ଭୁବନେଶ୍ବର : ୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍ ନିକଟରେ ମୁକୁଳା ଡ୍ରେନ୍ରେ ଭାସି ଯିବାରୁ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ଏହା ଭିତରେ ୬ବର୍ଷ ବିତିଗଲା ସିନା ମୁକୁଳା ଡ୍ରେନ୍ ସଜଡ଼ା ହୋଇପାରିଲାନି। ବାବୁମାନଙ୍କ ମୁଣ୍ଡରେ ବୁଦ୍ଧି ପଶିଲାନି। ଏହା ଭିତରେ ଅନୁରୂପ ଭାବେ ୫ଜଣ କୃତ୍ରିମ ବନ୍ୟାରେ ପ୍ରାଣ ହରାଇଛନ୍ତି। ବାବୁମାନଙ୍କ ଅପାରଗତା ଓ ଉଦାସୀନତା ପାଇଁ ପୁଣି ଆଜି ଜଣେ ୧୫ବର୍ଷୀୟ ଛାତ୍ରର ଜୀବନ ଦୀପ ଲିଭିଯାଇଛି ବୋଲି ଅଭିଯୋଗ ହୋଇଛି। ବରମୁଣ୍ଡା ଶତାବ୍ଦୀନଗର ଦେଇ ଯାଇଥିବା ବିଏମ୍ସିର ୮ନମ୍ବର ନାଳରେ ଭାସିଯାଇ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ନିଖୋଜ ହେବା ପରେ ଏଭଳି ଆଶଙ୍କା କରାଯାଇଛି। ଆଜି ଏହି ଅଘଟଣ ସମଗ୍ର ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି ଓ ବିଭିନ୍ନ ମହଲରୁ ବିଏମ୍ସିକୁ ଦାୟୀ କରାଯାଇଛି। ବିଏମ୍ସି କେବେ ଆଉ ଚେତିବ ବୋଲି ପ୍ରଶ୍ନ କରାଯାଇଛି। ଏଭଳି ଅଘଟଣର ଶେଷ କେଉଁଠି ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ବରମୁଣ୍ଡା ଢିପସାହିର ହୃଷୀକେଶ ବେହେରାଙ୍କ ପୁଅ ରାଜା ଟ୍ୟୁସନ୍ ଯିବା ପାଇଁ ସାଇକେଲ ଧରି ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲା। ମାତ୍ର କେଇ ମିନିଟ୍ ପୂର୍ବରୁ ବର୍ଷା ଛାଡ଼ିଥିବାରୁ ରାସ୍ତାଘାଟ ବୁଡ଼ି ରହିଥିଲା। ଡ୍ରେନ୍ ଓ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ଫଳରେ ରାଜା ବାଟ ଜାଣିନପାରି ଡ୍ରେନ୍ ଭିତରକୁ ପଶି ଯାଇଥିଲା। ପ୍ରଖର ସ୍ରୋତରେ ରାଜା ବୁଡ଼ି ଯାଇଥିଲା ଓ ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପ୍ରାୟ ୧୦ କିମି ଦୈର୍ଘ୍ୟର ଡ୍ରେନ୍ରେ ପଶି ୮ଘଣ୍ଟା କାଳ ଖୋଜାଖୋଜି କରିଥିଲେ ବି ରାଜାର ପତ୍ତା ମିଳିନଥିଲା। ଆଜି ସକାଳ ୬ଟାରୁ ପୁଣି ଖୋଜାଖୋଜି ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ବୃଥା ଗଲା ୩୦ ଅଗ୍ନିଶମ କର୍ମଚାରୀଙ୍କ ୮ଘଣ୍ଟାର ପରିଶ୍ରମ
ଡେପୁଟି କମିସନର ରମେଶ ଚନ୍ଦ୍ର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ୫ୟୁନିଟ୍ ଅଗ୍ନିଶମ କର୍ମଚାରୀ ପ୍ରାୟ ୮ଘଣ୍ଟା କାଳ ଡ୍ରେନ୍ରେ ପଶି ଖୋଜାଖୋଜି କରିଥିଲେ। ଶତାବ୍ଦୀନଗରରୁ ପଞ୍ଚସଖାନଗର ପର୍ଯ୍ୟନ୍ତ ଖୋଜିଥିଲେ। ୩୦ ଜଣ କର୍ମଚାରୀ ଭାଗଭାଗ ହୋଇ ଗଣ୍ଡମୁଣ୍ଡା ଲେନ୍ ପର୍ଯ୍ୟନ୍ତ ଖୋଜିଥିଲେ। ପ୍ରାୟ ୧୦କିମି ଡ୍ରେନ୍ରେ ‘ରୋପିଂ ରେସକ୍ୟୁ’ ଅପରେସନ୍ ସାହାଯ୍ୟରେ ରାଜାକୁ ଖୋଜାଯାଇଥିଲା। ମାତ୍ର ସବୁ ବିଫଳ ହୋଇଥିଲା। ଆସନ୍ତାକାଲି ସକାଳ ୬ରୁ ପୁଣି ଏହି ଅପରେସନ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଅନ୍ୟ ପକ୍ଷରେ ରାତି ତମାମ୍ ଏହି ଅଞ୍ଚଳରେ ଖଣ୍ଡଗିରି ପୁଲିସ ପାଟ୍ରୋଲିଂ କରିବ ବୋଲି ଜଣାପଡ଼ିଛି।

ପୁଅକୁ ଖୋଜିଦେବାକୁ ବିକଳ ହେଉଥିଲେ ବାପା
ଆଜି ଘଟଣାସ୍ଥଳରେ ରାଜାର ବାପା ହୃଷୀକେଶଙ୍କ ବୁକୁଫଟା କ୍ରନ୍ଦନ ସମସ୍ତଙ୍କ ହୃଦୟକୁ ବିଦାରି ପକାଇଥିଲା। ପୁଅକୁ ଖୋଜି ଦେବା ପାଇଁ ସେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ ବଡ଼ ବିକଳ ନେହୁରା ହେଉଥିଲେ। ସମ୍ପର୍କୀୟମାନେ ତାଙ୍କୁ ବୁଝାସୁଝା କରୁଥିଲେ ବି ତାଙ୍କ ଆଖିରୁ ଲୁହ ଶୁଖୁନଥିଲା। ପୁଲିସ ସେହିଠାରୁ ତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲା।
୨ କ୍ୟାଟରିଂ ପିଲାଙ୍କ ଉଦ୍ୟମ ବିଫଳ ହେଲା
ରାଜା ଡ୍ରେନ୍ରେ ଭାସି ଯାଉଥିବା ଦେଖି କିଛି ଲୋକ କିଂ କର୍ତ୍ତବ୍ୟବିମୂଢ଼ ହୋଇପଡ଼ିଥିଲେ। ତେବେ ଆଇନଜୀବୀ ରଜନୀକାନ୍ତ ମହାପାତ୍ରଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ଖାଦ୍ୟ ପରଷିବାକୁ ଆସିଥିବା ଦୁଇ ଜଣ କ୍ୟାଟ୍ରିଂ ପିଲା ସାହସ ଜୁଟାଇ ଉଛୁଳା ଡ୍ରେନ୍କୁ ଡେଇଁଥିଲେ। ହେଲେ ପ୍ରଖର ସ୍ରୋତରେ ସେମାନେ ରାଜାକୁ ବଞ୍ଚାଇବାରେ ବିଫଳ ହେଲେ। ଅପରପକ୍ଷରେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଯାଇ କଷ୍ଟେମଷ୍ଟେ ଏକ ହୋମ୍ ପାଇପ୍କୁ ଧରିପକାଇ ନିଶ୍ଚିତ ମରଣ ମୁହଁରୁ ବର୍ତ୍ତିଥିଲେ।
ଆମ୍ବୁଲାନ୍ସ ସମେତ ଶତାଧିକ ଗାଡ଼ି ରାସ୍ତାରେ ଫସି ରହିଲା
ଏହି ଅଘଟଣ ପରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବାରୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଡ୍ରେନ୍ରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଦେଖିବା ପାଇଁ ରାସ୍ତାରେ ଭିଡ଼ ଜମାଇଥିଲେ। ଫଳରେ ସିଟି ଓମେନ୍ସ କଲେଜ ଛକରୁ ଜାଗମରା ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍ସ ସମେତ ଶତାଧିକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ।
କାନ୍ଦବୋବାଳିରେ ଫାଟି ପଡ଼ିଲା ଢିପସାହି
ରାଜାର ମୃତ୍ୟୁ ଖବର ବରମୁଣ୍ଡା ଢିପସାହିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମଗ୍ର ଢିପସାହିରେ ଶୋକର ଛାୟା ଖେଳିଯାଇଥିଲା। ଛୋଟ ବେଳୁ ରାଜାକୁ ବରମୁଣ୍ଡା ଗାଁ ଦାଣ୍ଡରେ ଖେଳାବୁଲା କରିବା ଦେଖିଥିବାରୁ ଲୋକେ କାନ୍ଦି ପକାଉଥିଲେ। ମା’ ପାଗଳ ପ୍ରାୟ ପ୍ରଳାପ କରୁଥିଲେ ଓ ରାଜାକୁ ଟ୍ୟୁସନ୍ରୁ ଘରକୁ ଆଣ ବୋଲି କହୁଥିଲେ। ସେ ବାରମ୍ବାର ଚେତା ହରାଉଥିଲେ। ଅପରପକ୍ଷରେ ରାଜା ବ୍ୟବହାର କରୁଥିବା ଫୋଟନ୍ ଏକ୍ସ ସାଇକେଲ୍କୁ ଦେଖିବା ପରେ ରାଜା କାହିଁ କାହିଁ ବୋଲି ସେ ଚିତ୍କାର କରି କାନ୍ଦୁଥିଲେ। ତାଙ୍କ ହୃଦୟବିଦାରକ କ୍ରନ୍ଦନରେ ଅନ୍ୟମାନେ ମଧ୍ୟ ବାହୁନି ବାହୁନି କାନ୍ଦୁଥିଲେ। ସୂଚନାଯୋଗ୍ୟ ରାଜା ଘରର ବଡ଼ପୁଅ ହୋଇଥିବାରୁ ଖୁବ୍ ଗେହ୍ଲା ଥିଲା।
ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ବାସିନ୍ଦା
ଡ୍ରେନ୍ରେ ବୁଡ଼ି ରାଜାର ମୃତ୍ୟୁ ହୋଇଥିବା ଖବର ସଂଗ୍ରହ କରିବାକୁ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିଥିଲେ। ମତାମତ ଦେବାକୁ ଯାଇ ସ୍ଥାନୀୟ ବାସିନ୍ଦାମାନେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ବର୍ଷିଥିଲେ। କିଛି ଉତ୍ତ୍ୟକ୍ତ ଲୋକ ବିଏମ୍ସି ଯନ୍ତ୍ରୀଙ୍କୁ ଖୋଜିଥିଲେ। ମାତ୍ର ତାଙ୍କୁ ପାଇନଥିଲେ। ତେବେ ଡ୍ରେନ୍ କାମ କରୁଥିବା ଜଣେ ଠିକାଦାରକୁ ପାଇ ବହେ ଗାଳି ଦେଇଥିଲେ। ସୌଭାଗ୍ୟକୁ ଅଧିକ ଉତ୍ତେଜନା ସୃଷ୍ଟି ହେବା ପୂର୍ବରୁ ଠିକାଦାର ସେଠାରୁ ପଳାଇଥିଲେ।
ରାସ୍ତାରୋକ କରି କ୍ଷତିପୂରଣ ଦାବି କଲା କଂଗ୍ରେସ
ରାଜାର ଅକାଳ ମୃତ୍ୟୁକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଦାୟୀ କରି ବିଧାୟକ ସୁରେଶ ରାଉତରାୟ ଓ ଛାତ୍ରନେତା ୟାସିର ନଵାଜଙ୍କ ନେତୃତ୍ବରେ କଂଗ୍ରେସକର୍ମୀମାନେ ଜାଗମରା ନୂଆ ରୋଡ୍କୁ ଅବରୋଧ କରିଥିଲେ। ଡ୍ରେନ୍ରେ ସ୍ଲାବ୍ ପକାଇବା ସହିତ ରାଜା ମୃତ୍ୟୁର କ୍ଷତିପୂରଣ ବାବଦକୁ ୫୦ଲକ୍ଷ ଟଙ୍କା ଦେବାକୁ ଦାବି କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ମାର୍ଟ ସିଟି କହିକହି ବିଏମ୍ସି ସ୍ମାର୍ଟ ମୃତ୍ୟୁ ଫାଶ ବସେଇଛି ବୋଲି ସେମାନେ ସମାଲୋଚନା କରିଥିଲେ। ଜୋନ୍-୩ ଏସିପି ଭରତ ସାହୁ ବୁଝାଇବା ପରେ ରାସ୍ତାରୋକ ହଟିଥିଲା।
ବିଏମ୍ସି କମିସନରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ
ଆଜିର ଅଘଟଣକୁ ମିଶାଇ ୬ବର୍ଷରେ ଭୁବନେଶ୍ବରରେ ୭ଜଣଙ୍କ ମୁଣ୍ଡ ନେଲାଣି ମୁକୁଳା ଡ୍ରେନ୍। ମୁକୁଳା ଡ୍ରେନ୍ରେ ସ୍ଲାବ ନ ପକାଇ ବିଏମ୍ସି କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଠିକାଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ହରିଲୁଟ୍ କରୁଛନ୍ତି। ଏହି ଅଭିଯୋଗ ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ସିଧାସଳଖ ବିଏମ୍ସି କମିସନରଙ୍କ ନାଁରେ ଏହି ଅଭିଯୋଗ ହୋଇଛି।