ପିଲାଙ୍କ ବୃତ୍ତି ଓ ପ୍ରବୃତ୍ତି ମେଳ ପାଇଁ ବାତାବରଣ ସୃଷ୍ଟି ହେଉ

ରାଜାରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ରାଜାରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ଦ୍ୱିତୀୟ ବାପା ମା’। ସେମାନେ ଆଗାମୀ ଦିନରେ ପିଲାମାନଙ୍କୁ ବଢ଼ିବା ପାଇଁ ସାହାଯ୍ୟ କରନ୍ତି। ତେବେ ପିଲାକୁ ଅଗ୍ରସର ହେବାରେ ଅଭିଭାବକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧିକାଂଶ ବାପା ମା’ମାନେ ତାଙ୍କର ଅପୂର୍ଣ୍ଣ ଆଶା ପିଲାମାନଙ୍କ ଜରିଆରେ ପୂର୍ଣ୍ଣ କରିବାକୁ ଚାହାନ୍ତି। କିନ୍ତୁ ଏହା ଏକ ଭୁଲ୍‌ ନିଷ୍ପତ୍ତି। ବରଂ ନିଜ ବୋଝ ପିଲାଙ୍କ ଉପରେ ଲଦି ନଦେଇ ପିଲାଙ୍କ ବୃତ୍ତି ଓ ପ୍ରବୃତ୍ତିରେ ମେଳ ଖାଇବା ଭଳି ବାତାବରଣ ସୃଷ୍ଟି କରିବା ଉଚିତ ବୋଲି ସେ କହିଥିଲେ। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରସନ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ, ନିଜର ଭ୍ରମଣ କାହାଣୀର ଅଭିଜ୍ଞତା ବ୍ୟକ୍ତ କରି ଶିକ୍ଷା କ୍ଷେତ୍ରରେ ରହିଥିବା ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିମଳା ନନ୍ଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ବିଧାନ ପଟ୍ଟନାୟକ, ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଅଦ୍ୱୈତ କୁମାର ପାତ୍ର, ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଜାହିଦୁର୍‌ ରେହମନ, ନିମାଇଁ ଚରଣ ରାଉତ, ଉମେଶ ସେନାପତି, ଗିରିଜା ପ୍ରସାଦ ପଟ୍ଟନାୟକ, କମଳା ନେହେରୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁଭଦ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ସମ୍ପାଦକ ଅନନ୍ତ ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶୁଭ୍ରା ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ଗୋଲାପରାଣୀ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର