ତ୍ରିଶକ୍ତି ମହିଳା ପରିଷଦର ରଜ ମହୋତ୍ସବ

ମହିଳା ବିଦ୍ରୋହ ଜାଣେ, କିନ୍ତୁ ଭଲ ପାଏନି

ଖଣ୍ଡଗିରି:ମହିଳା ବିଦ୍ରୋହ କରି ଜାଣେ। କିନ୍ତୁ ବିଦ୍ରୋହକୁ ସେ ଘୃଣା କରେ। କାରଣ ସଂଘର୍ଷ‌‌‌‌‌‌‌ରେ ସଫଳତା ପାଇବା କଳା ତାକୁ ଜଣା। ମହିଳା ନିକଟରେ ସର୍ଜନା କରିବାର ଶକ୍ତି ରହିଛି, ସହିବାର ଶକ୍ତି ରହିଛି ଓ ସମ୍ପର୍କ ଗଢ଼ିବାରେ ସେ ନିପୁଣା। ତେଣୁ ପରିବାର ଭଳି ଏକ ଜଟିଳ ସଂସ୍ଥାକୁ ସୁନ୍ଦର କରି ଗଢ଼ି ତୋଳୁଥିବା ମା’ଟିଏ ସକଳ ଶକ୍ତିର ଆଧାର। ସେ ହିଁ ଦୁନିଆକୁ ସରସ ସୁନ୍ଦର କରି ଗଢ଼ିପାରିବ। ଶୁକ୍ରବାର ପହିଲି ରଜ ଅବସରରେ ବରମୁଣ୍ଡା ଗାଁ ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ଆୟୋଜିତ ରଜ ମହୋତ୍ସବରେ ଅତିଥିମାନେ ଏପରି କହିଛନ୍ତି। ପରିଷଦର ଉପଦେଷ୍ଟା ତଥା ସମ୍ବାଦର ସମ୍ପାଦକ(ଫିଚର୍) ଓ କଥାକାର ଡ. ଗୌରହରି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ଲେଖିକା ଡ. ହିରଣ୍ମୟୀ ମିଶ୍ର ମୁଖ୍ୟବକ୍ତା, ମିସନ୍ ଶକ୍ତିର ରାଜ୍ୟ ସଂଯୋଜିକା ନନ୍ଦିତା ମହାନ୍ତି, ଭୁବନେଶ୍ବର ସିଡିପିଓ ମଞ୍ଜୁଲତା ନାୟକ, ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପରିଷଦର ସଭାନେତ୍ରୀ ସଂଯୁକ୍ତା ଭୂତିଆ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିବା ବେଳେ ସମ୍ପାଦିକା ବନଜା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଦେଇଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ସମ୍ବନ୍ଧିତ ଖବର