ମାନବିକତାର ଜଗତୀକରଣ ହେଉ: ରାଜାଦିତ୍ୟ ବାନାର୍ଜୀ

ଭୁବନେଶ୍ବର: ଏବେ ପ୍ରଯୁକ୍ତିବିଦ୍ୟାର ଜଗତୀକରଣ ହେଉଛି ମାତ୍ର ମାନବିକତାର ହେଉନାହିଁ। ସମାଜରେ ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ସ୍ବରକୁ ଗୁରୁତ୍ବ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ଥିଏଟର୍ ଓ ସିନେମାର ଭୂମିକା ଗୁରୁତ୍ବପୂର୍ଣ୍ଣ। ସେଣ୍ଟର୍ ଅଫ୍ ଏସିଆନ୍ ଷ୍ଟଡିଜ୍ ଓ ଜାତୀୟ ଅଭିଲେଖାଗାର ଦ୍ବାରା ଆୟୋଜିତ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ମଞ୍ଚ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦେଶକ ରାଜାଦିତ୍ୟ ବାନାର୍ଜୀ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଡେଥ୍ ସାର୍ଟିଫିକେଟ୍’ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହେବା ସହିତ ଖ୍ୟାତି ଅର୍ଜନ କରିଛି। ପ୍ରଫେସର ଯତୀନ୍ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ‘ସେଣ୍ଟର୍ ଅଫ୍ ଏସିଆନ୍ ଷ୍ଟଡିଜ୍’ର ନିର୍ଦେଶକ ସଂଗ୍ରାମ ଜେନା ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଇଂରାଜୀ ପତ୍ରିକା ‘ମାର୍ଗ ଏସିଆ’ର ଦଶମ ସଂଖ୍ୟାକୁ ଶ୍ରୀ ବାନାର୍ଜୀ ଉନ୍ମୋଚନ କରିଥିଲେ। ଜାତୀୟ ଅଭିଲେଖାଗାର, ଭୁବନେଶ୍ବରର ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଡ. ଅରବିନ୍ଦ ବେହେରା, ପ୍ରଫେସର ସ୍ବାଧୀନ ପଟ୍ଟନାୟକ, ସଞ୍ଜୀବ ହୋତା, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ଅମିୟ ଭୂଷଣ ତ୍ରିପାଠୀ, ସୁଧାଂଶୁ ଷଡ଼ଙ୍ଗୀ, ଅନନ୍ତ ମହାପାତ୍ର ଆଦି ବିଶିଷ୍ଟ ବ୍ୟକ୍ତିବୃନ୍ଦ ଥିଲେ।

ସମ୍ବନ୍ଧିତ ଖବର