ରାଜଧାନୀର ଶୀତବସ୍ତ୍ର ବଜାର: ଶୀତରୁ ରକ୍ଷା ଷ୍ଟାଇଲିସ୍‌ ଲୁକ୍‌

ପାରଦ ସ୍ତର ଲଗାତାର ଖସିବାରେ ଲାଗଛିି। ରାତିରେ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଗଲାଣି। ରାତି ତ’ ରାତି, ଦିନରେ ବି ଶୀତ ଅନୁଭୂତ ହେଲାଣି। ଏପରି ସ୍ଥଳେ ଶୀତବସ୍ତ୍ରର ଚାହିଦା ଦେଖି ରାଜଧାନୀ ଶୀତ ବସ୍ତ୍ର ବଜାର ଚଳଚଞ୍ଚଳ ହୋଇଉଠିଲାଣି। ପିଲାଠାରୁ ବୁଢ଼ା, ଧନୀଠାରୁ ଗରିବ ସମସ୍ତ ରାଜଧାନୀବାସୀଙ୍କୁ ନୂଆ ନୂଆ ଷ୍ଟାଇଲର ଶୀତବସ୍ତ୍ର ଯୋଗାଇବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଜୋର୍‌ ଧରିଲାଣି।

କମ୍ବଳ ଓ ସାଲ୍‌ ବଜାର

ୟୁନିଟ୍‌-୧ ମାର୍କେଟ ହେଉ କି ମାର୍କେଟ୍‌ ବିଲ୍ଡିଂ ବା ଶୀତବସ୍ତ୍ର ବଜାର ସୁନ୍ଦର ଓ କୋମଳ କମ୍ବଳ ପାଇଁ ରାଜଧାନୀରେ ଏକ ସ୍ୱତନ୍ତ୍ର ବଜାର ସୃଷ୍ଟି ହୋଇଛି। ଲୁଧିଆନା, ପାଣିପୁର ଆଦି ଅଞ୍ଚଳରୁ ବିଭିନ୍ନ ପ୍ରକାର କମ୍ବଳ ଆଣି ରାଜଧାନୀବାସୀଙ୍କୁ ଯୋଗାଉଛନ୍ତି ବ୍ୟବସାୟୀମାନେ। ଏଥିରେ ରହିଛି ଡଲ୍‌ଫିନ୍‌, କୋରିଆ ଗୋଲ୍ଡ, ଆଲାସ୍କା ଡାଇମଣ୍ଡ ଓ ହରିୟାଣା କମ୍ବଳ ଭଳି ବିଭିନ୍ନ ପ୍ରକାର କମ୍ବଳ। ପୁଣି ପିଲାମାନଙ୍କ ପାଇଁ ମଧ୍ୟ ରହିଛି ବେବି ବ୍ଲାଙ୍କେଟ୍‌। ଏଗୁଡ଼ିକ ଅତ୍ୟନ୍ତ କୋମଳା ଓ ହାଲ୍‌କା ହୋଇଥିବା ବେଳେ ଶୀତରୁ ରକ୍ଷା ପାଇଁ ବେଶ୍‌ ଉପଯୋଗୀ ମଧ୍ୟ। ଶୀତବସ୍ତ୍ର ବଜାରର ଅତିରୁଲ୍‌ ଇସ୍‌ଲାମି କୁହନ୍ତି, ଏଠାକୁ ଆସିଲେ ଗ୍ରାହକ ନିଜ ପସନ୍ଦ ମୁତାବକ ପକେଟ୍‌କୁ ସୁହାଇଲା ଭଳି କମ୍ବଳ ପାଇପାରିବ। ତାଙ୍କ ପାଖରେ ୪୦୦ରୁ ଆରମ୍ଭ କରି ୪ ହଜାର ପର୍ଯ୍ୟନ୍ତ କମ୍ବଳ ଉପଲବ୍ଧ। ସେହିପରି ଶାଲ୍‌ରେ ରହିଛି କାଶ୍ମୀର ସାଲ୍‌, ରାଜସ୍ଥାନୀ, ଜୟପୁରୀ ଓ ଫ୍ୟାନ୍‌ସି ସାଲ୍‌। ଫ୍ୟାନ୍‌ସି ସାଲ୍‌ ବହୁତ୍‌ ହାଲ୍‌କା ହୋଇଥିବା ବେଳେ ରଙ୍ଗିନ୍‌ ଓ ଫ୍ୟାସନେବୁଲ୍‌। ବିବାହ ଋତୁ ଚାଲିଥିବାରୁ ମହିଳାମାନେ ଫ୍ୟାସନ୍‌ ଭାବେ ଏହି ଫ୍ୟାସନ୍‌ ସାଲ୍‌କୁ ପକାଇ ଯାଉଛନ୍ତି। ଏହାର ଦାମ୍‌ ୩୦୦ ଟଙ୍କା ରହିଛି। ସେହିପରି କାଶ୍ମୀର ସାଲ୍‌ର ଚାହିଦା ସବୁ ବେଳେ ଅଧିକ ରହୁଥିବା ଅତିରୁଲ୍‌ କହିଛନ୍ତି।

ସ୍ୱେଟର୍‌, ଜ୍ୟାକେଟ୍‌, ବ୍ଲେଜର୍‌ ଓ ପଞ୍ଚୋ ସମ୍ଭାର 

ରଙ୍ଗବେରଙ୍ଗ ଉଲ୍‌, ଗଞ୍ଜି, କଟନ୍‌ ଓ ଫ୍ରାସନ୍‌ର ସ୍ୱେଟର୍‌, ଜାକେଟ୍‌, ସ୍ରଗ୍‌ ଆଦିରେ ଭରପୂର ଶୀତ ବଜାର। ମହିଳାମାନଙ୍କ ପାଇଁ ରଙ୍ଗିନ ଫ୍ଲୋରାଲ୍‌ ପ୍ରିଣ୍ଟ୍‌, ପ୍ରିଣ୍ଟେଡ୍‌, ଏମ୍ରୋଡାରି ସ୍ୱେଟର୍‌ ଓ ଜ୍ୟାକେଟ୍‌ ଥିବା ବେଳେ କାଲର୍‌ ସ୍ୱେଟର୍‌, ହାଇନେକ୍‌ ଜ୍ୟାକେଟ୍‌, ଚେନ୍‌ ଜ୍ୟାକେଟ୍‌, ଫୁଲ୍‌ଭର୍‌ ଜ୍ୟାକେଟ୍‌, ଲଙ୍ଗ୍‌ କାର୍ଡିଗନ୍‌, ବେଲ୍‌ଟ ଲଗା ଜ୍ୟାକେଟ୍‌, ହାଫ୍‌ ଜ୍ୟାକେଟ୍‌ ଆଦିକୁ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ଓ କର୍ମଜୀବୀ ମହିଳାମାନେ ବେଶୀ ପସନ୍ଦ କରୁଛନ୍ତି। କିନ୍ତୁ ଚଳିତ ବର୍ଷ ‘ଉଲେନ୍‌ ଲେଡିଜ୍‌ ପଞ୍ଚୋ’ ଓ ‘ଉଲେନ୍‌ ଲଙ୍ଗ୍‌ ବ୍ଲେଜର୍‌ କୋଟ୍‌’ର ଚାହିଦା ଅଧିକ ଥିବା ସହିଦନଗର ଦୁର୍ଗା ମଣ୍ଡପ ଶୀତବସ୍ତ୍ର ବଜାରରେ ଦୋକାନ ଖୋଲିଥିବା ଅମର ମହାନ୍ତି କହିଛନ୍ତି। ପଞ୍ଚୋର ଦାମ୍‌ ୭୦୦ ଟଙ୍କା ଥିବା ବେଳେ ଲଙ୍ଗ୍‌ ବ୍ଲେଜର୍‌ର ଦାମ୍‌ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଉଭୟ ପୁରୁଷ ଓ ମହିଳାମାନେ ଫ୍ୟାସନ୍‌ ଓ ଫେଦର୍‌ ଉଲ୍‌ ଜ୍ୟାକେଟ୍‌ ଅଧିକ ପସନ୍ଦ କରୁଥିବା ସହ ଛୋଟ ଛୁଆମାନଙ୍କ ପାଇଁ ଫ୍ୟାସନ ଫେଦର୍‌ ଉଲ୍‌ ସ୍ୱେଟର/ଜ୍ୟାକେଟ୍‌ର ଚାହିଦା ଅଧିକ ବୋଲି କୋରାପୁଟ୍‌ରୁ ଆସିଥିବା ଦୋକାନୀ ବିକ୍ରମ ବେହେରା କହିଛନ୍ତି।

ଚାହିଦାରେ ବିନି କ୍ୟାପ୍‌: ଶୀତରୁ ବଞ୍ଚିବା ସହ ଏକ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ମହିଳା ହୁଅନ୍ତୁ ବା ପୁରୁଷ ବା ଛୋଟ ଛୁୁଆ, ଟୋପି ଉପରେ ବେଶୀ ପ୍ରାଧ୍ୟାନ୍ୟ ଦେଇଥା’ନ୍ତି। ଚଳିତ ବର୍ଷ ନୂଆ କରି ମାର୍କେଟକୁ ଆସିଥିବା ‘ବିନି କ୍ୟାପ୍‌’ ସମସ୍ତଙ୍କର ଏହି ଚାହିଦାକୁ ପୁରଣ କରୁଛି। ଏହାର ଉପର ଭାଗରେ ବିଭିନ୍ନ ପ୍ରକାର କାର୍ଟୁନ୍‌, ଫୁଲ ବା ଭିନ୍ନ ଭିନ୍ନ ଡିଜାଇନ୍‌ ହେବା ସହ ଭିତର ପାଖରେ ଫର୍‌ ଲାଗିଥାଏ। ଯାହା ମୁଣ୍ଡକୁ ଆରାମ୍‌ ଦେବା ସହ ଏକ ସୁନ୍ଦର ଲୁକ୍‌ ମଧ୍ୟ ଦେଇଥାଏ। ଏହାସହ ରୁମାଲ୍‌ ଟୋପି ଓ ପିଲାଙ୍କ କାର୍ଟୁନ୍‌ ଟୋପି ବେଶ୍‌ ଚାହିଦାରେ ରହିଛି। ପୁଣି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ରହିଛି ଉଲେନ୍‌ ଓ ଫର୍‌ ମୋଜା ଓ ଜୋତା। ଯାହାକି ସହରିଆଙ୍କ ପସନ୍ଦର ସର୍ବାଗ୍ରେ ରହିଛି।

ସମ୍ବନ୍ଧିତ ଖବର