ଘରେ ଘରେ ରଜ ଆସର, ଆଜି ଶେଷ ରଜ

ଭୁବନେଶ୍ବର: ଦୋଳି ନାହିଁ, ରଜ ସିନେମା ବି ନାହିଁ, ବୁଲାବୁଲି ନାହିଁ କି କେଉଁଠାରେ ରଜ ମହୋତ୍ସବ ନାହିଁ। ତଥାପି ଘରେ ଘରେ ପାଳିତ ହେଉଛି ରଜ ପର୍ବ। ଏଥର ସାଙ୍ଗସାଥୀ ନୁହେଁ ପରିବାର ଗହଣରେ ପାଳିତ ହେଉଛି ରଜ। ଘରେ ଚକୁଳି, ଇଡ୍‌ଲି, ବରା, ପୋଡ଼ପିଡ଼ା, ଆରିସା ଓ କାକରା ଆଦି ପ୍ରସ୍ତୁତ ହୋଇଛି। କୁଆଁରୀମାନେ ନୂଆ ଡ୍ରେସ୍‌ ନ ପିନ୍ଧିପାରିଲେ ବି ପାଦରେ ଅଳତା, ମଥାରେ କୁଙ୍କୁମ, ହାତରେ ମେହେନ୍ଦୀ ଲଗାଇ ରଜକୁ ସ୍ବାଗତ କରିଛନ୍ତି। ଏହି ଭଳି ରଜ ଦୁଇ ଦିନ ସହରବାସୀ ନିରାଶାକୁ ଭୁଲି ଖୁସିରେ ମନେଇଥିବା ବେଳେ ଆସନ୍ତାକାଲି ପାଇଁ ପ୍ରସ୍ତୁତ ହେଉଛନ୍ତି।

ଆମିଷ ବଜାରରେ ଜମିବ ଭିଡ଼

ରଜରେ ପିଠାପଣା ଭଳି ଆମିଷର ବି ଚାହିଦା ଅଧିକ ରହିଥାଏ। କିନ୍ତୁ ପ୍ରଥମ ରଜ ସୋମବାର ପଡ଼ିଥିବାରୁ ଅନେକ ଲୋକ ଆମିଷ ଖାଇପାରିନଥିଲେ। ଦ୍ବିତୀୟ ରଜ ସଂକ୍ରାନ୍ତି ଯୋଗୁଁ ବି ଆମିଷର ମଜା କେହି ନେଇ ପାରିନାହାନ୍ତି। ଏଣୁ ଶେଷ ରଜକୁ ସମସ୍ତଙ୍କ ଅପେକ୍ଷା। ଶେଷ ରଜ ବୁଧବାର ଓ ଆମିଷ ବାରିରେ ପଡ଼ୁଥିବାରୁ ଆମିଷପ୍ରେମୀ ଏନେଇ ଉତ୍ସାହିତ ଅଛନ୍ତି। ଅନ୍ୟପଟେ ସାଇପଡ଼ୋଶୀ ଓ ସହକର୍ମୀମାନେ ମିଶି ଭୋଜି କରିବାର ବି ପ୍ରସ୍ତୁତି କ‌ରିଛନ୍ତି। ରଜରେ ବିଶେଷ କରି ମାଛର ଚାହିଦା ଅଧିକ ଥାଏ। ଏଣୁ ମାଛ ବ୍ୟବସାୟୀମାନେ ଏ ସମୟରେ ଭଲ ବ୍ୟବସାୟ ଟିକେ କରିଥା’ନ୍ତି। ଚଳିତ ବର୍ଷ ବି ଆମିଷ ମାର୍କେଟରେ ଭିଡ଼ ଜମିବ, କିନ୍ତୁ ଆମିଷ ବ୍ୟବସାୟୀମାନେ ୫୦% କ୍ଷତି ସହିବେ ବୋଲି କହିଛନ୍ତି ୟୁନିଟ୍‌-୪ ମାଛ ମାର୍କେଟର ସମ୍ପାଦକ ଏସ୍‌ କେ ତହବିର। ସେ କହିଛନ୍ତି, ରଜକୁ ମାଛ ବ୍ୟବସାୟ ଭଲ ହୁଏ। କିନ୍ତୁ ଏବେ ଲକ୍‌ଡାଉନ୍‌ ଚାଲିଛି। ସକାଳ ୭ରୁ ୧୧ ମାତ୍ର କେଇ ଘଣ୍ଟା ପାଇଁ ମାର୍କେଟ ଖୋଲା ରହୁଛି। ଫଳରେ ଗ୍ରାହକଙ୍କ ସଂଖ୍ୟା କମିଯାଉଛି। ପୁଣି ସମୟ ଅଭାବରୁ ବିକ୍ରି ହେଉ ନଥିବାରୁ ଆମେ କମ୍‌ ମାଲ୍‌ ଆଣୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର