ରଜ ମଉଜ ୨୦୧୮ ଉଦ୍‌ଯାପିତ : ଉତ୍ସବ ପ୍ରେରଣା ଓ ଉତ୍ସାହ ଯୋଗାଏ

ଭୁବନେଶ୍ୱର : ଉତ୍ସବ ଆମକୁ ଉତ୍ସାହ ଓ ପ୍ରେରଣା ଯୋଗାଏ। ଆମ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଯୁବପିଢ଼ି ସଚେତନ ହେବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ସଂଘମିତ୍ରା ସ୍ମୃତି ସଂସଦ, ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ, ମହିଳା କ୍ଲବ ଓ ଯୋଗ କ୍ଲବର ମିଳିତ ଆନୁକୂଲ୍ୟରେ ଆଇଆର୍‌ସି ଭିଲେଜ୍‌ ଏନ୍‌-୪ ଖେଳ ପଡ଼ିଆରେ ଆୟୋଜିତ ‘ରଜ ମଉଜ-୨୦୧୮’ର ଉଦ୍‌ଯାପନୀ ଉତ୍ସବରେ ସାଂସଦ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରଜ ହେଉଛି ଖାଣ୍ଟି ଓଡ଼ିଆ ଉତ୍ସବ। ଏହି ଉତ୍ସବ ପଛରେ ଅନେକ ଉଦ୍ଦେଶ୍ୟ ରହିଛି। ଏହି ଉତ୍ସବଗୁଡ଼ିକ ମୋବାଇଲ୍‌ ଫୋନ୍‌ ଚାର୍ଜର ଭଳି। ମୋବାଇଲ ଫୋନ୍‌ ଚାର୍ଜର ହଜିଲେ ଯେଭଳି ଆଜିର ପିଲାମାନେ ପାଗଳ ହୋଇପଡ଼ୁଛନ୍ତି, ସେମିତି ୧୨ ମାସରେ ୧୩ ପର୍ବ ଆମକୁ ଉତ୍ସାହ ଓ ପ୍ରେରଣା ଯୋଗାଇବା ପାଇଁ ଚାର୍ଜର ଭଳି କାମ କରେ ବୋଲି କହିଥିଲେ। ସେହିପରି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ସଭାପତି ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଆର୍‌ ଏନ୍‌ ସେନାପତି, କପିଳ ପ୍ରସାଦ ଧଳସାମନ୍ତ, ଧୀରେନ୍ଦ୍ର କୁମାର ରାୟ, ବିମଳେନ୍ଦୁ ମହାନ୍ତି, ସୁଧାଂଶୁ ପରିଜା ଓ ସୂର୍ଯ୍ୟକାନ୍ତ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ଏହି ଅବସରରେ ଆୟୋଜିତ ଗୃହଲକ୍ଷ୍ମୀ ପ୍ରତିଯୋଗିତାରେ ରାଧା ଘୋଷ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଇତିଶ୍ରୀ ବେହେରା ଦ୍ୱିତୀୟ ଓ ନଳିନୀ ପତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆମ୍ବ ପୋଡ଼ପିଠା ପାଇଁ କୁମୁଦିନୀ ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସଞ୍ଜୀବ ପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପଟ୍ଟନାୟକ, ସଚିରାଣୀ ସରାଫ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଉପକଣ୍ଠରେ ଉଦ୍‌ଯାପିତ ହେଲା ରଜ ଉତ୍ସବ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ସମେତ ରାଜଧାନୀ ଉପକଣ୍ଠର ବିଭିନ୍ନ ଅଞ୍ଚଳରେ ରଜ ଉତ୍ସବ ଶେଷ ହୋଇଛି। ଚନ୍ଦ୍ରଶେଖରପୁରସ୍ଥିତ ହାଉସିଂବୋର୍ଡ, ବିଡିଏ କଲୋନିରେ ରଜ ପର୍ବକୁ ଧୁମ୍‌ଧାମରେ ପାଳନ କରାଯାଇଥିଲା। ଶୈଳଶ୍ରୀବିହାର, ପ୍ରଶାନ୍ତିବିହାରରେ ମଧ୍ୟ ରଜ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲୋନିବାସୀ ରଜକୁ ବେଶ୍‌ ଉପଭୋଗ କରିଥିଲେ। ସେହିପରି କଲ୍ୟାଣପୁର ପଞ୍ଚାୟତର କୁଆଖାଇ ନଦୀପଠା ଓ ମେଳଣ ପଡ଼ିଆରେ ପ୍ରାୟ ୨୦୦ ଦୋଳି ଲାଗିଥିଲା। ଯେଉଁଥିରେ ଚକ୍‌ଲେଟ୍‌ ବନ୍ଧାଯାଇ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ସଂଧ୍ୟାରେ କୁନି କୁନି କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ଗୀତ, ଡ୍ରାମା, ଚିତ୍ରାଙ୍କନ ଓ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା। ରଘୁନାଥପୁର ଗ୍ରାମ ନିକଟ ତୋଟା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ନଟଖଟ ରଜ ଉତ୍ସବ। ଯାହାକୁ ପରିଚାଳନା କରିଥିଲେ ଅଭିନେତା ଶ୍ରୀନିବାସ ପଢ଼ିହାରି (ଚୁଙ୍ଗା)। ଏହି ଅବସରରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଅନେକ ଓଲିଉଡ୍‌ କଳାକାର ଯୋଗ ଦେଇଥିଲେ। ‘କଳିଙ୍ଗ ସିନେ ଆର୍ଟସ୍‌’ ପକ୍ଷରୁ ସତ୍ୟବିହାର, ମଞ୍ଚେଶ୍ୱର ପ୍ରାଥମିକ ବିଦ୍ୟାଳୟ ଓ ରଙ୍ଗମାଟିଆ ଶିଶୁ ଉଦ୍ୟାନରେ ରଜ ମଉଜ ଅନୁଷ୍ଠିତ ହୋଇଥିଲା। ରଙ୍ଗମାଟିଆ ଗ୍ରାମରେ ମଧ୍ୟ ବରିଷ୍ଠ ନାଗରିକ ସଂଘ ଓ ମା’ ବାସୁଳାଇ ଯୁବକ ସଂଘ ପକ୍ଷରୁ ରଜ ଉତ୍ସବ ପାଳିତ ହୋଇଯାଇଛି। ଗଣ୍ଡରପୁରରେ ରଜ ଉତ୍ସବ ଅବସରରେ ଅପେରା ପରିବେଷଣ କରାଯାଇଥିଲା। ଚାରିଦିନ ଧରି ବିନା ଦେୟରେ ପରିବେଷିତ ଏହି ଅପେରାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ।

ପ୍ରିମିୟର ଏଣ୍ଟର୍‌ଟେନ୍‌ମେଣ୍ଟ ଆଣ୍ଡ୍‌ ଇଭେଣ୍ଟ୍‌ସ୍‌ ପକ୍ଷରୁ ‘ରଜ ଉତ୍ସବ-୨୦୧୮’

ଭୁବନେଶ୍ୱର : ପ୍ରିମିୟର ଏଣ୍ଟରଟେନ୍‌ମେଣ୍ଟ ଆଣ୍ଡ୍‌ ଇଭେଣ୍ଟ୍‌ସ୍‌ ପକ୍ଷରୁ ଦ୍ୱିତୀୟ ‘ରଜ ଉତ୍ସବ-୨୦୧୮’ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ବିଜେଡ଼ି ଛାତ୍ରନେତା ଅଜିତ ବେହେରା, ଅବସରପ୍ରାପ୍ତ ପ୍ରଶାସକ ବିନୋଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମିସ୍‌ ରଜ କୁଇନ୍‌ ଏବଂ ‘ମିସେସ୍‌ ରଜ କୁଇନ୍‌’ ପ୍ରତିଯୋଗିତା। ଆଜିର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇଥିଲେ। ଓଡ଼ିଶା କଂଗ୍ରେସ କମିଟି ଓବିସି ସେଲ୍‌ ଅଧ୍ୟକ୍ଷ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରିମିୟର ଏଣ୍ଟରଟେନ୍‌ମେଣ୍ଟ ଆଣ୍ଡ୍‌ ଇଭେଣ୍ଟ୍‌ସ୍‌ର ପରିଚାଳନା ନିର୍ଦ୍ଦେଶକ ଏସ୍‌ ବିଜୟଶ୍ରୀ ଓ ନିର୍ଦ୍ଦେଶିକା ଉତ୍ପର୍ଣ୍ଣ ଦାଶ ଏଥିରେ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ମିଶ୍ର ଓ ଜଗନ ଜେନା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର