ରାଜଧାନୀ ପୂଜା ସମିତି : ୩ କୋଟିର ଅନିୟମିତତା
ବେଆଇନ ଭାବେ ଗଢ଼ା ହୋଇଛି ବହୁ ଦୋକାନ, ଅଡିଟ୍ରୁ ଧରାପଡ଼ିଲା, ମୂଳ ଚୁକ୍ତିନାମା ଉଭାନ୍, ଚାକିରି ଛାଡ଼ିଲେ ଆକାଉଣ୍ଟାଣ୍ଟ
ଭୁବନେଶ୍ୱର : ରାଜଧାନୀ ପୂଜା ସମିତି ତତ୍କାଳୀନ ଟ୍ରଷ୍ଟ ବୋର୍ଡ ୩ କୋଟି ୧୦ ଲକ୍ଷ ୭୫ ହଜାର ୩୩୮ ଟଙ୍କାର ଅନିୟମିତତା କରିଛି। ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ଏଜି(ଆକାଉଣ୍ଟାଣ୍ଟ ଜେନେରାଲ) କରିଥିବା ଅଡିଟ୍ରେ ଏହି ପ୍ରମାଣ ମିଳିଛି। ମାର୍କେଟ ବିଲ୍ଡିଂରେ ଥିବା ସମିତି ଜାଗା ଉପରେ ଦୋକାନଗୁଡ଼ିକର ଭଡ଼ା ବାବଦକୁ ଅର୍ଥ ଲୁଟି ନିଆଯାଇଛି। ତା’ ସହିତ ମନଇଚ୍ଛା ଲିଜ୍ ଦେବା, ଦେବୋତ୍ତର କମିସନଙ୍କ ବିନାନୁମତିରେ ଚୁକ୍ତି କରିବା, ବଜାର ଦର ଠାରୁ କମ୍ ଦେୟ ଧାର୍ଯ୍ୟ କରିବା ପ୍ରଭୃତି ଅନିୟମିତତା ଉପରେ ଅଡିଟ୍ ପ୍ରଶ୍ନ ଉଠାଇଛନ୍ତି। ୧୯୬୦ ମସିହାରୁ ପର୍ଯ୍ୟାୟକ୍ରମେ ଏଭଳି ଲୁଟ୍ ହୋଇଥିବା ଏଜି ଦର୍ଶାଇଛନ୍ତି। ଦେବୋତ୍ତର ବିଭାଗ ମଧ୍ୟ ଉଚିତ୍ ପରିଚାଳନା କରିନାହିଁ। ସରକାରୀ ଅଧିକାରୀ ଓ ତତ୍କାଳୀନ ଟ୍ରଷ୍ଟ ବୋର୍ଡର ମଧୁଚନ୍ଦ୍ରିକାରେ ଲୁଟ୍ପାଟ୍ ହୋଇଥିବା ଜଣାପଡ଼ିଛି।
ଏଜି କରିଥିବା ଅଡିଟ୍ ମୁତାବକ, ଦୁଇ ନମ୍ବର ମାର୍କେଟ୍ ବିଲ୍ଡିଂରେ ୧.୪୪ ଏକର ଜାଗାରେ ଏହି ଧାର୍ମିକ ଅନୁଷ୍ଠାନ ରହିଛି। ଅନୁଷ୍ଠାନକୁ ୧୯୬୦ ମସିହାରେ ୯୦ ବର୍ଷିଆ ଲିଜ୍ ସୂତ୍ରରେ ଏହି ଜମି ମିଳିଛି। ଅନୁଷ୍ଠାନ ସହ ବିଭିନ୍ନ ମନ୍ଦିର ପରିଚାଳନା ଉଦ୍ଦେଶ୍ୟରେ ଆବଶ୍ୟକ ଅର୍ଥ ଭରଣା କରିବା ପାଇଁ ୧୯୭୦ ମସିହାରୁ ଏଠାରେ ୭୫ ଦୋକାନ ଘର ତିଆରି ହୋଇ ଭଡ଼ା ଦିଆଯାଇଛି। ଦୋକାନ ମାଲିକଙ୍କ ଠାରୁ ସିକ୍ୟୁରିଟି ଜମା, ଭଡ଼ା ଓ ପରିଚାଳନାରେ ତତ୍କାଳୀନ ଟ୍ରଷ୍ଟି ବ୍ୟାପକ ଅନିୟମିତତା କରିଛନ୍ତି। ମୋଟ ୩ କୋଟି ୧୦ ଲକ୍ଷ ୭୫ ହଜାର ଟଙ୍କା ସମିତିର କ୍ଷତି ହୋଇଛି ବୋଲି ଅଡିଟ୍ ଧରିଛି।
୧୯୮୧ ମସିହାରେ ଏହି ସମିତି ଦେବୋତ୍ତର ଅଧୀନକୁ ଆସିଛି। ସେବେଠାରୁ ଦେବୋତ୍ତର ବିଭାଗର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ନ ଥିବା ଏଜି ଅଡିଟ୍ରେ ଦର୍ଶାଇଛନ୍ତି। କିନ୍ତୁ ବାସ୍ତବରେ ଅଧିକାରୀମାନଙ୍କର ସହଯୋଗରେ ଏଠାରେ ମୋଟା ଅଙ୍କର ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ପରେ ଗତ ମେ ୧୮ ଓ ୨୦ ତାରିଖ ଦୁଇଦିନ ଧରି ତତ୍କାଳୀନ ଦେବୋତ୍ତର କମିସନ୍ ବିରଜା ପ୍ରସାଦ ଦତ୍ତ ଚଢ଼ଉ କରିବା ପରେ ପ୍ରଥମେ ଅନିୟମିତତା ବାବଦରେ ତଥ୍ୟ ପଦାକୁ ଆସିଥିଲା। ଇତିମଧ୍ୟରେ ସରକାର ୬୧ଧାର୍ମିକ ଅନୁଷ୍ଠାନକୁ ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ତାଲିକାରେ ରାଜଧାନୀ ପୂଜା ସମିତି ରହିଥିଲା। ଅଡିଟ୍ ପରେ ଏଜି ଆର୍ଥିକ ଅନିୟମିତତାର ପ୍ରମାଣ ପାଇଛନ୍ତି।
ତଦନ୍ତ ରିପୋର୍ଟ ମୁତାବକ, ଦୋକାନୀମାନଙ୍କ ସହ ତତ୍କାଳୀନ ଟ୍ରଷ୍ଟ ବୋର୍ଡର ୧୯୮୭ରୁ ୧୯୮୯ ମଧ୍ୟରେ ଚୁକ୍ତିନାମା ହୋଇଛି। ଯାହା ଆଇନ ସମ୍ମତ ନୁହେଁ ବୋଲି ଅଡିଟ୍ ଘୋଷଣା କରିଛି। ଏହି କାଗଜବଳରେ ୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ହୋଇଛି। ୫ ବର୍ଷ ପରେ ଭଡ଼ା ମାତ୍ର ୨୫ ପ୍ରତିଶତ ବଢ଼ିବ ବୋଲି ଚୁକ୍ତିନାମାରେ ଲେଖା ହୋଇଛି। ୧୧ ମାସରୁ ଅଧିକ ଦିନ ପାଇଁ କାହା ସହ ଚୁକ୍ତି କଲେ ସବ୍ରେଜିଷ୍ଟ୍ରାରରେ ପଞ୍ଜୀକୃତ ହେବାକୁ ଆଇନ ଥିବା ବେଳେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଅବଧି ପର୍ଯ୍ୟନ୍ତ ଚୁକ୍ତିନାମା କରିବାକୁ ହେଲେ ଦେବୋତ୍ତର କମିସନଙ୍କର ଅନୁମତି ଲୋଡ଼ା ହୋଇଥାଏ। କିନ୍ତୁ ଏହା କରାଯାଇ ନାହିଁ। ଆଇନର ଊର୍ଦ୍ଧ୍ବକୁ ଯାଇ ଦୋକାନଗୁଡ଼ିକୁ ଅନେକ ଥର ସବ୍ଲିଜ୍ କରାଯାଇଛି। ବଜାର ଦରଠାରୁ କମ୍ରେ ଦୋକାନ ଭଡ଼ା ସ୍ଥିର ହୋଇଛି। ବାସ୍ତବରେ ପ୍ରଭାବଶାଳୀ ବ୍ୟକ୍ତି ନିଜ ନାମରେ ନେଇ ଭଡ଼ା ଲଗାଇଛନ୍ତି। ବଜାର ଦରରେ ଭଡ଼ା ଆଣୁଥିବା ବେଳେ ସମିତିକୁ ଅତି ନଗଣ୍ୟ ପରିମାଣରେ ଭଡ଼ା ପୈଠ କରୁଛନ୍ତି। କାଳକ୍ରମେ ୨୬ଜଣ ଦୋକାନୀ ଜବରଦଖଲ କରି ଦୋକାନ କରିଛନ୍ତି।
ଗୋଟିଏ ମହଲା ସ୍ବୀକୃତି ନିଆଯାଇଥିବା ବେଳେ ସମିତି ପକ୍ଷରୁ ଉପର ମହଲାରେ ୧୨ ହଜାର ୮୨୪ ବର୍ଗଫୁଟ୍ ଅଞ୍ଚଳ ଜବରଦଖଲ କରାଯାଇ ଦୋକାନ ନିର୍ମାଣ କରାଯାଇଛି। ବିଗତ ୩୨ ମାସରେ ୧୬ ଲକ୍ଷ ୮୨ ହଜାର ୯୧୨ ଟଙ୍କା ଭଡ଼ା ବାବଦକୁ ଆଦାୟ ହେବା କଥା, ହେଲେ ଏହା ଆଦାୟ ହୋଇନାହିଁ କିମ୍ବା ଆଦାୟ ଅର୍ଥ ପକେଟ୍କୁ ଯାଇଛି। ଏଥିପାଇଁ ତତ୍କାଳୀନ ଟ୍ରଷ୍ଟ ବୋର୍ଡକୁ ଅଡିଟ୍ ଦାୟୀ କରିଛି।
ମୂଳ ଚୁକ୍ତିନାମା ଉଭାନ୍, ଚାକିରି ଛାଡ଼ିଲେ ଆକାଉଣ୍ଟାଣ୍ଟ
ଦେବୋତ୍ତର କମିସନ ଅନିୟମିତତା ବାବଦରେ ପ୍ରମାଣ ପାଇବା ପରେ ସମିତିକୁ ଏ ବାବଦରେ ଚୁକ୍ତିନାମା ଆଧାରିତ ମୂଳ କାଗଜପତ୍ର ତଲବ କରିଥିଲେ। ତତ୍କାଳୀନ କନିଷ୍ଠ ସହାୟକ ତଥା ଆକାଉଣ୍ଟାଣ୍ଟ ଶିଶିର ଦ୍ବିବେଦୀ ଏହି କାଗଜପତ୍ର ଦାଖଲ କରିବା ପରିବର୍ତ୍ତେ ଚାକିରି ଛାଡ଼ି ଚାଲି ଯାଇଥିଲେ। ଏ ନେଇ ତତ୍କାଳୀନ ବିଡିଓ ତଥା ମାନେଜିଂ ଟ୍ରଷ୍ଟି ୨୦୧୮ ମସିହା ସେପ୍ଟେମ୍ବର ୭ ତାରିଖରେ ଦେବୋତ୍ତର କମିସନଙ୍କୁ ଅବଗତ କରାଇଥିଲେ। ଏଣୁ ମୂଳ କାଗଜପତ୍ରରେ ସମସ୍ତଙ୍କ ଜ୍ଞାତସାରରେ ଅନିୟମିତତା କରାଯାଇଥିବା କମିସନ ଆଶଙ୍କା କରିଥିଲେ। ଆର୍ଥିକ ଅନିୟମିତତା ସହ ଆକାଉଣ୍ଟାଣ୍ଟ ଶ୍ରୀଦ୍ବିବେଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିସନ କ୍ରାଇମ୍ବ୍ରାଞ୍ଚକୁ ସୁପାରିସ କରିଥିଲେ। ସମସ୍ତ ଚୁକ୍ତିନାମା ବେଆଇନ ଘୋଷଣା କରିବା ସହ ସବୁ ଦୋକାନ ମାପଚୁପ କରି ବର୍ତ୍ତମାନର ବଜାର ଦରରେ ଭଡ଼ା ଧାର୍ଯ୍ୟ କରି ସାନି ଚୁକ୍ତିନାମା କରିବା ପାଇଁ ସହକାରୀ ଦେବୋତ୍ତର କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଦୋକାନଗୁଡ଼ିକ ଜବର ଦଖଲରେ ହୋଇଛି ତାହାକୁ ଓଏଚ୍ଆରଆଇ ଆଇନ ଦଫା ୨୫ ବଳରେ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ହୋଇଛି।