‘ସୀତା’ରେ ରାଜାଘର କଥା

ଭୁବନେଶ୍ବର : ରାଜାଘରର ରୋମାଞ୍ଚକ କଥାବସ୍ତୁକୁ ନେଇ ଆଜି ଭଂଜ କଳାମଣ୍ଡପରେ ମଂଚସ୍ଥ ହୋଇଛି ନାଟକ ‘ସୀତା’। ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳ ପୁଅ ଓ ବଢ଼େଇ ପୁଅ ଗୁରୁକୂଳରେ ଏକାଠି ଯାଇ ଶିକ୍ଷା ଗ୍ରହଣ କରନ୍ତି। ଶିକ୍ଷା ଶେଷ କରି ଫେରିବା ବେଳେ ବାଟରେ ରାତି ‌ହୋଇଯାଏ। ରାତିକୁ ୪ ଭାଗରେ ବାଣ୍ଟି ଜଣେ ଲେଖାଏଁ ଜଗିଲେ ଓ ଅନ୍ୟ ୩ଜଣ ବିଶ୍ରାମ ନେଲେ। ତେବେ ଏତିକିବେଳେ ଏକ କାଠଖଣ୍ଡରୁ ଜନ୍ମ ନେଲା ଅନିନ୍ଦ୍ୟ ସୁନ୍ଦରୀ ପରୀକନ୍ୟା। ତାକୁ ପାଇବା ପାଇଁ ୪ଜଣଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜେ। ଶେଷରେ ଏହି ପରୀକନ୍ୟାର ମାୟାରେ ୪ ଜଣ ଅନ୍ୟ ରାଜାଙ୍କ ଦ୍ବାରା ବନ୍ଦୀ ହୁଅନ୍ତି। ଏଣେ ପରୀକନ୍ୟାଟି ପୁଣି କାଠ ଖଣ୍ଡରେ ପରିଣତ ହୁଏ। ନାଟକ ‘ସୀତା’ର କାହାଣୀ ରତି ମିଶ୍ର ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଅଭିନ୍ନ ରାଉତରାୟ। ଜୀବନରେଖା ନାଟ୍ୟ ସଂସ୍ଥାର କଳାକାରମାନେ ଏହି ନାଟକ ଭେଟି ଦେଇଥିଲେ। ମାନୁ, ପବିତ୍ର, ସୁନିଲ୍‌, ଜ୍ଞାନଦୀପ, ଦୀପନ୍ବିତ, ସ୍ବାତୀ, ନିବେଦିତା, ସୁଧାଶ୍ରୀ, ଗଗନଦୀପ୍ତ, ଅଭିଳାଷ, ସିଦ୍ଧ, ଶ୍ରେୟାଂଶ, ନିଗମେସ୍‌, ଜୟ, ସୂର୍ଯ୍ୟ, ଅଭିଷେକ, ରୌମ୍ୟକାନ୍ତ ଅଭିନୟ କରିଥିଲେ। ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ, ପ୍ରଦୀପ୍ତ ଲେଙ୍କା, ସଂଜୟ କୁମାର ଶତପଥୀ, ଚିନ୍ମୟୀ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର