକାରରେ ରଜ ପାଳିତ ହେବ ନାହିଁ। ଆଗଭଳି କୌଣସି ପ୍ରତିଯୋଗିତା ହେବ ନାହିଁ। ଖାଲି ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

ପାନ୍ଥନିବାସରେ ଦୋଳି ଝୁ‌ଲିବେ କଣ୍ଢେଇ
ପ୍ରତିବର୍ଷ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ବେଶ୍‌ ଧୁମ୍‌ଧାମରେ ରଜ ପାଳିତ ହୁଏ। ଏଥର ବି ଓଟିଡିସି ପକ୍ଷରୁ ପାନ୍ଥନିବାସ ପରିସରରେ ରଜ ଆୟୋଜନ କରାଯାଉଛି। ରଙ୍ଗବେରଙ୍ଗ ଫୁଲରେ ସୁସଜ୍ଜିତ ଦୋଳି ପଡ଼ିବ। କିନ୍ତୁ ଦୋଳିରେ କେହି ବସିପାରିବେ ନାହିଁ। ଦୋଳିକୁ ଅଧିକ ଆକର୍ଷଣୀୟ କରିବାକୁ ଏଥିରେ କଣ୍ଢେଇମାନଙ୍କ ବସାଯିବ। ଦର୍ଶକମାନେ ଦୋଳି ସମ୍ମୁଖରେ ଠିଆ ହୋଇ ଫଟୋ ନେଇପାରିବେ ସିନା, ଦୋଳିକୁ ସ୍ପର୍ଶ କରି ପାରିବେ ନାହିଁ। ଏଥିସହ ପାନ୍ଥନିବାସରେ ପୋଡ଼ ପିଠାଠାରୁ ଆରମ୍ଭ କରି କାକରା, ମଣ୍ଡା ଭଳି ବିଭିନ୍ନ ପାରମ୍ପରିକ ପିଠାର ପସରା ଖୋଲିବ। ଦର୍ଶକମାନେ କରୋନାର ସମସ୍ତ ନିୟମ ମାନି ରଜ ୩ ଦିନ ପାନ୍ଥନିବାସରେ ରଜ ମଉଜ ନେଇପାରିବେ।

ରଜ ବଜାରରେ ୧୩୨ ପ୍ରକାର ପାନ

ଗୋଟିଏ କି ଦୁଇଟି ନୁହେଁ, ରଜ ବଜାରରେ ଏବେ ମିଳୁଛି ୧୩୨ପ୍ରକାର ପାନ। ରଜରେ ପାନ ଖାଇ ପାଟି ଟିକେ ଲାଲ୍‌ ନ ହେଲେ ମଉଜ ଯେମତି ଅଧା ଅଧୁରା ଲାଗେ। ତେଣୁ ରଜ ଆସିଲେ ରାଜଧାନୀର ଗଳିକନ୍ଦିରେ ପାନ ପସରା ଖୋଲିଥାଏ। ଭଳିକି ଭଳି ଫ୍ଲେବର ଓ ମସଲାର ପାନ ପରଷି ଦିଅନ୍ତି ପାନ ବ୍ୟବସାୟୀ। କିନ୍ତୁ ଚଳିତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଏସବୁ ଦେଖିବାକୁ ମିଳିବ ନାହିଁ। ଏଣୁ ଗ୍ରାହକଙ୍କ ପାଇଁ ଅନ୍‌ଲାଇନ୍‌ରେ ପସରା ଖୋଲି ଦେଇଛନ୍ତି ବ୍ୟବସାୟୀମାନେ। ରାଜଧାନୀର ପ୍ରସିଦ୍ଧ ପାନ ଦୋକାନ ବନାରସୀ ପାନ ଭଣ୍ଡାର ପକ୍ଷରୁ ଅନ୍‌ଲାଇନ୍‌ ଯୋଗେ ଘରେ ଘରେ ପହଞ୍ଚି ପାରୁଛି ୧୩୨ ପ୍ରକାରର ପାନ। ଏଥର କିନ୍ତୁ ରଜ ବଜାରକୁ ଆସିଛି ‘ଲଡୁ ମିଠା ପାନ’। ପ୍ରାୟ ୪ପ୍ରକାର ଲଡୁ ପାନ ଯୋଗାଇ ଦେଉଛନ୍ତି ବନାରସ ପାନ ଭଣ୍ଡାରର ସ୍ବତ୍ବାଧିକାରୀ ରମାକାନ୍ତ ସେନାପତି। କୋକନଟ୍‌ କ୍ରଞ୍ଚି ଲଡୁ ପାନ, ଥୁଟି ଫୁଟୁ ଲଡୁ ପାନ, ଇଲାଇଚି ସ୍ପେସାଲ ଓ କେଶରୀ ଲଡୁ ପାନ ଆଦି ଗ୍ରାହକଙ୍କ ବେଶ୍‌ ପସନ୍ଦ ଆସିବ ବୋଲି ସେ କହିଛନ୍ତି। ଏହାର ଦାମ୍‌ ୨୦ଟଙ୍କା ରହୁଥିବା ବେଳେ ୧୦ଟି ପାନର ଗୋଟିଏ ପ୍ୟାକେଟ୍‌କୁ ୨୦୦ ଟଙ୍କା ରହିଛି।

ଖାଲି ସେତିକି ନୁହେଁ, ଛୋଟ ଛୁଆଙ୍କ ପାଇଁ ରହିଛି ଚକୋଜ୍‌ ପାନ, ଚୁସ୍‌କି ପାନ ଓ କିଟ୍‌କାଟ୍‌ ପାନ। ସେହିଭଳି ମଲାଇ ପାନ, ପାନ ସଟ୍‌ସ୍‌, ପାନ ସେକ୍‌, ପାନ ଲସି ଆଦି ବିଭିନ୍ନରକମର ପାନ ରହିଛି ଗ୍ରାହକଙ୍କ ପାଇଁ। ଏସବୁ ଏବେ ବନାରସ ପାନ୍‌ ଭଣ୍ଡାର ପକ୍ଷରୁ ସ୍ବିଗିରେ ଉପଲବ୍ଧ ହେଉଛି। ରଜ ତିନି ଦିନ ଅର୍ଥାତ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରଜ ପାନ ଗ୍ରାହକମାନେ ସ୍ବିଗିରୁ ଅର୍ଡର କରିପାରିବେ ବୋଲି ଶ୍ରୀ ସେନାପତି କହିଛନ୍ତି।

ପିଠା ଯୋଗାଇବ ‘ପିଠା ଅନ୍‌ ହ୍ବିଲ୍‌’
ରଜ‌ରେ ପାରମ୍ପରିକ ପିଠାର ସ୍ବାଦ ଚଖାଇବାକୁ ଓଟିଡିସି ପକ୍ଷରୁ ଗଡ଼ିବ ‘ପିଠା ଅନ୍‌ ହ୍ବିଲ୍‌’ ଗାଡ଼ି। ରାଜଧାନୀର ବିଭିନ୍ନ ସ୍ଥାନରେ ଯଥା ରାଜମହଲ, ରୁପାଲି ଛକ, ଚନ୍ଦ୍ରଶେଖରପୁର, ପଟିଆ ଓ ଖଣ୍ଡଗିରି ଆଦି ଛକରେ ‘ପିଠା ଅନ୍‌ ହ୍ବିଲ୍‌’ ଗାଡ଼ି ଠିଆ ହେବ। ଲୋକମାନେ ଏଠାରୁ ନିଜ ମନ ପସନ୍ଦର ପିଠା କିଣି ଖାଇପାରିବେ। କିନ୍ତୁ ପିଠା କିଣିବାକୁ କରୋନା କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରି ଲୋକମାନେ ରଜରେ ପାରମ୍ପରିକ ପିଠାର ମଜା ନେଇପାରିବେ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର