ଭୁବନେଶ୍ୱର: ପୁସ୍ତକ ପଢ଼ିଲେ ଜଣେ ବ୍ୟକ୍ତି ଅନେକ କଥା ଜାଣିପାରିବ। ପୁସ୍ତକ ପ୍ରତି ଆଜିକାଲି ପିଲାଙ୍କର ବିଶେଷ ଆଗ୍ରହ ରହିଛି। ବର୍ତମାନ ଅନେକ ବ୍ୟକ୍ତି ଯେ କୌଣସି ବିଷୟରେ ଜାଣିବାକୁ ଇଣ୍ଟରନେଟ୍‌ର ବ୍ୟାପକ ସହାୟତା ନେଉଛନ୍ତି। କିନ୍ତୁ ଇଣ୍ଟରନେଟ୍‌ର ବହୁଳ ପ୍ରଚଳନ ସତ୍ତ୍ୱେ ପୁସ୍ତକର ଆଦର କମି ନାହିଁ। ଅଷ୍ଟାଦଶ ରାଜଧାନୀ ପୁସ୍ତକ ମେଳାକୁ ଉଦ୍‌ଘାଟନ କରି ଏପରି ମତପ୍ରକାଶ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଲେ, ପୁସ୍ତକ ମେଳାରେ ସମସ୍ତ ବର୍ଗର ପାଠକଙ୍କ ପାଇଁ ପୁସ୍ତକ ଉପଲବ୍ଧ ହେବା ଦରକାର।

Advertisment

ପୁସ୍ତକମେଳା କମିଟିର ସଭାପତି ଡ. ଉପେନ୍ଦ୍ର କୁମାର ଜେନା ସଭାରେ ଅଧ୍ୟକ୍ଷତା କରି କହିଲେ, ପ୍ରତ୍ୟେକ ବ୍ୟକ୍ତି ମାସକୁ ଖଣ୍ଡିଏ ପୁସ୍ତକ କିଣିବା ଦରକାର। ସମସ୍ତଙ୍କ ଘରେ ଛୋଟ ହେଉ ପଛେ ଗୋଟିଏ ପାଠାଗାର ରହିବା ଉଚିତ। ଏହି ଅବସରରେ ଗୌରହରି ପଣ୍ଡାଙ୍କ ଉପନ୍ୟାସ ‘ଅମୃତପୁତ୍ର’, ଭାନୁମତୀ ସାହୁଙ୍କ ‘ବୈଶନ୍ନ ବୈଶାଖ’, ଫକୀର ମୋହନ ଷଡ଼ଙ୍ଗୀଙ୍କ ‘ସର୍ବଂସହା’ ଓ ଦେବାନନ୍ଦ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ମାସିକ ପତ୍ରିକା ‘ସତ୍‌ସନ୍ଦେଶ’ର ଲୋକାର୍ପଣ କରାଯାଇଥିଲା। ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଦେଇଥିଲେ। ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ମେଳା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସଂଯୋଜକ କାଳୀପ୍ରସାଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଚଳିତ ବର୍ଷ ମେଳାରେ ସମୁଦାୟ ପାଞ୍ଚଶହଟି ଷ୍ଟଲ୍‌ ପଡ଼ିଥିବା ମେଳା କର୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦିନ ଅପରାହ୍‌ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ପରିସର ଖୋଲା ରହିବ। ଡିସେମ୍ବର ୧୨ ତାରିଖରେ ମେଳା ଉଦ୍‌ଯାପିତ ହେବ।

ରାଜ୍ୟରେ ପାଠାଗାର ସ୍ଥିତିକୁ ନେଇ ଦୁଇ ମନ୍ତ୍ରୀଙ୍କ ଉଦ୍‌ବେଗ

ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପାଠାଗାରା ସ୍ଥିତି ବିପର୍ଯ୍ୟସ୍ତ। ରାଜଧାନୀରେ ଥିବା ପ୍ରମୁଖ ପାଠାଗାରାରେ ମଧ୍ୟ ଆବଶ୍ୟକୀୟ ପୁସ୍ତକ ନାହିଁ ବୋଲି କହି ଆଜି ମେଳାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ଅନ୍ୟାନ୍ୟ ରାଜ୍ୟରେ ପାଠାଗାର ବଢ଼ି ଚାଲିଥିବା ବେଳେ ଆମ ରାଜ୍ୟରେ ଯେଉଁ କେତୋଟି ପାଠାଗାର ଅଛି, ସେ ସବୁ ବନ୍ଦ ହେବାରେ ଲାଗିଲାଣି। ଏହା ବେଶ ସଙ୍କଟଜନକ ବିଷୟ। ପୁସ୍ତକ ମେଳା କମିଟିଗୁଡ଼ିକ ଏ ସମ୍ପର୍କରେ ସଂସ୍କୃତି ବିଭାଗ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।