ଭୁବନେଶ୍ବର: ଘରଠୁ ବାହାର, ଗାଁରୁ ସହର, ଅତିଥି ଚର୍ଚ୍ଚା ହେଉ କି ଖୁସିର ଅବସର; କାହିଁ କେତେ କାଳରୁ ପାନ ସାଜିଛି ଆମ ଚଳଣିର ସାଥୀ। ଆଗକୁ ରଜ ଆସୁଛି। ଦୋଳି, ପୋଡ଼ପିଠା ଭଳି ରଜରେ ପାନ ଖିଆ ବି ଜମିବ। ରଜରେ ପାଟି ନାଲି ନ ହେଲେ କୁଆଁରୀ ମନ ଫିକା ପଡ଼ିଯାଏ। ଏଣୁ ବରଷକ ଯାକ ପାନ ଖାଉନଥିବା ଲୋକ ବି ରଜରେ ପାନ ଖଣ୍ତେ ନିହାତି ଖାଆନ୍ତି। ଆଉ ପାନ ଖାଇବା ସହିତ ପ୍ରିୟଜନଙ୍କୁ ପାନ ବାଣ୍ଟି ଶୁଭେଚ୍ଛା ଜଣାଇଥାନ୍ତି। 

Advertisment

ଏବେ ଯୁବପିଢ଼ିଙ୍କୁ ପାନ ଆଡ଼କୁ ଆକର୍ଷିତ କରିବାକୁ ବିଭିନ୍ନ ସ୍ଥାନରେ ମିଳୁଛି ‘ଆଇସ୍‌ ପାନ’, ‘ଫାୟାର ପାନ’, ‘ଦିଲ୍‌ ବାହାର‌୍‌’, ‘ଦିଲ୍‌ ଦିଵାନା’, ‘ଦିଲ୍‌ଵାଲା’, ‘ଲଡ଼ୁ ପାନ’, ‘ପାନ ସଟ୍‌ସ୍‌’, ‘ପାନ ଲସି’, ‘ପାନ ସେକ୍‌’, ‘ରସ୍‌ମଲାଇ ପାନ’ ଓ ‘ରାବିଡ଼ି ପାନ’। ହେଲେ ଏଥର ରଜ ବଜାରରେ ସ୍ବତନ୍ତ୍ର ଆକର୍ଷଣରେ ରହିଛି ସୋନାଚାନ୍ଦି ପାନ। ପାନ ପତ୍ର ଭିତରେ ଚୂନ ଲଗାଇ ସେଥିରେ ଗିଲା, ନବରତ୍ନ ଚଟ୍‌ନି, ଫ୍ଲେବର ଚଟ୍‌ନି, ଚମନବାହାର, ପାନ୍‌ ରସ୍‌ନା, ଧନିଆ, ଗୁଜୁରାତି, ଅଳସୀ, ମସୁରୀ, ମାୱା, କେଶର, ଟିଟାନିକ୍‌, ରିମ୍‌ଝିମ୍‌, ପାନ୍‌ ସୁପାରି, ‌ଗୁଲ୍‌କନ୍ଦ ଆଦି ଦେଇ ତା’ ଉପରେ ସୁନେଲି ଓ ରୁପେଲି ରଙ୍ଗର ଫଏଲ୍‌ରେ ଚେରି ଗୁନ୍ଥା ଯାଇଥାଏ। ଏହାର ଦାମ୍‌ ଗୋଟାକୁ ୫୦୦ ଟଙ୍କା ରହିଛି। ବାସ୍ତବରେ ଏଥିରେ ବ୍ୟବହାର କରାଯାଉଥିବା ଗୋଲ୍‌ଡେନ୍‌ (ସୁନେଲୀ) ଫଏଲ୍‌ ଖାଇବା ଉପଯୋଗୀ ହୋଇଥିବା ବେଳେ କେବଳ ଗୋଟେ ଫଏଲ୍‌କୁ ୨୫୦ ଟଙ୍କା ପଡ଼ିଥାଏ। ଏହି ଗୋଲ୍‌ଡେନ୍‌ ଫଏଲ୍‌ ସହ ସମସ୍ତ ପ୍ରକାର ମସଲା ରାଜସ୍ଥାନର ଜୟପୁରରୁ ମଗାଯାଇଥାଏ।

ମସଲାଗୁଡ଼ିକ ଗୋଟେ କେଜିକୁ ୩୫୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ସହିଦନଗର ବନାରସୀ ପାନ ଭଣ୍ତାରର ରମାକାନ୍ତ ସେନାପତି କହିଛନ୍ତି। ଏଥିସହ ବିଭିନ୍ନ ପାନ ସହ ପାନ ସୁପ୍‌ ମଧ୍ୟ ଏବେ ରଜ ବଜାରରେ ଉପଲବ୍ଧ। ତେବେ ରଜ ବଜାରରେ ପାନ ଅପେକ୍ଷା ପାନରେ ଦିଆଯାଉଥିବା ମସଲାକୁ ନେଇ କ୍ରେଜ୍‌ ଅଧିକ ରହିଥ‌ାଏ। ଏଣୁ ରାଜଧାନୀରେ ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟ ସହ ଗଭା ଜେଲି, ବନ୍ଧୁମିଳନ, ଚେରି ସୁପାରି, ଚନ୍ଦନ କସ୍ତୁରୀ, ଖଜୁରୀ ମକା, ଚିକେନ୍‌ ସୁପାରି, ଲିଚୁ ଜେଲି, ବ୍ଲାକବେରି ଜେଲି, ଅରେଞ୍ଜ ଜେଲି, ମସ୍ତୁରି ଗୁଆ, କଳା ମାଣିକ, ମଲ୍ଲୀ ରାଇସ୍‌, ଅନାସି ଫୁଲ, ଜାଇଫଳ, କାଦମ୍ବରୀ ଆଦି ମସଲା ପାନରେ ବ୍ୟବହାର କରାଯାଉଛି। ଯାହାକି ସ୍ବାସ୍ଥ୍ୟ ସଚେତନ ରାଜଧାନୀବାସୀଙ୍କୁ ପାନ ପ୍ରେମରେ ପକାଉଛି। ଏହାର ଦାମ୍‌ ୨୫ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ବିଭିନ୍ନ ପ୍ରକାରର ପାନ ମଧ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି।

୧୪ରେ ସଂଭାବନାର ରଜ ମଉଜ
ଭୁବନେଶ୍ୱର: ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଗଣପର୍ବ ରଜଉତ୍ସବ ପାଳନ ହେବାକୁ ଯାଉଛି। ଜୁନ୍ ୧୪ ତାରିଖ ଦିନ ପହିଲି ରଜ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଓଡ଼ିଆଣୀଙ୍କ ରଜମଉଜ ଅନୁଷ୍ଠିତ ହେବ। ୨୦ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ରଜଉତ୍ସବ ପାଳନ କରାଯାଉଛି। ସନ୍ଧ୍ୟା ୫ଟାରୁ ଆୟୋଜିତ ହେଉଥିବା ଏହି ଉତ୍ସବରେ ରଜପାନ, ପୋଡ଼ପିଠା, ରଜ କବିତା ଓ ରଜଗୀତକୁ ନେଇ ଏହା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ସଂଭାବନା ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ, ସମ୍ପାଦିକା ରେଖା ସାହୁ, ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଓ ଜ୍ୟୋତ୍ସ୍ନାମୟୀ ସେନାପତି ପ୍ରମୁଖ ନିବେଦନ କରିଛନ୍ତି।