ମଶାଲ ପକ୍ଷରୁ ରଜ ମହୋତ୍ସବ

ଭୁବନେଶ୍ବର: କୁଡ଼ିଆ ଘର। ଘର ସମ୍ମୁଖରେ କଦଳୀ ଗଛ। ପୁଣି ଚକୁଳି, ମଣ୍ତାର ବାସ୍ନା। ପୁଚିଖେଳ ସାଙ୍ଗକୁ ରଜ ଦୋଳି ଓ ପାନର ସମ୍ଭାର। ଭ୍ରମ ସୃଷ୍ଟି କରୁଛି ଗାଁ ପରିବେଶର। ଅବସର ଥିଲା ରାଜ୍ୟ ସ˚ସ୍କୃତି ବିଭାଗ ସହଯୋଗରେ ସା˚ସ୍କୃତିକ ଅନୁଷ୍ଠାନ ‘ମଶାଲ’ ପକ୍ଷରୁ ରବୀନ୍ଦ୍ର ମଣ୍ତପଠାରେ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବ। ମଶାଲର କବି ସମ୍ମିଳନୀ, ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ରଜ ଉପରେ ନୃତ୍ୟାଭିନୟ, ଅନୁରାଧା ପାଣିଗ୍ରାହୀ ଓ ଅମ୍ରିତା ଅମୃତାୟନୀଙ୍କ ସଙ୍ଗୀତ ପରିବେଷଣ, ଶିଳ୍ପୀକାଙ୍କ ସୃଜନଶୀଳ ନୃତ୍ୟ ତଥା ସମ୍ବଲପୁରୀ ମେଲୋଡିରେ ମଞ୍ଚ ଦୁଲୁକିଥିଲା। କୁନି ପିଲାଙ୍କ ମଧ୍ୟରେ ପୁଚି ଖେଳ ପ୍ରତିଯୋଗିତା, ମହିଳାମାନଙ୍କ ମଧ୍ୟରେ ପିଠା ଓ ଚିତା ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜଶ୍ରୀ ମହାନ୍ତିଙ୍କୁ ‘ମଶାଲ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା।

ପ୍ରେକ୍ଷାଳୟ ବାହାରେ ଖୋଲିଥିବା ଷ୍ଟଲରେ ପାନଠାରୁ ଆରମ୍ଭ କରି ଚାଉଳ ଓ ବିରି ପୋଡ଼ ପିଠା, ଛେନା, ଆରିସା, କାକରା, ମୁଗ, ଆଳୁ ମଟର ମଣ୍ତା, ଚକୁଳି ସହ ଚିକେନ୍‌ ଓ ମଟନ୍‌ର ମଜା ଗ୍ର‌ାହକମାନେ ଉଠାଇଥିଲେ। ମଣ୍ତପ ପରିସରରେ ମହିଳାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରୁଷ ମାନଙ୍କ ମଧ୍ୟରେ ପଶା ଖେଳ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ କାର୍ଯ୍ୟକ୍ରମ ଶେଷରେ ପୁରସ୍କୃତ କରାଯାଇଥିଲା। ବ୍ୟାସକବି ଫକିର‌ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ମଞ୍ଚସ୍ଥ ହୋଇଥିଲା ଗଳ୍ପ ‘ରେବତୀ’ର ନାଟ୍ୟ ରୂପାନ୍ତର। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ ନାୟକ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରେଷ୍ଠ ବିବେଚିତ ଓଡ଼ିଆଣୀଙ୍କୁ ‘ମଶାଲ ରୁଚିଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ତାପସ ସାମନ୍ତରାୟ।

ସମ୍ବନ୍ଧିତ ଖବର