ଧଉଳି: ରଜ ସଂକ୍ରାନ୍ତି ଅବସରରେ ଆଜି ଧଉଳି ଶାନ୍ତିସ୍ତୂପରେ ପ୍ରାୟ ୩୦ ହଜାର ପର୍ଯ୍ୟଟକମାନଙ୍କ ସମାଗମ ହୋଇଥିଲା। ଏହା ସହିତ ଧଉଳି ପାଦଦେଶରେ ଧଉଳି ବିକାଶ ମଞ୍ଚ ପକ୍ଷରୁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବହିରଙ୍ଗେଶ୍ବର ପୀଠରେ ୩ଦନ ବ୍ୟାପୀ ଚାଲିଥିବା ମେଳଣ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା। ଶାନ୍ତିସ୍ତୂପ ବୁଲାବୁଲି ସାରି ଲୋକେ ବହିରଙ୍ଗେଶ୍ବର ମେଳଣ ଓ ମେଲୋଡି କାର୍ଯ୍ୟକ୍ରମ ଦେଖିଥିଲେ। ସେହିପରି ବହିରଙ୍ଗେଶ୍ବର ପୀଠ ମେଳଣ ପଡ଼ିଆରେ ବିଭିନ୍ନ ମନୋହରି ସାମଗ୍ରୀ ଦୋକାନ ଖୋଲିଥିଲା। ଲୋକେ ମେଳା ବୁଲି ଜିନିଷପତ୍ର କିଣାକିଣି କରିଥିଲେ।
ଆଜି ପାଗ କୋହଲା ଥିବାରୁ ବୁଲାବୁଲି କରିବାକୁ ଅନୁକୂଳ ପରିବେଶ ହୋଇଥିଲା। ଅପରାହ୍ନ ଯାଏ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିବା ବେଳେ ସଂଧ୍ୟା ବେଳକୁ ଧଉଳି ବିକାଶ ମଞ୍ଚ ରଜ ସମାରୋହ ସ୍ଥଳରେ ଦର୍ଶକ ଭରପୂର ହୋଇଯାଇଥିଲେ। ଅପରାହ୍ନରେ ପିଲାମାନଙ୍କ ଦ୍ବାରା ପରିବେଷିତ ଚକୁଳିଆ ପଣ୍ଡା ଗୀତ, ରଜଗୀତ, ସମ୍ବଲପୁରୀ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ସଂଧ୍ୟାରେ ହ୍ୟୁମାନ ସାଗରଙ୍କ ଦ୍ବାରା ପରିବେଷିତ ସଙ୍ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ। ଏନେଇ ଆୟୋଜିତ ସଭାରେ ଏକାମ୍ର ବିଧାୟକ ବାବୁ ସିଂହ, ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ , କର୍ପୋରେଟର ଅମରେଶ ଜେନା, ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର, ରାଜେନ୍ଦ୍ର ସାମର୍ଥା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଧଉଳି ବିକାଶ ମଞ୍ଚର ମୁଖ୍ୟ ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର ଓ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।