ଭୁବନେଶ୍ୱର : ବନ୍ଧା ଚାଲିଛି ଦୋଳି। ପ୍ରସ୍ତୁତି ଚାଲିଛି ପିଠା। ରଜପାନ ଭେଟିଦେବାକୁ ସମସ୍ତ ପ୍ରସ୍ତୁତି କରିଛନ୍ତି ବ୍ୟବସାୟୀ। ଏଣେ ରଜରେ ପାଗ ଅନୁକୂଳ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ବୁଲାବୁଲି ପାଇଁ ଗାଡ଼ିବାଲାକୁ ବଇନା ଦିଆ ସରିଲାଣି। ଗୁରୁବାର ରଜ ପଡ଼ୁଥିବା ବେଳେ ଶୁକ୍ରବାର ରଜ ସଂକ୍ରାନ୍ତି ଯୋଗୁଁ ଏଥର ରଜରେ ଆମିଷର ବାସ୍ନା ଚହଟିବନି ସତ କିନ୍ତୁ ସିନେମା ଦେଖା, ଦୋଳିଖେଳା, ବୁଲାବୁଲିରେ ସମୟ ବିତିବ।

Advertisment

publive-image

ବରାଦ ହୋଇଛି ପୋଡ଼ ପିଠା 

ପିଠା ବିନା ରଜ ପର୍ବ ଯେମିତି ଫିକା। ତେବେ ରାଜଧାନୀର ବ୍ୟସ୍ତବହୁଳ ଜନସାଧାରଣ ପିଠା ଲୋଭରେ ଗାଁକୁ ଯିବାକୁ ମନସ୍ଥ କରିଥିବା ବେଳେ ଯେଉଁମାନେ ରହିଯିବେ ସେମାନଙ୍କ ପିଠା ଆବଶ୍ୟକତା ପୂରଣ କରିବ ପାନ୍ଥ ନିବାସ ସମେତ କିଛି ରେଷ୍ଟୁରାଣ୍ଟ୍‌ ଓ ତାରକା ହୋଟେଲ୍‌। ସର୍ବୋପରି ରଜରେ ପୋଡ଼ ପିଠାର ଚାହିଦା ଅଧିକ ରହିବ। ପାନ୍ଥ ନିବାସରେ ପୂର୍ବ ବର୍ଷ ଭଳି ଏଥର ବି ପୋଡ଼ପିଠା, ମଣ୍ଡା, କାକରା, ଚକୁଳି ସମେତ ସମ୍ବଲପୁରର ସ୍ୱତନ୍ତ୍ର କଦମ୍ବା ଓ ଖୁଦମଣ୍ଡା ଉପଲବ୍ଧ ହେବ। ସ୍ୱତନ୍ତ୍ର ପିଠା ଉପହାର ବାସ୍କେଟ୍‌ ମଧ୍ୟ ପ୍ରସ୍ତୁତ କରାଯିବ। ସେହିପରି ପିଠା ବିକ୍ରିରେ ଅଗ୍ରଣୀ ଭୂମିକା ନେଉଥିବା ରେଷ୍ଟୁରାଣ୍ଟ୍‌ ‘ପେଟପୂଜା’ରେ ମଧ୍ୟ ୧୩ ତାରିଖରୁ ପୋଡ଼ ପିଠା ଉପଲବ୍ଧ ହେବ। ପୋଡ଼ପିଠା ସମେତ ଚନ୍ଦ୍ରକଳା, ଧଳାମଣ୍ଡା, ଛେନା କାକରା ପରି ୨୦ ପ୍ରକାରର ପିଠା ମିଳିବ ବୋଲି ‘ପେଟପୂଜା’ର ପ୍ରତିଷ୍ଠାତା ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ନିୟୁ ମ୍ୟାରିୟନ୍‌ ପରି ତାରକା ହୋଟେଲ୍‌ରେ ମଧ୍ୟ ରଜ ପାଇଁ ପିଠା ପ୍ରସ୍ତୁତି ଚାଲିଛି। ଏଠାରେ ଚକୁଳି ପିଠା, ମଣ୍ଡା ପିଠା, କାକରା ପିଠା, ଛୁଞ୍ଚି ପିଠା ଓ ରଜ ସ୍ପେସାଲ ପୋଡ଼ ପିଠା ବିକ୍ରି ହେବ ବୋଲି କରୁଣାକର ସ୍ୱାଇଁ କହିଛନ୍ତି।

ଅସଲି ସହ ନକଲି ସଲମନ୍‌ଙ୍କ ଟକ୍କର୍‌  

publive-imageଏଥର ରଜରେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ମୁକ୍ତିଲାଭ କରୁଥିବା ବେଳେ ଅନ୍ୟପଟେ ବଲିଉଡ୍‌ର ଭାଇଜାନ୍‌ ସଲ୍‌ମନ୍‌ ଖାନ୍‌ଙ୍କ ‘ରେସ୍‌-୩’ ମୁକ୍ତିଲାଭ କରିବ। ମୋଟାମୋଟି ଭାବେ ଏଥର ଅସଲି ଓ ନକଲି ସଲ୍‌ମନଙ୍କ ମଧ୍ୟରେ କଡ଼ା ଟକ୍କର ଜମିବ। ସେହିଭଳି ଜି ସାର୍ଥକ ପ୍ରସ୍ତୁତ ‘୪ ଇଡିଅଟସ୍‌’ ବି ହସର ଖୋରାକ ଯୋଗାଇବ। କିଛିବର୍ଷ ହେବ ରଜରେ ୩ଟି ଚଳଚ୍ଚିତ୍ର ରିଲିଜ୍‌ ହେଉଥିବା ବେଳେ ଚଳିତବର୍ଷ ୨ଟି ସିନେମା ରିଲିଜ୍‌ ହେଉଛି। ଅନୁଭବ ସୁଟିଂ ବେଳେ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ଫିଲ୍ମ ‘ପ୍ରେମ୍‌ କୁମାର’ ଅଧାରେ ଅଟକିଛି। ଫଳରେ ସେ ରଜ ରିଲିଜ୍‌ରୁ ଓହରି ଯାଇଥିବା ସୂଚନା ମିଳିଛି।  ରଜର ଦ୍ୱିତୀୟ ଦିନରେ ରାଜ୍ୟର ପ୍ରାୟ ୫୦ଭାଗ ସିନେମା ହଲ୍‌ର ପ୍ରାଇମ୍‌ ସୋ’ରେ ରିଲିଜ୍‌ ହେବ ‘ରେସ୍‌-୩’। ତେଣୁ ରେସ୍‌-୩ରେ ସଲମନଙ୍କୁ ଦେଖିବା ପାଇଁ ବି ଭିଡ଼ ଜମିବ। ଆଇନକ୍ସ୍‍ରେ ଏବେଠାରୁ ‘ରେସ୍‌ ୩’ ପାଇଁ ସମସ୍ତ ବୁକିଂ ଶେଷ ହୋଇଯାଇଥିବା ବେଳେ ଅନ୍‌ଲାଇନ୍‌ରେ ରାଜଧାନୀର ୩ଟି ହଲ୍‌ରେ ମଧ୍ୟ ଅନେକ ଟିକେଟ୍‌ ବୁକିଂ ଶେଷ ହୋଇସାରିଛିି। ଅଶୋକ ପତିଙ୍କ ନିର୍ଦେଶିତ ‘ସୁନ୍ଦରଗଡ଼ର ସଲମନ୍‌ ଖାନ୍‌’ରେ ବାବୁସାନଙ୍କ ବିପକ୍ଷରେ ନବାଗତା ଚୁଲବୁଲି ନାୟିକା ଦିବ୍ୟାଙ୍କୁ ଦେଖିବାକୁ ମିଳୁଥିବା ବେଳେ ଅଭିଜିତ ମଜୁମଦାରଙ୍କ ସଂଗୀତର ଜଲଓ୍ଵା ଉପଭୋଗ କରିହେବ। ଅକ୍ଷୟ ପରିଜା ପ୍ରଡକ୍ସନ୍‌, ପ୍ରକାଶ ଫିଲ୍ମ ଓ ଜି.କଳିଙ୍ଗ ଫିଲ୍ମ ପ୍ରଡ଼କ୍ସନ୍‌ ପକ୍ଷରୁ ପ୍ରସ୍ତୁତ ବସନ୍ତ ସାହୁଙ୍କ ନିର୍ଦେଶିତ ‘୪ ଇଡିଅଟସ୍‌’ ରେ  ସବ୍ୟସାଚୀ, ଏଲିନା, ଆକାଶ, କୁନା ତ୍ରିପାଠୀ, ଚିତ୍ତ ତ୍ରିପାଠୀ, ସମରେଶ, ଲିପ୍‌ସା, ପୁନମ, ଚାନ୍ଦିନୀ, ନିହାରିକା ଓ କେକେଙ୍କ ଅଭିନୟର ଝଲକ ଦେଖିବାକୁ ମିଳିବ। ସେଇଭଳି ପ୍ରେମାନନ୍ଦଙ୍କ ସଂଗୀତରେ ଝୁମିବେ ଦର୍ଶକ। ପ୍ରଯୋଜନା ସଂସ୍ଥା ଉଭୟ ଫିଲ୍ମ ପାଇଁ ରାଜ୍ୟର ମୋଟ ୭୦ଟି ଛୋଟବଡ଼ ପ୍ରେକ୍ଷାଳୟର କିଛି ସୋ’କୁ ବୁକିଂ କରିଛନ୍ତି।

ରଜରେ ବଢ଼ିବ ପ୍ଲାନେଟୋରିୟମ୍‌ ‘ସୋ’

ରଜ ପର୍ବ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ପକ୍ଷରୁ ଅଧିକ ‘ସୋ’ର ବ୍ୟବସ୍ଥା କରାଯିବ। ଜୁନ ୧୪ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୧୧ଟା ୩୦ ମିନିଟ୍‌ରୁ ସୋ’ ଆରମ୍ଭ ହେବ। ପ୍ରତି ଅଧଘଣ୍ଟା ଅନ୍ତରରେ ଗୋଟିଏ ଲେଖାଏଁ ‘ସୋ’ ହେବ। ଏହି ଦିନ ଗୁଡ଼ିକରେ କୌଣସି ‘ସୋ’ ପାଇଁ ଅଗ୍ରୀମ ଟିକେଟ ଦିଆଯାଉ ନଥିବା ବେଳେ ପ୍ରତି ‘ସୋ’ର ଅଧଘଣ୍ଟା ପୂର୍ବରୁ ଟିକେଟ ମିଳିବ ବୋଲି ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉପକଣ୍ଠରେ ଦୋଳିର ସମ୍ଭାର  

ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳରେ ଗଣପର୍ବ ରଜକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ଅବସରରେ ଜାତି ଜାତିକା ହାତ ତିଆରି ଦୋଳି ସାଜିବ ପ୍ରମୁଖ ଆକର୍ଷଣ। ରଘୁନାଥପୁର ତୋଟା, ଚନ୍ଦକା ଯାତ୍ରା ପଡ଼ିଆ, ବରିମୁଣ୍ଡ ପଞ୍ଚାୟତର କୁଆଖାଇ ନଦୀପଠା, ନହରକଣ୍ଟା କାଜୁବାଦାମ ପଡ଼ିଆ, ଗଣ୍ଡରପୁର ଓ ମଞ୍ଚେଶ୍ୱର ରଙ୍ଗମାଟିଆ ଶିଶୁ ଉଦ୍ୟାନରେ ରଜ ଉତ୍ସବ ବେଶ୍‌ ହର୍ଷ ଉଲ୍ଲାସର ସହିତ ପାଳନ କରାଯିବ।  ଗ୍ରାମାଞ୍ଚଳର ରଜ କିଛିଟା ନିଆରା ହୋଇଥିବାରୁ ଏବେଠାରୁ ବିଭିନ୍ନ ସ୍ଥାନରେ ଶଗଡ଼ ଚକରେ ଘଣା ଦୋଳି ଓ ବରଗଛରେ ବାଉଁଶ ପେଙ୍ଗା ଦୋଳି ପାଇଁ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି। ବାଉଁଶ ରାଣୀ ଦୋଳି, ରାମ ଦୋଳି ଓ କତା ରଶିରେ ଦୋଳି ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଆଣିଥାଏ। ବରିମୁଣ୍ଡ ପଞ୍ଚାୟତରେ ପେଙ୍ଗାରେ ଜିଲାପି ବନ୍ଧା ଯାଇ ଖେଳ ହୋଇଥାଏ। ନହରକଣ୍ଟା ପଡ଼ିଆରେ ଯୁବକମାନଙ୍କ ମଧ୍ୟରେ କବାଡ଼ି ଓ ଯୁବତୀମାନଙ୍କ ମଧ୍ୟରେ ଝୋଟି ଏବଂ ବିଭିନ୍ନ ପ୍ରକାର ପିଠା ତିଆରି ପ୍ରତିଯୋଗିତା ହୁଏ। ଗଣ୍ଡରପୁରରେ ଚାରିଦିନ ଧରି ଅପେରା ସହିତ ଫୁଟବଲ ଓ କବାଡ଼ି ଖେଳ ଅନୁଷ୍ଠିତ ହେବ।  ସେହିପରି ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟ୍ସ କ୍ଲବ୍‌, ଗଣ୍ଡରପୁର ପକ୍ଷରୁ ଗ୍ରାମାଞ୍ଚଳରେ ଫୁଟବଲ୍‌ର ପ୍ରସାର ନେଇ ୩୦୦ରୁ ଊର୍ଧ୍ୱ ଯୁବକଙ୍କୁ କ୍ରୀଡ଼ା ପୋଷାକ ବଣ୍ଟନ କରାଯିବ।