ପଞ୍ଚସଖାନଗରରେ ରଜମେହାତ୍ସବ : ଓଡ଼ିଆର ନିଜସ୍ୱ ସତ୍ତା ବଜାୟ ରହୁ

ଖଣ୍ଡଗିରି : ରଜ ହେଉଛି ମା’ ଓ ମାଟିର ପୂଜାର ପର୍ବ। ଶକ୍ତି ପୂଜାର ପର୍ବ। ଧାର୍ମିକ, ଅର୍ଥନୀତିକ ଓ ସାମାଜିକ ଭାବର ଆଧାର ଉପରେ ସୃଷ୍ଟି ଏହି ପର୍ବଟି ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ରଖେ। ଏଥିରେ ରହିଛି ଓଡ଼ିଆ ଜାତିର ନିଜସ୍ୱ ସତ୍ତା। ଓଡ଼ିଆ ଜାତିର ଏହି ସତ୍ତାକୁ ବଜାୟ ରଖିବାକୁ ହେବ। ଖାଣ୍ଟି ଓଡ଼ିଆ ଢ଼ଙ୍ଗରେ ରଜକୁ ପାଳନ କଲେ ଆମ ଜାତିର ସତ୍ତା ତିଷ୍ଠି ରହିବ। ଏହା ହିଁ ହେଉଛି ଆଜିର ଆହ୍ଵାନ। ସ୍ଥାନୀୟ ପଞ୍ଚସଖା ନଗର ମହିଳା ଆସୋସିଏସନ୍‌ ପକ୍ଷରୁ ବେଲେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ରଜ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଏଭଳି ଆହ୍ଵାନ ଦେଇଛନ୍ତି। ମହିଳା ଆସୋସିଏସନ୍‌ର ସଭାନେତ୍ରୀ ଅନ୍ନପୂର୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ମୁଜାହିଦ୍ଦ୍‌ ହୁସେନ୍‌ ଓ ପଞ୍ଚସଖାନଗର ଉନ୍ନୟନ ପରିଷଦର ସଭାପତି ଦୀନବନ୍ଧୁ ପରିଡ଼ା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଉପସଭାନେତ୍ରୀ ବୀଣାପାଣି ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଏହି ଅବସରରେ ବେଲେଶ୍ୱର ମନ୍ଦିର ପରିସରରେ ଏକ ମେଳା ବସି ଯାଇଥିଲା। ମହିଳା ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ ପ୍ରକାର ପିଠା ଷ୍ଟଲ୍‌ ଓ ପାନ ବଜାର ବସିଥିଲା।

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ ପକ୍ଷରୁ ରଜ ଉତ୍ସବ

ଭୁବନେଶ୍ୱର : ଭାରତର ଅଗ୍ରଣୀ ପର୍ସନାଲ କେୟାର ବ୍ରାଣ୍ଡ୍‌ ପଣ୍ଡସ୍‌ ଏବଂ ଡୋଭ୍‌ ପକ୍ଷରୁ ଭୁବନେଶ୍ୱରରେ ରଜ ଉତ୍ସବ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ ଓଡ଼ିଶା ତଥା ଝାଡ଼ଖଣ୍ଡର କଞ୍ଜୁମର କ୍ଲଷ୍ଟର ମୁଖ୍ୟ ଶ୍ରୀ ବିକ୍ରାନ୍ତ ସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ ଓଡ଼ିଶା ତଥା ଝାଡ଼ଖଣ୍ଡର କଞ୍ଜ୍ୟୁମର୍‌ କ୍ଲଷ୍ଟର ମୁଖ୍ୟ ବିକ୍ରାନ୍ତ ସିନ୍ଧେ କହିଲେ, ପଣ୍ଡସ୍‌ ଏବଂ ଡୋଭ୍‌ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଅନ୍ତର୍ଗତ ରଜ ଅବସରରେ ମହିଳାଙ୍କ ଉପଯୋଗୀ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସେମାନଙ୍କ ତ୍ୱଚାର ଯତ୍ନ ପାଇଁ ଉପଯୁକ୍ତ ସଚେତନତା ଲାଗି ଆବଶ୍ୟକ ଶିକ୍ଷା ପ୍ରଦାନ କରାଯିବ। ଉଜ୍ଜ୍ୱଳ ତ୍ୱଚା ଏବଂ କେଶ ପାଇଁ ଫେସ୍‌ୱାସ୍‌ ଏବଂ କଣ୍ଡିସନର୍‌ ଉପଯୋଗିତା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ।’

ଏଲ୍‌ଜି ପକ୍ଷରୁ ‘କୁକ୍‌ ଇଜି ଉଇଥ୍‌ ଏଲ୍‌ଜି’ ପ୍ରତିଯୋଗିତା

ଭୁବନେଶ୍ୱର : ରଜ ଉପଲକ୍ଷେ ଏଲ୍‌ଜି ମାଇକ୍ରୋଓଭନ୍‌ ପକ୍ଷରୁ ରୋଷେଇ ପ୍ରତିଯୋଗିତା ‘କୁକ୍‌ ଇଜି ଉଇଥ୍‌ ଏଲ୍‌ଜି’ ଆଜି ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିଅନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାରା ଓଡ଼ିଶାରୁ ୫୦ରୁ ଊର୍ଧ୍ୱ ମହିଳା ଯୋଗ ଦେଇଥିଲେ। ୬ଟି ଗ୍ରୁପ୍‌ରେ ସେମାନଙ୍କୁ ଭାଗ କରି ଏହି ପ୍ରତିଯୋଗିତା ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ସେଲିବ୍ରିଟି ସେଫ୍‌ ସବ୍ୟସାଚୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଲ୍‌ଜିର ଆଞ୍ଚଳିକ ମାର୍କେଟିଂ ମ୍ୟାନେଜର୍‌ ଦେବାଶିଷ ମିଶ୍ର ଓ ବ୍ରାଞ୍ଚ ମ୍ୟାନେଜର ମନୀଷ ସିଂଘଲ ପ୍ରମୁଖ ଉପସ୍ଥିତ ଥିଲେ।

୩୧ ପ୍ରକାର ପିଠା ସହ ଟମାଟୋ ବରାରେ ରଜ ଉତ୍ସବ

ଭୁବନେଶ୍ୱର : ‘ଶତାକ୍ଷୀ ମହିଳା ସଂଗଠନ’ ପକ୍ଷରୁ କେ-୪ କଳିଙ୍ଗ ନଗରଠାରେ ରଜ ଉତ୍ସବ ପାଳିତ ହୋଇଯାଇଛି। ୩୧ ପ୍ରକାର ପିଠା ସମେତ ୫ ପ୍ରକାର ପୋଡ଼ ଓ ଟମାଟୋ ବରା ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ପ୍ରାୟ ୧୦୦ରୁ ଊର୍ଧ୍ୱ ମହିଳା ଏଥିରେ ଯୋଗ ଦେଇଥିବା ବେଳେ ଦୋଳି ଝୁଲା, ପାନଖିଆ ଓ ପୁଚି ଖେଳର ଆସର ବେଶ୍‌ ଜମିଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଦିଲ୍ଲୀପ କୁମାର ମାଝୀ ଓ ୩୯ ନଂ ଓ୍ଵାର୍ଡ କର୍ପୋରେଟର ଅଶ୍ୱିନୀ ସୁନ୍ଦରରାୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ସବିତାରାଣୀ ପୃଷ୍ଟି ଓ ସଂପାଦିକା ମମତା ବିଶ୍ୱାଳ ପରିଚାଳନା କରିଥିଲେ।

ପାନ୍ଥ ନିବାସରେ ଆଜି ବି ବିକ୍ରି ହେବ ପିଠା

ରବିବାର ଥିବାରୁ ପାନ୍ଥ ନିବାସରେ ରଜ ପର୍ବର ନିର୍ଧାରିତ କାର୍ଯ୍ୟକ୍ରମକୁ ଆଉ ଦିନେ ବଢ଼ାଇ ଦିଆଯାଇଛି। ତେଣୁ ଆସନ୍ତାକାଲି ମଧ୍ୟ ଦୋଳି ଖେଳିବା ସହ ପାନ୍ଥ ନିବାସରେ ପିଠା ବିକ୍ରି ହେବ ବୋଲି ସୂଚନା ମିଳିଛି। ଆଜି ପାନ୍ଥ ନିବାସରେ ୧ଲକ୍ଷ ୧୮ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ଆସନ୍ତାକାଲି ରବିବାର ଥିବାରୁ ଲୋକଙ୍କର ପିଠା ପ୍ରତି ଆଗ୍ରହ ଦେଖି କାଲି ପୁଣି ପିଠା ବିକ୍ରୟ କରାଯିବ। ସେହିପରି କିଛି ସଂଗଠନ ପକ୍ଷରୁ ମଧ୍ୟ ରଜ ପର୍ବକୁ ନିଆରା ଢଙ୍ଗରେ ପାଳିବାକୁ ବ୍ୟବସ୍ଥା ହୋଇଛି।

୧୫୧ ଦୋଳି ଦେଖି ଖୁସି ପ୍ରକଟ କଲେ ରାଜ୍ୟପାଳ

ପାତ୍ରପଡ଼ା ଓ ଭଗବାନପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ରଜ ଉତ୍ସବରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସାମିଲ୍‌ ହୋଇ ଦୋଳି ବୁଲି ଦେଖିଥିଲେ। ପିଲାମାନଙ୍କୁ ଦୋଳି ଖେଳାଇବା ସହ ବକ୍ତବ୍ୟ ଦେଇଥିଲେ। ଆଜି ଝିଅମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ବିଜେପି ନେତା ସମୀର ମହାନ୍ତି, ବିଶ୍ୱରଂଜନ ବଡ଼ଜେନାଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

ପ୍ରଚଣ୍ଡ ଖରା ସତ୍ତ୍ୱେ ନନ୍ଦନକାନନରେ ଭିଡ଼ : ତୃତୀୟ ରଜରେ ୩୦,୦୧୧ ଟିକେଟ ବିକ୍ରି

ବାରଙ୍ଗ : ଶେଷ ରଜରେ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ଆଜି ଏଠାରେ ୩୦, ୦୧୧ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ଏ ବାବଦକୁ ରାଜସ୍ୱ ଆଦାୟ ହୋଇଛି ୧୨,୬୭,୧୭୦ଟଙ୍କା। ସେହିପରି ଦ୍ୱିତୀୟ ରଜରେ ୩୦,୮୯୬ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ୱ ଆଦାୟ ହୋଇଛି ୧୩,୨୨,୮୦୦ଟଙ୍କା। ଚଳିତ ବର୍ଷ ରଜ ତିନି ଦିନରେ ମୋଟ ଟିକେଟ ୮୨,୯୩୭ ଟିକେଟ୍‌ ବିକ୍ରି ହୋଇଛି। ଏ ବାବଦକୁ ରାଜସ୍ୱ ଆଦାୟ ହୋଇଛି ୨୫,୩୪,୨୮୦ଟଙ୍କା। ଗତ ବର୍ଷ ରଜ ତିନି ଦିନରେ ୭୮,୨୦୩ଟି ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ୱ ଆଦାୟ ହୋଇଥିଲା ୨୬,୭୭,୬୫୦ଟଙ୍କା। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପ୍ରଥମ ରଜରେ ୧୨୦୬ଟି ଟିକେଟ୍‌ ବିକ୍ରି ହୋଇ ରାଜସ୍ୱ ଆଦାୟ ହୋଇଥିଲା ୪୧,୧୮୦ଟଙ୍କା। ଦ୍ୱିତୀୟ ରଜରେ ଟିକେଟ ବିକ୍ରି ୧୨୭୩ ବାବଦକୁ ୪୫,୫୫୦ଟଙ୍କା ଓ ତୃତୀୟ ରଜରେ ୧୩୬୪ଖଣ୍ଡ ଟିକେଟ ବିକ୍ରି ବାବଦକୁ ୪୭,୮୪୦ଟଙ୍କା ରାଜସ୍ୱ ଆଦାୟ ହୋଇଛି। ରଜ ତିନି ଦିନରେ ମୋଟ ୩,୮୪୩ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ୱ ଆଦାୟ ହୋଇଛି ୧,୩୪,୫୭୦ଟଙ୍କା।

ସମ୍ବନ୍ଧିତ ଖବର