ବନସ୍ତେ ଡାକିଲା ଗଜ.. ପାନ୍ଥନିବାସ, ରାଜ୍ୟ ସଂଗ୍ରହାଳୟ ଓ ସିନେମା ହଲ୍‌ରେ ପ୍ରବଳ ଭିଡ଼

ଭୁବନେଶ୍ବର ସହର ଭିତରେ ନହେଲେ ହେଁ ଉପକଣ୍ଠରେ ଥିବା ଜଙ୍ଗଲରେ ଗଜ ବା ହାତୀ ଅଛନ୍ତି। ବହୁଦିନ ଧରି ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ କଷ୍ଟ ପାଇବାପରେ ଅଚାନକ ବର୍ଷାରେ ପାଗ ବଦଳିଯିବାରୁ ସେ ହାତୀମାନେ ଖୁସିରେ ଡାକ ପାରିଥିଲେ କି ନା ଜଣାନାହିଁ। କିନ୍ତୁ ପ୍ରକୃତିର ବରଦାନ ଭଳି ହଠାତ୍‌ ଆସିଥିବା ରଜପାଗରେ ରାଜଧାନୀରେ ରଜକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଉପକଣ୍ଠର ଗାଁ ସହିତ ସହର ଭିତରର ସବୁବର୍ଗ ଓ ବୟସର ଲୋକେ ଏହାକୁ ଯେମିତି ପାଳନ କରୁଛନ୍ତି, ତାହା ଦେଖିବାର କଥା। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବିଭିନ୍ନ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରଜ ପାଳନର ଯେଉଁ ସୁନ୍ଦର ଆୟୋଜନ ହୋଇଛି, ତାହା ଆଗାମୀ ବର୍ଷଗୁଡ଼ିକରେ ଆହୁରି ବଢ଼ିବାର ସୂଚନା ମିଳୁଛି।

ଗୁଳୁଗୁଳି କମିନଥିଲେ ବି ବିଶେଷ ଖରା ନଥିଲା ଆଜି। ତେଣୁ ରାଜ୍ୟର ଏହି ଗଣପର୍ବ‌କୁ ଉପଭୋଗ କରିବା ପାଇଁ ଆଜି ବୁଲାବୁଲି ଜମିଯାଇଥିଲା। ସୁସଜ୍ଜିତ ଦୋଳି ସହିତ ପୋଡ଼ପିଠାର ମଜା ଆଜି ପାନ୍ଥନିବାସରେ ମହିଳାମାନଙ୍କୁ ବାନ୍ଧି ରଖିଥିଲା। କେବଳ ସେତିକି ନୁହେଁ, ସେଲଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ଧାଡ଼ି ଲମ୍ବିଥିଲା। ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବତୀ ଓ ମହିଳାଙ୍କ ଗହଳି ଜମିଯାଇଥିଲା ଏହାର ପରିସରରେ। ସମସ୍ତେ ପରସ୍ପରକୁ ରଜର ଅଭିନନ୍ଦନ ଜଣାଇବା ସହ ପାରମ୍ପରିକ ରଜଗୀତ ଗାଇ ହସଖୁସିରେ ମସଗୁଲ୍‌ ହୋଇଯାଇଥିଲେ।
ରାଜ୍ୟ ସଂଗ୍ରହାଳୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ସକାଳ ୯ ଟାରୁ ଗହଳି ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ପ୍ରଦର୍ଶନୀ କକ୍ଷ ବୁଲିବା ସହିତ ରଜଦୋଳି, ପାନ, ଗୁପଚୁପ୍‌, ଚାଚ୍‌ ପରି ଖାଦ୍ୟ ପଦାର୍ଥର ମଜା ଉଠାଇଥିଲେ ଦର୍ଶକ। ପୁଣି ସଂଗ୍ରହାଳୟରେ ଆଜି ନୂଆକରି ଉଦ୍‌ଘାଟିତ ହୋଇଥିବା ଯନ୍ତ୍ରଚାଳିତ ଡାଇନୋସର୍‌ ଛୋଟପିଲା ସହିତ ଯୁବପିଢ଼ିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାର ସ୍ୱର ଓ ଶରୀର ସତ ଡାଇନୋସର୍‌ ଭଳି ବୋଧ ହେଉଥିଲା। ତେଣୁ ଏହା ନିକଟରେ ଫଟୋ ଉଠାଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ସେହିପରି ରବୀନ୍ଦ୍ରମଣ୍ଡପରେ ପୂରା ଗ୍ରାମ୍ୟ ଶୈଳୀରେ ରଜପର୍ବ ପାଳନ ହୋଇଥିବାରୁ ସେଠାରେ ମଧ୍ୟ ବହୁ ଜନସମାଗମ ହୋଇଥିଲା। ସେହିପରି ଜନଜାତି ସଂଗ୍ରହାଳୟ, ପଠାଣି ସମାନ୍ତ ପ୍ଲାନେଟୋରିୟମ, ନନ୍ଦନକାନନ, ଧଉଳି ଆଦି ସ୍ଥାନରେ ଭିଡ଼ ଜମିଥିଲା।

କାହା ପାଇଁ ପର୍ବତ କାହା ପାଇଁ ଦାୟିତ୍ୱ
କଥାରେ ଅଛି କର୍ମ ହିଁ ଭଗବାନ। ଆଜି ସାରା ରାଜ୍ୟର ମହିଳାମାନେ ରଜପର୍ବ ଧୁମଧାମରେ ପାଳନ କରୁଥିଲା ବେଳେ ମହିଳା ପୁଲିସ, ଡାକ୍ତର, ନର୍ସ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବହୁ ମହିଳାଙ୍କ ପାଇଁ ଆଜି ବଡ଼ ଦାୟିତ୍ୱର ଦିନ ଥିଲା। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ କାମରେ ଲାଗିଥିଲେ। କିଛି ସଂସ୍ଥାରେ କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ସଂସ୍ଥା ପରିସରରେ ଦୋଳି ଓ ପିଠାର ବ୍ୟବସ୍ଥା କରା ଯାଇଥିବା ଦେଖାଯାଇଥିଲା।

ନନ୍ଦନକାନନରେ ୧୭,୪୪୬ ପର୍ଯ୍ୟଟକ

ବାରଙ୍ଗ: ଆଜି ପହିଲି ରଜରେ ଅନୁକୂଳ ମେଘୁଆ ପାଗ ଲାଗି ରହିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଆଜି ୧୭,୪୪୬ ଜଣ ପର୍ଯଟକ ନନ୍ଦନକାନନ ବୁଲିଥିବା ଟିକେଟ୍‌ ବିକ୍ରିରୁ ଜଣାପଡ଼ିଛି। ଗତବର୍ଷ ପହିଲି ରଜରେ ୧୨,୮୩୬ ପର୍ଯ୍ୟଟକ ଆସିଥିଲେ। ପୁରୁଣା ରେକର୍ଡ ଅନୁସାରେ ୨୦୧୮ମସିହା ପହିଲି ରଜରେ ଟିକେଟ୍‌ ବିକ୍ରି ୨୨,୦୩୦ ଥିଲା। କରୋନା ପରଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିଲା। ଆଜି ରାଜ୍ୟ ଉଦ୍ଭିଦ ଉଦ୍ୟାନ ଭ୍ରମଣ ପାଇଁ ୧୫୭୯ ଟିକେଟ୍‌ ବିକ୍ରି ହୋଇଛି।

ଗାଁ ଗାଁରେ ଜମିଲା ଗୁଡୁଗୁଡୁ, ପଶା

ବାଲିପାଟଣା: ଓଡ଼ିଶାର ଗଣପର୍ବ ରଜ ପାଇଁ ଗାଁ ଗଣ୍ଡା, ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଘରେଘରେ ପିଠା, ପଣା ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି। ରଜ ସାଧାରଣ ମହିଳା, ଯୁବତୀ ଓ ବାଳିକାମାନଙ୍କ ପର୍ବ ହୋଇଥିଲେ ହେଁ ଗାଁ ଗଣ୍ଡାରେ ଯୁବକମାନଙ୍କ ଉତ୍ସାହ ବି କମ୍ ଦେଖାଯାଇନାହିଁ। ମହିଳାମାନଙ୍କ ଦୋଳି ଖେଳ ବେଳେ ଯୁବକମାନଙ୍କ ଗୁଡୁଗୁଡୁ(କବାଡି) ଖେଳ ବାଲିପାଟଣାର ବହୁ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଗୋବିନ୍ଦପୁର ଓ ସାହେବନଗର ମୁଖିସାହି ଆଦି ଗାଁରେ ଏହି ପୁରୁଣା ଖେଳ ଦେଖିବାକୁ ମିଳିଥିଲା। ବଡ଼ କଥା ହେଉଛି, ଏହି ଖେଳ ବେଳେ ଢୋଲ ବାଜୁଥିଲା ଏବଂ ବାଜାର ତାଳେତାଳେ ଖେଳାଳିମାନେ ରାହା ଦେଉଥିଲେ। ଲୋପ ପାଇବାକୁ ବସିଥିବା

ଏହି ପୁରୁଣା କବାଡି ଖେଳ ଦେଖିବାକୁ ଓ ଖେଳିବାକୁ ଯୁବକମାନଙ୍କ ଭିତରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିଭଳି ବହୁ ଗାଁରେ ଯୁବକମାନେ ତାସ, କ୍ୟାରମ୍‌, ଚେସ୍‌ ଓ ଲୁଡୁ ‌ଖେଳରେ ମାତିଯାଇଥିଲେ। କିଛି କିଛି ଗାଁରେ ବୟସ୍କମାନେ ପଶା ପାଲି ପକାଇ କୋଳାହଳ କରୁଥିବାର ଦୃଶ୍ୟ ମଧ୍ୟ ପହିଲି ରଜର ମଉଜକୁ ବଢ଼ାଇ ଦେଇଥିଲା। ସକାଳୁ ସକାଳୁ ବାଳିକାମାନେ ନୂଆ ପୋଷାକ ପିନ୍ଧିବା ସହ ସଜବାଜ ହୋଇ ଗୁରୁଜନମାନଙ୍କୁ ମୁଣ୍ଡିଆ ମାରିଥିଲେ। ଏବେ ଗାଁ ଗଣ୍ଡାରେ ଆଗଭଳି ଦୋଳି ଖେଳ ପାଇଁ ବଡ଼ ଗଛ ନାହିଁ। ତଥାପି ବହୁ ଜାଗାରେ ଗଛ ଦୋଳି ଦେଖିବାକୁ ମିଳିଥିଲା। ଆଜି ଆମିଷ ଦୋକାନରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳିଥିଲା। ଖାସି ମାଂସ ୭୦୦ ରୁ ୭୫୦ ଟଙ୍କା, କୁକୁଡ଼ା ୨୮୦ ରୁ ୪୦୦ , ରୋହି ଓ ଭାକୁର ମାଛ ୧୭୦ ରୁ ୨୦୦ , ଚିଙ୍ଗୁଡ଼ି ୧୮୦ ରୁ ୪୦୦, ଛତୁ ୨୫୦ ଓ ପନିର ୨୪୦ ଟଙ୍କା ଥିଲା। ବୁଧବାର ପହିଲି ରଜ ପଡ଼ିଥିବାରୁ ଆମିଷ ହାଟରେ ଭଲ ବେପାର ହୋଇଛି। ସେହିଭଳି ଆଜି ବାଲିପାଟଣାର ବିଭିନ୍ନ ଛକରେ ପାନ ବଜାରରେ ଭଲ ବେପାର ହୋଇଛି। ରଜ ପାଇଁ ବହୁ ଅସ୍ଥାୟୀ ପାନ ଦୋକାନ ଖୋଲିଛି। ବନାରସୀ ପାନ, ଫାୟାର ପାନ, ସ୍ମୋକ ପାନ ଭଳି ମିଠା ପାନ ବେପାର ଭଲ ଜମିଛି।

ସଭିଏଁ ପାଳିଲେ
ଓଡ଼ିଆ ସଂସ୍କୃତିର ମହାନ ଗଣପର୍ବ ରଜକୁ ଅତି ଆନନ୍ଦ ଓ ଉଲ୍ଲାସ ସହ ପାଳିଛନ୍ତି ରାଜଧାନୀବାସୀ। ଏହି ପର୍ବକୁ ସ୍ୱାଗତ ତଥା ସ୍ମରଣୀୟ କରିବା ପାଇଁ ଉଭୟ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନ, ଯୁବସଂଘ ପକ୍ଷରୁ ବଡ଼ ଆୟୋଜନ କରାଯାଇଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ସିନେ କଳାକାର, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ସମସ୍ତେ ଏହି ପର୍ବ ପାଳନରେ ସାମିଲ ହୋଇଥିଲେ। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରଜପିଠା, ମେହେନ୍ଦି, ଦୋଳି ଖେଳୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଥିଲେ।

ନାଚଗୀତ, ପୋଡ଼ପିଠା, ରଜପାନରେ ରଜ ମଉଜ

ଭୁବନେଶ୍ୱର: ଆଜି ପହିଲି ରଜ ସନ୍ଧ୍ୟାରେ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଜୟଦେବ ଭବନ ଠାରେ ‘ରଜ ମଉଜ’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଆଣୀମାନେ ସ୍ୱରଚିତ କବିତା ପାଠ କରିବା ସହିତ ଗୀତ ଗାଇଥିଲେ ଓ ନୃତ୍ୟ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ପୋଡ଼ପିଠା ଓ ରଜପାନର ପ୍ରଦର୍ଶନ ତଥା କବିତା ପାଠୋତ୍ସବ, ସଂଗୀତ ଓ ନୃତ୍ୟ ଆଦିରେ ଉପସ୍ଥିତ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ ହୋଇଥିଲା। ଉତ୍ସବର ପ୍ରତିଟି ଅଂଶରେ ଓଡ଼ିଆ ପରଂପରା ଓ ସଂସ୍କୃତିର ସ୍ପର୍ଶ ରହିଥିଲା। କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପ୍ରାକ୍ତନ ମନ୍ତ୍ରୀ ସମୀର ରଂଜନ ଦାସ, ପ୍ରାକ୍ତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ କଥାକାର ଦାଶ ବେନହୁର, ରାଜୀବ ଶେଖର ସାହୁ, କସ୍ତୁରିକା ପଟ୍ଟନାୟକ, ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ସଂପାଦକ ଦେବ ପ୍ରସାଦ ପରିଜା, ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ, ସଂପାଦିକା ରେଖା ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ‘ପିପୁଲସ୍ ଫର୍ ଆନିମଲ୍‌’ର ସଂପାଦକ ଜୀବନ ବଲ୍ଲଭ ଦାସଙ୍କୁ ‘ବାଙ୍କବିହାରୀ ପରିବେଶ ସମ୍ମାନ ୨୦୨୪’ ପ୍ରଦାନ କରା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଂଭାବନାର ଯୁଗ୍ମ ସଂପାଦିକା ମୀନାକ୍ଷୀ ପଟ୍ଟନାୟକ, ପ୍ରଫୁଲ୍ଲ ଦେ’ ଓ ରଶ୍ମିତା ରଥ।

 

 

 

ସମ୍ବନ୍ଧିତ ଖବର