ଭୁବନେଶ୍ବର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଓଡ଼ିଆ ଆଲ୍‌ବମ୍‌ର ଯୁଗ। ସୋସିଆଲ ମିଡିଆ ଟ୍ରେଣ୍ଡିଂରେ ଓଡ଼ିଆ ଆଲ୍‌ବମ୍‌ ଗୀତ ବେଶ୍‌ ହିଟ୍‌ କରୁଛି। ବଡ଼ କଥା ହେଉଛି ଓଡ଼ିଆ ଆଲ୍‌ବମ୍‌ ଗୀତ ସବୁ ଆଉ ଓଡ଼ିଶାର ସୀମା ସରହଦ ଭିତରେ ସୀମିତ ହୋଇରହିନି। ଓଡ଼ିଶା ବାହାରେ ଏମିତିକି ବିଦେଶରେ ମଧ୍ୟ ଏସବୁ ଗୀତକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ପୂର୍ବରୁ ସମ୍ବଲପୁରୀ ଗୀତର ଆଦର ଯେମିତି ଥିଲା, ତାହା ଆହୁରି ବଢ଼ିଛି ଏବଂ ତା’ ପଛକୁ ଲାଗିଗଲାଣି ସାନ୍ତାଳ ଓ ଦେଶିଆ ଗୀତ। ଗୀତ ସାଙ୍ଗକୁ ମ୍ୟୁଜିକ୍‌ ଶ୍ରୋତାଙ୍କୁ ବେଶି ସମୟ ବାନ୍ଧିରଖୁଛି। ବଡ଼ କଥା ହେଉଛି ସୋସିଆଲ୍‌ ମିଡିଆରେ ଭୋଜପୁରୀ ଓ ପଞ୍ଜାବ ଆଲ୍‌ବମ୍‌ ସହିତ ତାଳ ଦେଲାଣି ଓଡ଼ିଆ ଆଲ୍‌ବମ୍‌।

Advertisment

ଓଡ଼ିଶା ରାଉଣ୍ଡ ଦି କ୍ଲକ୍‌ (ଓଆର୍‌ସି) ସଂସ୍ଥାର ସର୍ଭେକ୍ଷଣରୁ ଜଣାପଡ଼େ ଯେ ସୋସିଆଲ୍‌ ମିଡିଆରେ ବହୁଳ ପରିମାଣରେ ଭାଇରାଲ୍‌ ହୋଇଥିବା ଓଡ଼ିଆ ଗୀତଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଆଲ୍‌ବମ୍‌ ମ୍ୟୁଜିକ୍‌ ଗୀତ। ପୂର୍ବ ଭଳି ପଶ୍ଚିମ ଓଡ଼ିଶାର ଗୀତ ଏକ ନମ୍ବରେ ରହିଛି। ଏହାପଛକୁ ଆଦିବାସୀ ଦେଶିଆ ଓ ସାନ୍ତାଳ ଭାଷାର ଅନେକ ହିଟ୍ ଗୀତ ମଧ୍ୟ ଟ୍ରେଣ୍ଡିଙ୍ଗ୍‌ କରୁଛି। ‌ଉଦାହରଣ ‌ସ୍ବରୂପ ‘ତୋ ଦୁଆରେ ହେବ ଚାଙ୍ଗୁ ମାଡ଼’, ‘ଧାକୁଲୁ ଧାକୁଲୁ ହାର୍ଟ’, ‘ସେଦିନୁ ମୁଁ ହୁନୁ ହୁନୁ’, ‘ପିଅର ସୁନାର ଝୁମୁକା‘, ‘ନବୁ କି ସମ୍ବଲପୁର’, ‘ରସ ଜାମୁଡାଲି’, ‘କୁଲ୍‌ଫି ରାଣୀ’, ‘ତତେ ମିସ୍ କରୁଛେଁ ବାରମ୍ବାର’ ଓ ‘ତୁଇ ମଛ୍‌ଲି ଜଲ୍‌କି ରାନୀ’ ଇତ୍ୟାଦି ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଓଟିଟି ପ୍ଲାଟଫର୍ମରେ ଏସବୁ ଗୀତର ପ୍ରଯୋଜକମାନେ ଭଲ ଆୟ କରୁଥିବା ଜଣାପଡ଼ିଛି। ପୂର୍ବାପେକ୍ଷା ସେମାନେ ୨ ଗୁଣା ଅଧିକ ଆୟ କରୁଥିବା ଓଆର୍‌ସି ସର୍ଭେକ୍ଷଣରୁ ଜଣାପଡ଼ିଛି। ସେହିଭଳି ପ୍ରତି ମାସରେ ଓଡ଼ିଶାର କିଛି ମିମ୍ମସ୍ ମଧ୍ୟ ରାଜ୍ୟର କୋଣ ଅନୁକୋଣରେ ଭାଇରାଲ୍‌ ହେଉଛି। ‘ମାଲ୍‌ ପିଏଙ୍ଗେ’, ‘ଓଉ ରାଇତା’ ଓ ‘ଡାଲେମା ଡାଲେମା’ ଭଳି ମିମ୍ମସ୍‌କୁ ନେଇ ଗୀତ ନିକଟରେ ଟ୍ରେଣ୍ଡିଂ ଭଲ ଉଚ୍ଚତାକୁ ଛୁଇଁ ପାରିଛି। ଓଡ଼ିଆ ଗୀତପ୍ରେମୀଙ୍କ କହିବା କଥା ଗୋଟିଏ ସମୟରେ ଅନୁଭବ, ସବ୍ୟସାଚ୍ଚୀ, ଆକାଶ, ଶ୍ରୀତମଙ୍କ ଭଳି କଳାକାରମାନେ ଆଲ୍‌ବମ୍‌ କରୁଥିଲେ। ମିଠି, ସୁଇଟ୍‌, ଦୀପା ସାହୁ, ନୈନା ଓ ଲିପିଙ୍କ ଭଳି ନାୟିକାମାନେ ଓଡ଼ିଆ ଆଲ୍‌ବମ୍‌ ଜଗତକୁ ହଲ୍‌ଚଲ୍‌ କରୁଥିଲେ। କିନ୍ତୁ ସେମାନଙ୍କ ପରେ ଓଡ଼ିଆ ଆଲ୍‌ବମ୍‌ ଜଗତ ଧିମା ପଡ଼ିଯାଇଥିଲା। ଖୁସିର କଥା ପୁଣି ସେହି ଜମାନା ଫେରିଛି।