ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ: ମନ୍ତ୍ରମୁଗ୍ଧ କଲା ବଂଶୀ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ

ଭୁବନେଶ୍ୱର: ହିନ୍ଦୁସ୍ଥାନୀ ବଂଶୀବାଦକ ଗୁରୁ ଜବାହର ମିଶ୍ରଙ୍କ ବଂଶୀ ବାଦନ ଓ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଶାରଦ ଅଶ୍ୱିନୀ ଭିଡ଼େ ଦେଶପାଣ୍ଡେଙ୍କ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଲେ ଶ୍ରୋତା। ମାର୍ଗଶିର ମାସରେ ଶୀତୁଆ ସନ୍ଧ୍ୟା ସହ ଶାସ୍ତ୍ରୀୟ ସଂଗୀତ ମୂର୍ଚ୍ଛନ‌ାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇ ଉଠିଥିଲା। ଅବସର ଥିଲା, ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆୟୋଜିତ ତିନିଦିନିଆ ରାଜାରାଣୀ ସଙ୍ଗୀତ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟା। ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ବଂଶୀବାଦକ ଗୁରୁ ଜବାହର ମିଶ୍ରଙ୍କ ଦ୍ୱାରା ବଂଶୀ ବାଦନ। ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ବାଗେଶ୍ରୀ ପରେ ପରେ ଧୃତ ତିନତାଲ।

ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶୀ ଥିଲା। ତାଙ୍କୁ ବଂଶୀରେ ବିଦେହ ଭୂଷଣ ଓ ତବଲାରେ ବିଶ୍ୱରଞ୍ଜନ ନନ୍ଦ ସହଯୋଗ କରିଥିଲେ। ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଶାରଦ ବିଦୁଷୀ ଅଶ୍ୱିନୀ ଭିଡ଼େ ଦେଶପାଣ୍ଡେଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପରିବେଷଣ। ତାଙ୍କର ପ୍ରଥମ ପରିବେଷଣ ଥିଲା ଜୟ ଜୟନ୍ତୀ। ପରେ ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‌ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ। ଅଶ୍ୱିନୀ ଭିଡ଼େଙ୍କୁ ହାରମୋନିୟମ୍‌ରେ ବିନୟ ମିଶ୍ର, ତବଲାରେ ୟତି ଭଗତ୍ ଓ କଣ୍ଠରେ ଶିବାନୀ କଲ୍ୟାଣପୁରୀ ସହଯୋଗ କରିଥିଲେ।

ଆଜି ସନ୍ଧ୍ୟାର ଅତିଥି ଭାବେ ବିଏମ୍‌ସି ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଚାଳନା କରିଥି‌ଲେ ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର।

ସମ୍ବନ୍ଧିତ ଖବର