ଶେଷ ହେଲା ରାଜଧାନୀ ପୁସ୍ତକ ମେଳା : ୧୦ ଦିନରେ ୧୨ ଲକ୍ଷ ପାଠକ

ଭୁବନେଶ୍ବର : ଶେଷ ହୋଇଛି ୧୯ ତମ ରାଜଧାନୀ ପୁସ୍ତକ ମେଳା। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଏବଂ ବିଧାୟକ ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ମଣିଷ ସମାଜର ତ୍ରୁଟିକୁ ସଜାଡ଼ିବା ଏବଂ ଆତ୍ମବି‌ଶ୍ଳେଷଣ ପାଇଁ ପୁସ୍ତକର ଭୂମିକା ଗୁରୁତ୍ବପୂର୍ଣ୍ଣ। ଆଜିର ଡିଜିଟାଲ୍ ଯୁଗରେ ମୋବାଇଲରେ ଯେତେ ତଥ୍ୟ ଏବଂ ଇ-ପୁସ୍ତକ ଉପଲବ୍ଧ ହେଉନା କାହିଁକି, ହାତରେ ବହି ଖଣ୍ଡେ ଧରିଦେଲେ ମନରେ ପଢ଼ିବାର ଇଚ୍ଛା ଜାଗିଉଠେ। ସେ ଅନୁଭୂତି ମୋବାଇଲ ଇଣ୍ଟରନେଟ୍‌ର ପୁସ୍ତକରୁ ମିଳେ ନାହିଁ। ଏଣୁ ପୁସ୍ତକ ସହ ପୁସ୍ତକ ମେଳା ଏମିତି କାଳ କାଳକୁ ରହିବ ବୋଲି ଅତିଥିମାନେ କହିଥିଲେ।

ଏହି ଅବସରରେ ଅହମଦିୟା ମୁସ୍‌ଲିମ୍‌ ସଂଗଠନ ପକ୍ଷରୁ ଦୁଇଟି ପୁସ୍ତକ ‘ଇସ୍‌ଲାମ୍‌ରେ ନାରୀ’ ଏବଂ ‘ଇସ୍‌ଲାମ୍‌ ଓ ବିବେକ ସ୍ବାଧୀନତା’, କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ଅନିର୍ବାଣ ଜ୍ୟୋତି’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ପୁସ୍ତକ ମେଳାର ସଭାପତି ଉପେନ୍ଦ୍ର କୁମାର ଜେନା, ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ବାଇଁ ଓ ବୀରକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ପୁସ୍ତକ ମେଳାକୁ ୧୨ ଲକ୍ଷରୁ ଊର୍ଧ୍ବ ପାଠକ ଆସିଥିବା ପୁସ୍ତକ ମେଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

‘ଆମ ଓଡ଼ିଶା’ ଶ୍ରେଷ୍ଠ ପ୍ରକାଶକ

ପୁସ୍ତକମେଳାର ଉଦ୍‌ଯାପନୀ ଉତ୍ସବରେ ‘ଆମ ଓଡ଼ିଶା’ ପ୍ରକାଶନୀ ସଂସ୍ଥାକୁ ‘ଶ୍ରେଷ୍ଠ ପ୍ରକାଶକ’ ସମ୍ମାନରେ ସମ୍ମାନିତ କରାଯାଇଛି। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ସମ୍ମାନ ଗ୍ରହଣ କରିଛନ୍ତି। ଏଥିସହ ଔପନ୍ୟାସିକା ଇତି ସାମନ୍ତଙ୍କୁ ‘କାଳୀପ୍ରସାଦ ଦାସ ସ୍ମୃତି ସମ୍ମାନ’, ନିରଞ୍ଜନ ସେଠୀଙ୍କୁ ‘ସୁଧାଂଶୁ ମୋହନ ସ୍ମୃତି ସମ୍ମାନ’ ଏବଂ ନୃସିଂହ ଷଡ଼ଙ୍ଗୀ, ଅଜୟ ମହା‌ପାତ୍ର, ଦେବାଶିଷ ପାଣିଗ୍ରାହୀ, ସୁଶାନ୍ତ କୁମାର ନାୟକ, ସାଧନା ପତ୍ରୀ, ରବି ମହାପାତ୍ର, ଦୀପ୍ତିରଞ୍ଜନ ମାର୍ଥା, ନୀଳମଣି ଚାନ୍ଦ, ବିଜୟଲକ୍ଷ୍ମୀ ସାହୁ, ଅରବିନ୍ଦ ରାୟ ଓ ବିଧାୟକ ଅରୁଣ ସାହୁଙ୍କୁ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସର୍ଜନା‌ ପାଇଁ ସମ୍ମାନିତ କରାଯାଇଛି। ସମ୍ମାନ ପ୍ରଦାନ ଉତ୍ସବକୁ କମଳିନୀ ମଲ୍ଲିକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର