ଭୁବନେଶ୍ୱର: ‘ଆଜିର ସୃଜନୀ’ ଅନୁଷ୍ଠାନ ପକ୍ଷରୁ ଭଞ୍ଜ କଳାମଣ୍ଡପ ପରିସରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସାହିତ୍ୟ ପତ୍ରିକା ‘ଆଜିର ସୃଜନୀ’ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଡାକ୍ତର ସେବା ମହାପାତ୍ର ଓ ରୀନା ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଅନନ୍ୟ ପର୍ବ ରଜ ନାରୀ ସମ୍ମାନର ଏକ ପ୍ରତୀକାତ୍ମକ ପର୍ବ। ବସ୍ତି ଅଞ୍ଚଳର ମହିଳା ଓ ଶିଶୁମାନଙ୍କ ବିକାଶ ଦିଗରେ ଆଜିର ସୃଜନୀ ଏକ ଚିରନ୍ତନ ସତ୍ୟ ଲକ୍ଷ୍ୟରେ ଆଗକୁ ବଢ଼ି ଚାଲିଛି ଏବଂ ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଏପରି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବସ୍ତି ଅଞ୍ଚଳର କିଶୋରୀମାନଙ୍କ ମଧ୍ୟରେ ‘ରଜ କୁଇନ୍’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଦୁଇଜଣ ରନର୍ସ-ଅପଙ୍କୁ ଦୁଇ ହଜାର ଓ ତିନି ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜେତାଙ୍କୁ ୧୫ ହଜାର ଟଙ୍କାର ଚେକ୍ ଓ ରୁପା ମୁକୁଟ ଦିଆଯାଇଥିଲା। ଅନୁଷ୍ଠାନର ସଚିବ ସୁଜାତା ରାୟ ଓ ସାଂସ୍କୃତିକ ସଚିବ ଜ୍ୟୋତ୍ସ୍ନା ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଲିଭା ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ସ୍ୱର୍ଣ୍ଣପ୍ରଭା ଦାସ ଧନ୍ୟବାଦ ଦେଇଥିଲେ।