ରାଜଶ୍ରୀଙ୍କ ଓଡ଼ିଶୀ ନୃତ୍ୟରେ ‘ତ୍ୟାଗ’

‘ନ ପାହୁ ରାତି ନମରୁ ପତି’

ଭୁବନେଶ୍ୱର: ତ୍ୟାଗ ନାରୀର ଏକ ସୂକ୍ଷ୍ମ ରୂପ ଓ ଏହା ନାରୀର ସହଜାତ ପ୍ରକୃତି। ଦୁଇଟି ନାରୀଙ୍କ ଜୀବନ ଭରି ତ୍ୟାଗକୁ ନୃତ୍ୟରେ ରୂପାନ୍ତରିତ କରାଯାଇଛି। ଓଡ଼ିଆର ପାରମ୍ପରିକ ଗୀତିନାଟ୍ୟ ଅଭିନୟ ଶୈଳୀକୁ ଲୋକଲୋଚନକୁ ଆଣିବା ପାଇଁ ଗୁରୁ ରତିକାନ୍ତଙ୍କ ଏହା ଏକ ପ୍ରଚେଷ୍ଟା। ଜଣେ ରାଜକୁମାରୀ ବରଣମାଳା ନେଇ ମନ୍ଦିରରୁ ଫେରୁଥିବା ସମୟରେ ଭିକ୍ଷୁକଙ୍କୁ ଦେଖି ଅଟକିଗଲେ। ଭିକ୍ଷୁକମାନଙ୍କୁ ଭିକ୍ଷା ଦେଉ ଦେଉ ସବୁ ସରିଯାଇଥିଲା। ଅନ୍ୟମନସ୍କରେ ହାତରେ ଥିବା ବରଣମାଳାଟି ସେଇ ଭିକ୍ଷୁକଙ୍କ ଗଳାରେ ପକାଇ ଦେଇଥିଲେ। ବିଧିର ନିୟମ ଅନୁସାରେ ରାଜକୁମାରୀଙ୍କୁ ସେହି କୁଷ୍ଠ ରୋଗୀ ଭିକ୍ଷୁକଙ୍କୁ ବିବାହ କରିବା ପାଇଁ ପଡ଼ିଥିଲା। ରାଜକୁମାରୀ ଭିକ୍ଷୁକଙ୍କୁ ପତି ରୂପେ ଗ୍ରହଣ କରି ରାଜମହଲ ତ୍ୟାଗ କରିଥିଲେ। ଏଇ ରାଜକୁମାରୀ ଥିଲେ ଅନସୂୟା। ଏଣେ ଭିକ୍ଷୁକ ବିଷ୍ଣୁ ଦାସ ବାରାଙ୍ଗନା ଲକ୍ଷହୀରାଙ୍କୁ ଦେଖି ଆକର୍ଷିତ ହେଲା ଓ ପତ୍ନୀ ଅନସୂୟାଙ୍କୁ ଏ ବିଷୟରେ ଜଣାଇଲା। ସ୍ୱାମୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଅନସୂୟା ଲକ୍ଷହୀରାଙ୍କୁ ଭେଟିଥିଲେ। ଫେରିବା ସମୟରେ ଅନସୂୟାଙ୍କ ପାଦ ଜଣେ ଋଷିଙ୍କ ଦେହରେ ବାଜିଗଲା। ତତ୍‌କ୍ଷଣାତ ଋଷି ଅଭିଶାପ ଦେଇଥିଲେ। ରାତି ପାଇବା କ୍ଷଣି ତୋ ସ୍ୱାମୀଙ୍କ ମୃତ୍ୟୁ ହେବ। ମାତ୍ର ପତିବ୍ରତା ଅନସୂୟାଙ୍କ ଭକ୍ତି ଆଗରେ ହାର୍‌ ମାନିଥିଲା ସମୟ। ପାଇ ନଥିଲା ରାତି। ଆଉ ଈଶ୍ୱରଙ୍କ ଦୟାରୁ ବିଷ୍ଣୁ ଦାସ ମଧ୍ୟ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ଏମିତି ଦୁଇ ସତୀ ନାରୀ ଅନସୂୟା ଓ ଲକ୍ଷହୀରାଙ୍କ କାହାଣୀକୁ ନେଇ ରବୀନ୍ଦ୍ର ମଣ୍ଡପରେ ଆଜି ପରିବେଷିତ ହୋଇଥିଲା ରାଜଶ୍ରୀ ପ୍ରହରାଜ ଓ ସାଥୀଙ୍କ ଓଡ଼ିଶୀ ନୃତ୍ୟ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ମିନତି ମିଶ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ଅତିଥି ଭାବେ ଯୋଗ ଦେଇଥିଲେ। ଏହାର ନୃତ୍ୟ ରଚନା ଜୟଦେବ ଦାସ କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ପାଲିତ। ନୃତ୍ୟ ଓ ବାଦ୍ୟରେ ସହଯୋଗ କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ଅନସୂୟା ଭୂମିକାରେ ରାଜଶ୍ରୀ ପ୍ରହରାଜ, ବିଷ୍ଣୁ ଦାସ ଭୂମିକାରେ ସଞ୍ଜୟ କୁମାର ବେହେରା, ଲକ୍ଷହୀରା ଭୂମିକାରେ ଐଶ୍ୱର୍ଯ୍ୟା ସିଂହଦେବ, ନାରାୟଣଙ୍କ ଭୂମିକାରେ ଋତୁ ସେନ୍‌ଗୁପ୍ତା, ପ୍ରତିସା ମହାପାତ୍ର, ସିପ୍ରା ସ୍ୱାଇଁ, ପ୍ରଜ୍ଞା ପରମିତା ଦାସ ଏବଂ ରିୟଙ୍କା ଚକ୍ରବର୍ତ୍ତୀ ପ୍ରମୁଖ ଚମତ୍କାର ନୃତ୍ୟାଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।

ସମ୍ବନ୍ଧିତ ଖବର