ଭୁବନେଶ୍ୱର: ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସ୍‌ଏ)ରେ ଗିରଫ ହୋଇ ଜେଲ୍‌ ଯାଇଥିବା ଏୟାର୍‌ଫିଲ୍‌ଡ ଥାନା ବୋତଣ୍ଡା ଭୋଇସାହିର ଦୁର୍ଦ୍ଦାନ୍ତ ଆକାଶ ବେହେରା ଓରଫ୍ ରାକା ଜେଲ୍‌ରୁ ଫେରିବାର ମାତ୍ର ୨୦ ଦିନ ପରେ ପୁଣି ଗିରଫ ହୋଇଛି। ଏକ ଠିକା ସଂସ୍ଥାର ମ୍ୟାନେଜରଙ୍କୁ ଦାଦାବଟି ମାଗି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଏୟାରଫିଲ୍‌ଡ ଥାନା ପୁଲିସ୍‌ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ ସୂଚନାନୁସାରେ ବୋତଣ୍ଡା ଅଞ୍ଚଳରେ ଚାଲିଥିବା ଏକ ଆପାର୍ଟମେଣ୍ଟ କାମର ତଦାରଖ କରୁଥିବା ମ୍ୟାନେଜର ସୁରେଶ ପଲେଇଙ୍କୁ ଦାଦାବଟି ମାଗି ରାକା ଓ ତା’ର କିଛି ସହଯୋଗୀ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ ବଟି ମାଗିବା ବେଳେ ମାଲିକଙ୍କୁ କହିବାକୁ ସୁରେଶ କହିବାରୁ ରାକା‌ ଓ ତା’ ସହଯୋଗୀମାନେ ତାଙ୍କୁ ନିକଟସ୍ଥ ଏକ କ୍ଲବ୍‌ ଘର ପାଖକୁ ଟେକି ନେଇ ରଡ୍‌ ଓ ଇଟାରେ ଆକ୍ରମଣ କରିଥିଲେ। ସୁରେଶ ଗୁରୁତର ହେବା ପରେ ସେମାନେ ତାଙ୍କୁ ଟେକି ନେଇ ନିର୍ମାଣସ୍ଥଳରେ ଫୋପାଡ଼ି ପଳାଇଆସିଥିଲେ। ସୁରେଶଙ୍କୁ ତାଙ୍କ କର୍ମଚାରୀମା‌ନେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରିଥିଲେ। ପରେ ସୁରେଶ ପୁଲିସରେ ଅଭିଯୋଗ କରିଥିଲେ।

Advertisment

୨୦୧୦ ମସିହାରୁ ୨୦୨୨ ମଧ୍ୟରେ ରାକା ନାଁରେ ଏୟାର୍‌ଫିଲ୍‌ଡ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଜଟଣୀ-ସୁନ୍ଦରପଦା ରୋଡ୍‌ରେ ରାକା ବନ୍ଧୁକ ଦେଖାଇ ଲୁଟ୍‌ପାଟ୍‌ କରିବା ସହ ଦୋକାନୀ, ବିଲ୍‌ଡର୍‌ମାନଙ୍କଠାରୁ ଜୋର୍‌ ଜବରଦସ୍ତ ବଟି ଆଦାୟ କରୁଥିଲା। ପ୍ରତିଥର ଜେଲ୍‌ରୁ ବାହାରିବା ପରେ ସେ ଦାଦାବଟି ଆଦାୟ କରିବା ବନ୍ଦ କରୁନଥିଲା। ଏଥିପାଇଁ ସେ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଉନଥିଲା। ବହୁ ଅଭିଯୋଗ ହେବା ପରେ ୨୦୨୨ ଅକ୍ଟୋବର ୮ରେ ଏମିତି ଏକ ବଟି ମାଗିବା ମାମଲାରେ ତାକୁ ପୁଲିସ ଏନ୍‌ଏସ୍‌ଏରେ ଜେଲ୍‌ ପଠାଇଥିଲା। ରାକା ଜଣେ ଅଭ୍ୟାସଗତ ତଥା ପୋସାଦାର ଅପରାଧୀ ହୋଇଥିବାରୁ ତା’ ବିରୋଧରେ ୧୧୦ ଧାରା ଲାଗୁ କରାଯିବ ବୋଲି ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି। ତେବେ ଏନ୍‌ଏସ୍‌ଏକୁ ବେଖାତିର କରୁଥିବା ରାକା ପାଇଁ ୧୧୦ କି କାମ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।