ନନ୍ଦନକାନନରେ ରଜ ପ୍ରସ୍ତୁତି

ବାରଙ୍ଗ: ରଜ ଉତ୍ସବକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ଶୃଙ୍ଖଳା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ରଜ ଅବସରରେ ନନ୍ଦନକାନନ ପରିସରରେ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି। ଏପରିକି କର୍ମଚାରୀଙ୍କ ଗାଡ଼ି ମଧ୍ୟ ଏହା ପରିସରରେ ଗଡ଼ିପାରିବ ନାହିଁ ବୋଲି କୁହାଯାଇଛି। ଜରୁରୀ ସେବା ପାଇଁ ନନ୍ଦନକାନନ ବ୍ୟାଟେରି ଚାଳିତ ଗାଡ଼ିକୁ ବ୍ୟବହାର କରାଯିବ। ନନ୍ଦନକାନନ ପଛ ପାଖ ଦାରୁଠେଙ୍ଗ ଗାଁ ପାଖ ୧ ନମ୍ବର ପ୍ରବେଶ ଫାଟକ ତିନି ଦିନ ବନ୍ଦ ରହିବ। କାଞ୍ଜିଆ ହ୍ରଦ ପାର୍ଶ୍ୱ ରାସ୍ତାରେ ଚଳାଚଳ ବନ୍ଦ କରାଯିବ। ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ଟିକେଟ୍‌ କାଉଣ୍ଟର୍‌ ମଧ୍ୟ ଖୋଲାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ମଧ୍ୟ ଉପସ୍ଥିତ ରହିବେ। ପାର୍କିଂ ବାହାରେ ଗାଡ଼ି ରଖିବାକୁ ବାରଣ କରାଯାଇଥିବା ବେଳେ ଜୋର ଜବରଦସ୍ତ ଫି’ ଆଦାୟ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର