ରାଜାରାଣୀ ସଙ୍ଗୀତ ଉତ୍ସବ: ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ସଙ୍ଗୀତ, ସୀତାର ବାଦନ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ‘ରାଜାରାଣୀ ସଙ୍ଗୀତ ମହୋତ୍ସବ’ର ଦ୍ବିତୀୟ ସଂଧ୍ୟା‌ରେ ଓଡ଼ିଶୀ ସଙ୍ଗୀତ ଓ ସୀତାର ବାଦନ ଶ୍ରୋତାଙ୍କୁ ଆହ୍ଲାଦିତ କରିଥିଲା। ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରାମହରି ଦାସ ଓ ସାଥୀଙ୍କ ସଙ୍ଗୀତ ପରିବେଷଣରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଗ ମୁଖାରୀ ଓ ତାଳ ଏକତାଳୀରେ ରାଗାଙ୍ଗ ପ୍ରବନ୍ଧ ‘ସରସ ଯେତିକି, ବନ୍ଧୁ ବିରସ ତେତିକି… ପରିବେଷଣ ବେଶ୍‌ ମନଛୁଁଆ ଥିଲା। ପରେ ପରେ ଦେଖକୁଞ୍ଜ କେଡ଼େ ଶୋଭା… ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରାଚୁର୍ଯ୍ୟକୁ ଦର୍ଶାଉଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ ଶଙ୍କରାଭରଣ ଓ ତାଳ ଏକତାଳିରେ ରାଗାଙ୍ଗ ପ୍ରବନ୍ଧ ‘ଅପୂର୍ବ ଦେଖିଲି, ଆଜରେ ସଜନୀ… ଗାନ କରାଯାଇଥିଲା। ଶେଷରେ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ରଚନାରେ ଛାନ୍ଦ ଆହା ଧନୁର୍ଦ୍ଧର ବୀର ପରିବେଷିତ ହୋଇଥିଲା। ସୁନ୍ଦର ଓ ନିଖୁଣ ପରିବେଷଣ ଦ୍ୱାରା ଗୁରୁ ରାମହରି ଦାସ ଓ ସାଥୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମର୍ଦଳରେ ସହଯୋଗିତା କରିଥିଲେ ଗୁରୁ ନିରଞ୍ଜନ ପାତ୍ର, ହାରମୋନିୟମ୍‌ରେ ଅଜୟ କୁମାର ଦାଶ ଓ ତାନପୁରାରେ ସହଯୋଗ କରିଥିଲେ ମାତୃପ୍ରସାଦ ଦାସ ଓ କୁମାରୀ ସୃଷ୍ଟି ସ୍ୱରୂପା ମିଶ୍ର।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ସୀତାର ବାଦନ ଯାହାକୁ ପରିବେଷଣ କରିଥିଲେ ବିଖ୍ୟାତ ସୀତାର ବାଦକ ପଣ୍ଡିତ ପୁରବାୟାନ ଚାଟାର୍ଜୀ। ପ୍ରଥମେ ସେ ରାଗ ପୁରିଆ କଲ୍ୟାଣ ସହିତ ବିଭିନ୍ନ ତାଳ ଓ ରାଗ ସମନ୍ବୟରେ ସୀତାର ବାଦନ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ତବଲାରେ ଓଜସ ଆଢ଼ିଆ। ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ସଙ୍ଗୀତା ଗୋସାଇଁ ଓ ଅନୁଜା ତାରିଣୀ ମିଶ୍ର। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ଉପ ସଚିବ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର