ସଂସ୍କୃତି ଚର୍ଚ୍ଚାରେ ‘ଓଡ଼ିଶାରେ ରଜ ପର୍ବ’

ଭୁବନେଶ୍ୱର: ବସୁଧା ପୂଜା, ଆତ୍ମୀୟତା ଓ ଆନନ୍ଦ-ଉଲ୍ଲାସର ଗଣପର୍ବ ‘ରଜ’ ହେଉଛି ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ। ଏହା ସମ୍ପର୍କ ଓ ସଂପ୍ରୀତିର ପଥ ପ୍ରଶସ୍ତ କରିଥାଏ। ‘ଓଡ଼ିଶାରେ ରଜ ପର୍ବ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଟ ସାହିତ୍ୟିକା ତଥା ଚିକିତ୍ସିକା ସରୋଜିନୀ ଷଡ଼ଙ୍ଗୀ। ଆଜି ରାଜ୍ୟ ଅଭିଲେଖାଗାରଠାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ ଏହି ଆଲୋଚନା ଉପରେ ପର୍ଯ୍ୟବସିତ ଥିଲା। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ରଜ ପର୍ବର ବୈଜ୍ଞାନିକ ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ପର୍ବ ଉର୍ବରତା ଓ ଉତ୍ପାଦକତାର ସଂକେତ ବହନ କରେ। ପୁଣି ଏହି ପର୍ବରେ ଦୋଳି ଖେଳ ଯେତିକି କୌତୂହଳପୂର୍ଣ୍ଣ, ସେତିକି ଶରୀର ପାଇଁ ହିତକାରୀ ମଧ୍ୟ। ଡାକ୍ତର ଷଡ଼ଙ୍ଗୀ କହିଲେ, ଦୋଳି ଖେଳ ଦ୍ୱାରା ଆମ ଶରୀରର ୨୫ ପ୍ରତିଶତ ନିଷ୍ପ୍ରାଣ ଜୀବକୋଷ ସଜୀବ ହୋଇଯାଏ। ଦୋଳି ଖେଳ ସମୟରେ ସୃଷ୍ଟ ଭୟ, ଆତଙ୍କ ଓ ଉତ୍ତେଜନା ଶରୀରକୁ ସକ୍ରିୟ କରିଦିଏ। ବୟସ୍କମାନେ ଦୋଳି ଖେଳିବା ଦ୍ୱାରା ସେମାନଙ୍କ ଆୟୁ ବୃଦ୍ଧି ମଧ୍ୟ ହୋଇଥାଏ ବୋଲି ସେ କହିଥିଲେ। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ ଓ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର