ଭୁବନେଶ୍ୱର : ମନ୍ଦିର ପ୍ରାଙ୍ଗଣର ରେଶମୀ ଘାସ ଗାଲିଚା ସାଙ୍ଗକୁ ଗଛରେ ଝୁଲୁଥିଲା ରଙ୍ଗବେରଙ୍ଗର ଆଲୋକମାଳା। ଶାନ୍ତସ୍ନିଗ୍ଧ ପରିବେଶରେ ଆଘ୍ରାଣ କରି ହେଉଥିଲା ଝୁଣା ଧୂଆଁର ବାସ୍ନା। ଏହାରି ଭିତରେ ଝରୁଥିଲା ଶାସ୍ତ୍ରୀୟ ରାଗରାଗିଣୀର ମିଠା ଧୂନ୍। ଏହିଭଳି ଏକ ରୋଚକ ପରିବେଶରେ ରାଜାରାଣୀ ମନ୍ଦିର କୋଳରେ ଆୟୋଜିତ ରାଜାରାଣୀ ସଂଗୀତ ଉତ୍ସବ ଶେଷ ହୋଇଛି।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶୀ ସଂଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ଉତ୍ସବର ଶେଷ ସନ୍ଧ୍ୟାର ଶିଳ୍ପୀ ଥିଲେ ସଞ୍ଜୀବ ଅଭୟଙ୍କର। ହିନ୍ଦୁସ୍ଥାନୀ କଣ୍ଠ ସଂଗୀତରେ ତାଙ୍କ ପରିବେଷିତ ‘କହେ ସଖୀ କୈସେ.., ‘ସଖୀ ହେ ଆଜ.. ଭଳି ସଂଗୀତ ଶ୍ରୋତାଙ୍କ ପାଇଁ ବୁଝିବା ସହଜ ନଥିଲେ ହେଁ ସୁନ୍ଦର ପରିବେଶ ସହ ଗୀତର ପରସ ମନଛୁଆଁ ହୋଇଥିଲା। ଆଦିତ୍ୟ ଯୋଶୀ, ଏମ୍ କୁଲ୍କର୍ଣ୍ଣି ସଂଗୀତାଂଶେ ସହଯୋଗ କରିଥିଲେ। ପରେ ଅନ୍ତର୍ଜାତୀୟ ବେହେଲା ବାଦକ ଗଣେଶ ଓ କୁମାରେଶଙ୍କ ବେହେଲା ବାଦନରେ କର୍ଣ୍ଣାଟକୀ ସଂଗୀତର ଧୂନ୍ ଶୁଣିବାକୁ ମିଳିଥିଲା। ତାଙ୍କୁ ସଂଗୀତାଂଶେ ସହଯୋଗ କରିଥିଲେ ଆର୍ ଶଙ୍କର ନାରାୟଣ ଏବଂ ତ୍ରିଜି ସ୍ୱାମୀ।
ଶେଷ ସନ୍ଧ୍ୟାରେ ବିଶିଷ୍ଟ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ର କ୍ଷୀରୋଦ ପଟ୍ଟନାୟକ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପ୍ରକାଶ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗୀତା ଗୋସାଇଁ ଏବଂ ଭିଦୁଲା ରାମଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପର୍ଯ୍ୟଟନ ବିଭାଗର ସହ ନିର୍ଦେଶକ ସୁନିଲ କୁମାର ପଟ୍ଟନାୟକ, ସରୋଜ କୁମାର ଜେନା, ପ୍ରତାପଦେବ ରାଜ ଏବଂ ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।