ବରଷ‌କେ ଥରେ ଆସିଛି ରଜ…ବଜାରରେ ଲାଗିଛି ଭିଡ଼

ରାତି ପାହିଲେ ସଜବାଜ ଓ ଶୁକ୍ରବାର ପହିଲି ରଜ। ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ରାଜଧାନୀ ଭୁବନେଶ୍ବର ବି ଏଥିରୁ ବାଦ୍‌ ପଡ଼ିନି। ସ୍ମାର୍ଟସିଟିର ବରଗଛ ଓହଳରେ ଦୋଳି ଲାଗୁନି କି ଯୁବକମାନଙ୍କ ମଧ୍ୟରେ କବାଡ଼ି, ତାସ୍‌ ଖେଳ ହେଉନି ସତ କିନ୍ତୁ କିଛି ଅନୁଷ୍ଠାନ ନିଆରା ଢଙ୍ଗରେ ଏହି ଉତ୍ସବ ଆୟୋଜନ କରି ଏହି ଓଡ଼ିଆ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ହୋଟେଲ୍‌ରେ ଓଡ଼ିଆ ପିଠା, ଖାଦ୍ୟ, ରଜ ପାନ ସାଙ୍ଗକୁ ବଜାର, ସିନେମା ହଲ୍‌, ସପିଂ ମଲ୍‌ରେ ରଜ ଉତ୍ସବ ଜମୁଛି। ରାଜଧାନୀରେ ରଜର ମାହୋଲକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

 

ବଜାରରେ ଭିଡ଼

ରଜରେ ଝିଅମାନେ ନୂଆ ପୋଷାକ ପିନ୍ଧି ନିଜକୁ ସଜେଇବାର ପରମ୍ପରା ଥିବାରୁ ଏବେ ବଜାରରେ ଭାରି ଭିଡ଼। ରଜ ବଜାର ସରଗରମ୍‌ ହୋଇଯାଇଛି। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ସମସ୍ତ ମଲ୍‌, ସୋ’ରୁମ୍‌ରେ ସମସ୍ତଙ୍କୁ ସୁହାଇଲା ପରି ପୋଷାକ ଓ ଶାଢ଼ିର ପସରା ଖୋଲାଯାଇଛି। ଝିଅମାନଙ୍କର ଚାହିଦାରେ ଵାନ୍‌ ପିସ୍‌, ଲେଗିନ୍ସ, ସର୍ଟ ଟପ୍‌, ପାଜାଲୋ, ଲେଗ୍‌ ପ୍ୟା‌ଣ୍ଟ୍‌, କ୍ରପ୍‌ ଟପ୍‌, ମ୍ୟାକ୍ସି ଡ୍ରେସ୍‌, ସାରାରା, ଅନାରକଲି, ମସ୍ତାନୀ ଆଦି ରହିଛି। ମାର୍କେଟ ବିଲ୍ଡିଂର ପୋଷାକ ବ୍ୟବସାୟୀ ବିକ୍ରମ ମହାରଣା କୁହନ୍ତି, ରଜ ଝିଅମାନଙ୍କ ସଜବାଜର ପର୍ବ ହୋଇଥିବାରୁ ପ୍ରାୟ ସମସ୍ତେ ଏହି ରଜ ସମୟରେ ପାରମ୍ପରିକ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଲେହେଙ୍ଗା ଓ ହେଭି ୱାର୍କ ଡ୍ରେସ୍‌ ମଧ୍ୟ ଏହି ସମୟରେ ବେଶ୍ ବିକ୍ରି ହେଉଛି। ଏଥିସହ ବିଭିନ୍ନ ରକମର ଓଢ଼ଣି ବିକ୍ରି ବି ଭଲ ହେଉଛି। ବର୍ତ୍ତମାନ ଗ୍ରାହକଙ୍କ ଚାହିଦା ଓ ଭିଡ଼କୁ ଲକ୍ଷ କରି କିଛି ସପିଂ ମଲ୍‌ ଏହି ସମୟରେ ଅଫର୍‌ ବର୍ଷା ମଧ୍ୟ ଜାରି ରଖିଛନ୍ତି।

ଖାଲି ଡ୍ରେସ୍‌ ନୁହେଁ ରଜକୁ ଆଉ ଟିକେ ଜମେଇବା ପାଇଁ ସଜ ସାମଗ୍ରୀ ଦୋକାନରେ ଚୁଡ଼ି, ବିନ୍ଦି, ନେଲ୍‌ପଲିସ୍‌ ସହ ଅଳତା, କାଜଲ, ଲିପ୍‌ଷ୍ଟିକ୍‌ ପରି ସାମଗ୍ରୀ ପାଇଁ ପ୍ରବଳ ଭିଡ଼ ଜମୁଛି। ରଜରେ ଶାଢି ପିନ୍ଧିବା ପରମ୍ପରା ଥିବାରୁ ସିଫନ୍‌, ନେଟ୍‌, ଜର‌୍‌ଜେଟ୍‌, କୋଟା ଜାଲି, ଆସାମ୍‌ ସିଲ୍କ, ଚାନ୍ଦେରୀ, ବାନ୍ଧନି, ବାଲୁଚାରି ଆଦି ଶାଢିର ଚାହିଦା ଅଧିକ ରହିଛିି। ଶାଢ଼ିର ଚାହିଦା ଦେଖି ବିଭିନ୍ନ ସୋ’ ରୁମ୍‌ରେ କିଏ ୧୦% ତ’ କିଏ ୭.୫% ରିହାତି ଛାଡ଼ କରି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି।

ଚାହିଦାରେ ନାଇଲନ୍‌ କଟନ୍‌ ମୋଟା ଦୋଳି

ଦୋଳି ବିନା ରଜ ଅଧୁରା। କୌଣସି ଆମ୍ବ ତୋଟା ନୁହଁ କି ବର ଓହଳ ନୁହଁ ରାଜଧାନୀରେ ପ୍ରତି ଗଛ ଡାଳରେ ବନ୍ଧା ହୋଇଛି ପ୍ଲାଷ୍ଟିକ୍‌ ଦୋଳି। ପଶ୍ଚିମବଙ୍ଗ, ଶ୍ରୀକାକୁଲମ୍‌ ଓ ବିହାରରୁ ଆସି ବିଭିନ୍ନ ସ୍ଥାନରେ ପସରା ମେଲାଇଛନ୍ତି ପ୍ଲାଷ୍ଟିକ୍‌ ଦୋଳି ବ୍ୟବସାୟୀ। ୟୁନିଟ-୧ ହାଟରୁ ଆରମ୍ଭ କରି ସିଆର‌୍‌ପି, ଆଚାର୍ଯ୍ୟବିହାର, ଜୟଦେବ ବିହାର, ରାଜଭବନ ଛକ ଆଦି ବିଭିନ୍ନ ସ୍ଥାନରେ ଯେଉଁଠି ଦେଖିବ ସେଇଠି ଝୁଲୁଛି ପ୍ଲାଷ୍ଟିକ ଦୋଳି। ନାଇଲନ୍‌, କଟନ୍‌ ଉଭୟ ମୋଟା ଓ ପତଳା କିମସର ଦୋଳି ରହିଥିବା ବେଳେ ତାହାର ଦାମ୍‌ ମିଟର ପିଛା ୪ରୁ ୧୫ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି କଟନ୍‌ ପୋଲାର ଦୋଳିର ମିଟର ପିଛା ୪୫ଟଙ୍କା, ପତଳା କିସମର ଦଉଡ଼ି ମିଟର‌୍‌ ପିଛା ୪୦ ଟଙ୍କା, ହାତ ବୁଣା ଝୁଲା ଦୋଳି ଗୋଟାକୁ ୫୦ ଟଙ୍କାରୁ ଆରମ୍ଭ ହୋଇ ଡବଲ ବୁଣା ଥିବା ଝୁଲା ଦୋଳି ୩୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ହେଲେ ନାଇଲନ୍‌ କଟନ୍‌ ମୋଟା ଦୋଳିର ଚାହିଦା ଟିକେ ଅଧିକ ରହୁଛି।

ସମ୍ବନ୍ଧିତ ଖବର