ରାଜା ପାଇଁ ସଭିଙ୍କ ଆଖିରେ ଲୁହ, ବରମୁଣ୍ଡା-ଢିପସାହି ରାସ୍ତା ଲୋକାରଣ୍ୟ
କାନ୍ଦବୋବାଳିରେ ଫାଟିପଡ଼ିଲା ଦାଣ୍ଡ, କାନ୍ଦିକାନ୍ଦି ଚେତା ହରାଉଥିଲେ ମା’
ଭୁବନେଶ୍ବର : ଯେଉଁ ସାହି ଦାଣ୍ଡରେ ଦିନେ ଚୁଲୁବୁଲିଆ ରାଜା ହସି ଖେଳି ସାଙ୍ଗମାନଙ୍କ ସହ ବୁଲୁଥିଲା, ସ୍କୁଲ୍କୁ ଯାଉଥିଲା, ସୋମବାର ଦିନ ସେହି ଦାଣ୍ଡରେ ଆସୁଥିଲା ରାଜାର ମୃତଦେହ। ସମସ୍ତଙ୍କ ମୁହଁରେ ଘୋଟିଥିଲା ଦୁଃଖର କଳା ବାଦଲ। ଆଖିରେ ଢଳଢଳ ହେଉଥିଲା ଲୁହ। କେତେବେଳେ ରାଜାର ଶବକୁ ନେଇ ଆମ୍ବୁଲାନ୍ସ ଆସିବ ବୋଲି ସମସ୍ତେ ଉଦ୍ବିଗ୍ନ ହୋଇ ଚାହିଁଥିଲେ ଜାତୀୟ ରାଜପଥ ଦିଗକୁ। ଶେଷରେ ଆମ୍ବୁଲାନ୍ସ ଗାଁ ଭିତରକୁ ପଶିଥିଲା। ମୃତଦେହ ପହଞ୍ଚିବା ପୂର୍ବରୁ ବରମୁଣ୍ଡା ପାଲାମଣ୍ଡପ ସାହିରୁ ଢିପସାହି ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଆମ୍ବୁଲାନ୍ସ ଗାଁ ଦାଣ୍ଡକୁ ପଶିବା ମାତ୍ରେ ପିଣ୍ଡାରୁ ତଳକୁ ଓହ୍ଲାଇ ପଡ଼ିଥିଲେ ଲୋକେ। ଗାଡ଼ି ଭିତରକୁ ଉଣ୍ଡି ମହିଳା ଓ ପୁରୁଷମାନେ ରାଜାର ମୃତଦେହକୁ ଥରଟିଏ ଦେଖିନେବାକୁ ଚେଷ୍ଟା କରୁଥିଲେ। ଗାଡ଼ି ଭିତରୁ ମୁହଁ କାଢ଼ିବା ବେଳେ ସେମାନେ କୋହ ସମ୍ବରଣ କରିପାରୁ ନଥିଲେ। ସବୁବେଳେ ହସହସ ରହୁଥିବା ଖୁସିବାସିଆ ପିଲା ରାଜାର ଅଚାନକ ମୃତ୍ୟୁକୁ କେହି ବିଶ୍ବାସ କରିପାରୁ ନଥିଲେ। ତେଣେ ଛାତିପିଟି କାନ୍ଦୁଥିବା ରାଜାଙ୍କ ମା’ ବାରମ୍ବାର ଅଚେତ ହୋଇ ତଳେ ଲୋଟି ପଡ଼ୁଥିଲେ। ବାପାଙ୍କୁ ସମ୍ଭାଳିବାକୁ କାହାର ବା ସାହସ ଥିଲା! ରାଜାଙ୍କ ମାଉସୀ, ଜେଜେ ମା’ଙ୍କ କାନ୍ଦ ବି ବନ୍ଦ ହେଉ ନ ଥିଲା। ସ୍ଥାନୀୟ ଅଞ୍ଚଳର ସମସ୍ତ ବାସିନ୍ଦା କାନ୍ଦୁଥିବା ଦେଖିବାକୁ ମିଳିଥିଲା। କାନ୍ଦବୋବାଳିରେ ଫାଟିପଡ଼ୁଥିଲା ସମଗ୍ର ଇଲାକା। ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା- ବିଏମ୍ସି ମାରିଦେଲା ରାଜାକୁ। ଡ୍ରେନ୍ ମୁକୁଳା ନଥିଲେ, ରାଜା ଆଜି ବଞ୍ଚିଥାନ୍ତା। ମାତ୍ର ୧୦/୧୫ ମିନିଟ୍ ପରେ ମୃତଦେହକୁ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଥିଲା। ସ୍ଥାନୀୟ ଲୋକେ କାନ୍ଦିକାନ୍ଦି ରାଜାକୁ ବିଦାୟ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମା’ହାତରୁ ସବୁଦିନେ ଖାଉଥିଲା
ରାଜାକୁ ପାଗଳ ପରି ଭଲପାଆନ୍ତି ତାଙ୍କ ମା’। ଅନେକ ସମୟରେ ତାକୁ ମା’ ହିଁ ଖୁଆଇ ଦିଅନ୍ତି। ଭଲ ନମ୍ବର ରଖୁଥିବାରୁ ପାଖ ପଡ଼ୋଶୀ ସମସ୍ତେ ତାକୁ ଭଲ ପାଆନ୍ତି। ରାଜା ଖୁବ୍ ପରୋପକାରୀ ଥିଲା। ଅନ୍ୟଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସୁଥିବାରୁ ସମସ୍ତେ ତାଙ୍କୁ ଭଲପାଉଥିଲେ। ଏମିତି କହି କାନ୍ଦି ପକାଇଥିଲେ ରାଜାଙ୍କ ବଡ଼ ମା’ ମନସ୍ବିନୀ ନାୟକ। ତାଙ୍କ ଆଖିରୁ ବହିଯାଉଥଲା ଧାରଧାର ଲୁହ।
କିଏ ମତେ ଆଉ ଦିଦି ଡାକିବ…
ରାଜାଙ୍କ ପଡ଼ିଶା ଘରେ ରହୁଥିବା ପ୍ରଜ୍ଞା ପାରମିତା ସ୍ବାଇଁ କହନ୍ତି; ରାଜାର ଭଉଣୀ ନଥିବାରୁ, ମୁଁ ତା’ ହାତରେ ରାଖି ବାନ୍ଧେ। ସେ ମୋତେ ଦିଦି ବୋଲି ଡାକେ। ଆଉ କିଏ ମୋତେ ଦିଦି ବୋଲି ଡାକିବ କହି ପ୍ରଜ୍ଞା ଖୁବ୍ କାନ୍ଦିଥିଲେ। ପ୍ରତି ଜନ୍ମଦିନରେ ସେ ମୋତେ ଆଗ ଡାକେ। ଗୁରୁଜନଙ୍କୁ ସମ୍ମାନ କରିବା ଓ ସାନଙ୍କୁ ସ୍ନେହ ଦେବା ଗୁଣ ତା’ ଭଳି ଖୁବ୍ କମ୍ ପିଲାଙ୍କ ପାଖରେ ଥାଏ ବୋଲି ସେ କହିଥିଲେ। କ୍ଷୋଭର ସହ ସେ ବି ବିଏମ୍ସିକୁ ଦାୟୀ କରିଥିଲେ।
ଡାକ୍ତର ଓ ୟୁଟ୍ୟୁବର୍ ହେବାକୁ ଲକ୍ଷ୍ୟ ଥିଲା
‘ରାଜା ମୋର ସବୁଠୁ ଭଲ ସାଙ୍ଗ ଥିଲା। ଆମେ ସବୁଦିନ ସାଙ୍ଗ ହୋଇ ସ୍କୁଲ ଓ ଟ୍ୟୁସନ୍ ଯାଉ। ସବୁବେଳେ ସାଙ୍ଗ ହୋଇ ଗୋଟିଏ ବେଞ୍ଚ୍ରେ ବସୁ। ଯଦି ରାସ୍ତା ଓ ଡ୍ରେନ୍ ଠିକ୍ ଥା’ନ୍ତା, ତା’ ହେଲେ ମୋ ବେଷ୍ଟ୍ଫ୍ରେଣ୍ଡ୍ ଆଜି ବଞ୍ଚିଥା’ନ୍ତା।’ ଏତିକି କହୁକହୁ ରାଜାଙ୍କ ସହପାଠୀ ତଥା ଘନିଷ୍ଠ ବନ୍ଧୁ ଆଶୁତୋଷ ବେହେରାଙ୍କ କଣ୍ଠ ରୁଦ୍ଧ ହୋଇଯାଇଥିଲା। ଆଶୁତୋଷଙ୍କ କହିବା ଅନୁସାରେ ସେ ଜଣେ ୟୁଟ୍ୟୁବର୍ ଓ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲା। ତା’ ୟୁଟ୍ୟୁବ୍ ଚ୍ୟାନେଲ୍କୁ କିପରି ଆହୁରି ଭଲ କରିହେବ, ସେ ବିଷୟରେ ଆଲୋଚନା କରୁଥିଲା। ମାତ୍ର ଦିନଟିଏ ଯାଇଛି କି ନାହିଁ, ଆଜି ସେ ନାହିଁ। ଏମିତି କହି ପୁଣି କାନ୍ଦି ପକାଇଥିଲା ଆଶୁତୋଷ।