‘ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା’ ଲୋକାର୍ପିତ

ଭୁବନେଶ୍ବର: ବରିଷ୍ଠ ପ୍ରଶାସକ କବି ବିଷ୍ଣୁପଦ ସେଠୀଙ୍କ ଅନୂଦିତ କବିତା ପୁସ୍ତକ ‘ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା’ ଲୋକାର୍ପିତ ହୋଇଯାଇଛି। ଜୟଦେବବିହାର ନିକଟ କ୍ଵାଣ୍ଟମ ଲିପ ସଂସ୍ଥାର ସଭାଗୃହରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଫେସର୍‌ ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ ଯେ ଅନୁବାଦ ଗୋଟିଏ ଜାତିର ଭାଷା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇଥାଏ। ଓଡ଼ିଆରେ ଖୁବ୍‌ ସୁନ୍ଦର ଲେଖାମାନ ରହିଛି କିନ୍ତୁ ଅନୁବାଦ ନ ହେବାରୁ ଲୋକେ ଓଡ଼ିଆ ସଂସ୍କୃତିକୁ ଚିହ୍ନି ପାରୁନାହାନ୍ତି। ଅତିଥି ଆଲୋଚକ ପ୍ରଫେସର ବିଜୟ ଶତପଥୀ କହିଲେ, ବିଷ୍ଣୁପଦଙ୍କ କବିତା ବୁଝିବାକୁ ଜଣଙ୍କ ପାଖରେ ନିଷ୍କପଟ ହୃଦୟ ରହିବା ଦରକାର। ଅନୁବାଦକ ପ୍ରସାଦ ତ୍ରିପାଠୀ କହିଲେ, ବିଷ୍ଣୁପଦଙ୍କ କବିତା ସୂକ୍ଷ୍ମ ଚେତନାରେ ପରିପୂର୍ଣ୍ଣ।

ମୂଳ ପୁସ୍ତକର ଲେଖକ ଶ୍ରୀ ସେଠୀ ତାଙ୍କ କବିତା ରଚନାର ଅନୁଭୂତି ବର୍ଣ୍ଣନା କରିଥିଲେ। ଚତୁର୍ପାର୍ଶ୍ବ ଘଟଣାବଳୀକୁ ସେ ନିଜ ଲେଖାରେ ସ୍ଥାନ ଦେଇଛନ୍ତି। ଅନ୍ୟତମ ଆଲୋଚକ କବି ବାସୁଦେବ ସୁନାନୀ, କବି ମନୁଆ ଦାସ, ଇଂରାଜୀ କବି ରବୀନ୍ଦ୍ର ସ୍ୱାଇଁ, ଅର୍ପିତା ପତ୍ରିକାର ସମ୍ପାଦକ ସୁବାସ ଷଡ଼ଙ୍ଗୀ, ନୀଳକଇଁ ପତ୍ରିକାର ସମ୍ପାଦିକା ସସ୍ମିତା ଦାସ, କବି ପ୍ରବୀର ମହାନ୍ତି, କବି ମହେନ୍ଦ୍ର ମଲ୍ଲିକ, ଗଙ୍ଗାଧର ନାୟକ, କବି ଜ୍ୟୋତ୍ସ୍ନାରାଣୀ ଭୋଇ, ଅରବିନ୍ଦ ରାୟ, କବି ମଧୁସୂଦନ ଦାସ, ପ୍ରଫେସର ବିଜୟ ପାତ୍ର, ପ୍ରଫେସର ପଙ୍କଜ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାଚୀ ସାହିତ୍ୟାନୁଷ୍ଠାନର ପ୍ରତିଷ୍ଠାତା ଶକ୍ତିପ୍ରସାଦ ତ୍ରିପାଠୀଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବକୁ କବି ବାସୁଦେବ ସୁନାନୀ ସଂଚାଳନ କରିଥିଲେ। ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର