ଆଜି ସାଙ୍ଗସାଥୀଙ୍କ ମେଳରେ ସଜବାଜ: ସଟ୍‌ଡାଉନ୍‌ରେ ଘରେ ପହଞ୍ଚିବ ଓଟିଡିସିର ପିଠା

ଭୁବନେଶ୍ବରର ୬ ଛକରେ ମିଳିବ ରଜ ପିଠା

ଭୁବନେଶ୍ବର: ଦୋଳିରେ ଝୁଲିବେନି। ବୁଲାବୁଲି କରିପାରିବେନି। ସିନେମା ଦେଖିବାର ମଜା ପାଇବେନି। ମାତ୍ର ସଜ ହେବେ। ନୂଆ ଡ୍ରେସ ପିନ୍ଧିବେ। ଘରେ ପିଠାର ମଜା ନେବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ସାଙ୍ଗସାଥୀଙ୍କ ମେଳରେ ଆରମ୍ଭ ହୋଇଯିବ ସଜବାଜ। ଏଥର ଆଉ ମାର୍କେଟ ବିଲ୍‌ଡିଂ ଯାଇ ହାତରେ ମେହେନ୍ଦି ଆଙ୍କିବାର ସୁଯୋଗ ମିଳିବ ନାହିଁ। ବରଂ ଘରେ ସାଙ୍ଗ ସାଥୀମାନେ ପରସ୍ପର ହାତରେ ମେହେନ୍ଦି ଲଗାଇବେ। କରୋନା ସିନା କିଛିଟା କଟକଣା ଲଦି ଦେଇଛି, କିନ୍ତୁ ପୁଣି ‌ସାଙ୍ଗସାଥୀଙ୍କ ମେଳରେ ସଜବାଜ ହେବାର ଅପୂର୍ବ ସୁଯୋଗ ଆଣି‌ ଦେଇଛି।

ସଟ୍‌ଡାଉନ୍‌ ପାଇଁ ଆଜିଠୁ ରାଜଧାନୀବାସୀ କିଣାକିଣି କାମ ସାରି ଦେଇଛନ୍ତି। ରଜରେ ଏଥର ପାର୍କ କିମ୍ବା ପାନ୍ଥନିବାସରେ ଦୋଳି ଖେଳର ସୁଯୋଗ ମିଳିବନି। ତେଣୁ ଏନେଇ କେହିକେହି ଘରେ ଦୋଳି ବାନ୍ଧିଲେଣି। ରଜରେ ପିଠା ଖାଇବାକୁ ଅନେକ ରେସ୍ତୋରାଁ ଓ ହୋଟେଲକୁ ଯାଉଥିଲେ। ଏଥର କିନ୍ତୁ ଘରେ ପିଠା ପାଇଁ ଆଣ ପ୍ରସ୍ତୁତ କରିବେ ବୋଲି ମନସ୍ଥ କରିସାରିଲେଣି। ସହର ମଧ୍ୟରେ ହୁଏତ କେହି କାହା ଘରକୁ ଯିବେ ନାହିଁ। ମାତ୍ର ଉପକଣ୍ଠରେ ସାଙ୍ଗସାଥୀଙ୍କ ମେଳରେ ସଜବାଜ ଜମିବ।

କରୋନା କଟକଣା ପାଇଁ ଏଥର ରଜ ଉତ୍ସବ ଫିକା ପଡ଼ିବ। ବର୍ଷକୁ ଥରେ ଲୋକେ ଚାହିଁ ରହୁଥିବା ଓଟିଡିସିର ପିଠା ପାଇଁ ନିରାଶ ହେବାକୁ ପଡ଼ିବ ନାହିଁ। ରାଜଧାନୀବାସୀଙ୍କୁ ପିଠା ଚଖେଇବା ପାଇଁ ଓଟିଡିସି ଆରମ୍ଭ କରିଛି ‘ପିଠା ଅନ୍‌ ହ୍ବିଲ୍‌’ ଓ ‘ହୋମ ଡେଲିଭରି’ ଅଭିଯାନ। ଆଜି ଅପରାହ୍‌ଣରେ ପାନ୍ଥନିବାସରେ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ଆର୍‌.ଯାଦବ ଏହାକୁ ଉଦଘାଟନ କରିଛନ୍ତି। ୧୩ ଓ ୧୪ ତାରିଖ‌ ସଟ୍‌ଡାଉନ୍‌ ରହୁଥିଲେ ମଧ୍ୟ ଲୋକେ ଘରେ ଅର୍ଡର ଦେଇ ପିଠା ପାଇପାରିବେ। ଭୁବନେଶ୍ବର ପାନ୍ଥନିବାସର ୩ରୁ ୫ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଲୋକମାନେ ହିଁ କେବଳ ପିଠା ମଗାଇ ପାରିବେ। ଦୁଇଦିନ ସଟ୍‌ଡାଉନ୍‌ ମଧ୍ୟରେ ପିଠା ମଗାଇବାକୁ ଚାହୁଁଥିବା ଲୋକେ ମୋବାଇଲ୍ ନମ୍ବର ୯୦୭୮୮୮୫୫୧୬, ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭କୁ ଫୋନ କରି ମଗାଇପାରିବେ। ଏତଦ ବ୍ୟତୀତ ୧୫ରୁ ୧୭ ତାରିଖ ମଧ୍ୟରେ ‘ପିଠା ଅନ ହ୍ବିଲ୍‌’ ବ୍ୟବସ୍ଥା ହୋଇଛି। ଏହା ଜରିଆରେ ଭୁବନେଶ୍ବରରେ ୬ଟି ସ୍ଥାନ ତଥା ଜୟଦେବ ବିହାର, ରୂପାଲି ଛକ, ଖଣ୍ଡଗିରି ଛକ, ସିଆର୍‌ପି ଛକ, ପୋଖରୀପୁଟ ଛକ ଓ ନୀଳାଦ୍ରିବିହାର ଛକରେ ଓଟିଡିସି ପକ୍ଷରୁ ପିଠା ଉପଲବ୍ଧ ହେବ। ସମ୍ବଲପୁର ସହରରେ ମଧ୍ୟ ‘ପିଠା ଅନ ହ୍ବିଲ୍‌’ ବ୍ୟବସ୍ଥା ରହିଛି। କେତେକ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ଓଟିଡିସି ପକ୍ଷରୁ ସାମିଲ୍‌ କରାଯାଇଛି। ଏହା ବ୍ୟତୀତ କଟକ, ରାଉରକେଲା ପାନ୍ଥନିବାସରେ ମଧ୍ୟ ରଜପିଠା ବିକ୍ରି ନିମନ୍ତେ ସ୍ବତନ୍ତ୍ର କାଉଣ୍ଟର ଖୋଲା ରହିବ। ମାସ୍କ ପିନ୍ଧି, ସାମାଜିକ ଦୂରତ୍ବ କଟକଣା ପାଳନ କରି ଲୋକେ ରଜ ପିଠା କିଣିପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର