ଅନ୍ତଃରାଜ୍ୟ ଲେଡି ବ୍ଲାକମେଲର୍‌ଙ୍କୁ ଉଠାଇନେଲା ରାଜସ୍ଥାନ ପୁଲିସ

ଭୁବନେଶ୍ବର: ସମ୍ଭ୍ରାନ୍ତ ଓ ପ୍ରତିଷ୍ଠିତ ଲୋକଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ର ଧମକ ଦେଇ ଲକ୍ଷଲକ୍ଷ ଟଙ୍କା ଲୁଟୁଥିବା ଜଣେ ଅନ୍ତଃରାଜ୍ୟ ଲେଡି ବ୍ଲାକମେଲର୍‌ ରାଜଧାନୀରୁ ଧରାପଡ଼ିଛି। ସେ ହେଲେ, କର୍ଣ୍ଣାଟକର ପ୍ରୀତି ଦେଶାଈ (୪୨)।

ଟାର୍ଗେଟ୍‌ରେ ଥିଲେ ବ୍ୟବସାୟୀ, ଶିଳ୍ପପତି
ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଧମକ ଦେଇ ଲୁଟୁଥିଲେ
ଅର୍ଚ୍ଚନାଙ୍କ ଭଳି ଥିଲା ବ୍ଲାକମେଲ୍‌ର ଶୈଳୀ

ଚନ୍ଦ୍ରଶେଖରପୁର ଥାନା ସହାୟତାରେ ରାଜସ୍ଥାନ ପୁଲିସ୍‌ ତାଙ୍କୁ ଏଠାରୁ ଏକ ଆପାର୍ଟମେଣ୍ଟରୁ ଗିରଫ କରିଛି। ଏଠାରେ ତାଙ୍କୁ କୋର୍ଟରେ ହାଜର କରାଇବା ପରେ ପୁଲିସ୍‌ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ରାଜସ୍ଥାନ ନେଇଯାଇଛି। ଅର୍ଚ୍ଚନା ନାଗ ମାମଲା ନ ଥମୁଣୁ ରାଜଧାନୀରୁ ଆଉ ଜଣେ ଲେଡି ବ୍ଲାକମେଲର୍‌ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରୀତିଙ୍କ ବ୍ଲାକମେଲ୍‌ କରିବାର ଶୈଳୀ ପୂରା ଅର୍ଚ୍ଚନାଙ୍କ ଭଳି ବୋଲି ପୁଲିସ୍‌ କହିଛି।

କେମିତି ଫସାଉଥିଲେ?

ପ୍ରୀତି ସୋସିଆଲ୍‌ ମିଡିଆରେ ଧନୀକ ଶ୍ରେଣୀ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ରାଜନେତା, ଶିଳ୍ପପତିଙ୍କ ସହ ବନ୍ଧୁତା କରୁଥିଲେ। ଚାଟିଂ କରି ନିକଟତର ହେବା ପରେ ସେମାନଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ପ୍ରସ୍ତାବ ଦେଉଥିଲେ। ତା’ ପରେ ତାଙ୍କ ଅସଲ ଖେଳ ଆରମ୍ଭ ହୋଇଯାଉଥିଲା। ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ତାହାକୁ ଭାଇରାଲ୍‌ କରିବାକୁ ଧମକ ଦେଉଥିଲେ। ଟଙ୍କା ନ ଦେଲେ ଦୁଷ୍କର୍ମ ମାମଲାରେ ଫସାଇଦେବେ ବୋଲି କହୁଥିଲେ। ବଦ୍‌ନାମରୁ ରକ୍ଷା ପାଇବା ପାଇଁ କିଛି ଲୋକ ଟଙ୍କା ଦେଇ ତାଙ୍କଠାରୁ ଦୂରେଇ ଯାଉଥିଲେ। କିନ୍ତୁ ବ୍ଲାକ‌ମେଲ୍‌ରେ ଅତିଷ୍ଠ ହୋଇ କର୍ଣ୍ଣାଟକର ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିବାରୁ ତାହା ପ୍ରୀତିଙ୍କ ପାଇଁ ଅଡ଼ୁଆ ହୋଇଯାଇଥିଲା। ତେଣୁ ସେ କର୍ଣ୍ଣାଟକ ଛାଡ଼ି ରାଜସ୍ଥାନର ଭରତପୁର ଜିଲ୍ଲା କୋଟବାଲି ଥାନା ଅଞ୍ଚଳକୁ ଚାଲି ଆସିଥିଲେ। ସେଠାରେ ଜଣେ କପଡ଼ା ବ୍ୟବସାୟୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ପରେ ତାଙ୍କୁ ବି ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ସେଠାରୁ ଟଙ୍କା ପାଇବା ପରେ ଭୁବନେଶ୍ବର ଚାଲି ଆସିଥିଲେ।

ଧରାଇଲେ ରାଜସ୍ଥାନ ବ୍ୟବସାୟୀ

ପ୍ରୀତି ବି.ଟେକ୍‌ କରିଥିବାରୁ ୩-୪ ମାସ ତଳେ ଭୁବନେଶ୍ବର ଆସି ଏକ ସଫ୍ଟୱେୟାର୍‌ ଇଂଜିନିୟର୍‌ ଭାବେ ଏକ କମ୍ପାନିରେ କାମ କରୁଥିଲେ। ଏଠାରେ ଗଙ୍ଗୋତ୍ରୀ ନାମକ ଏକ ଆପାର୍ଟମେଣ୍ଟ‌ରେ ରହୁଥିଲେ। ତେବେ ଏହାରି ଭିତରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ତାଙ୍କ ମାୟାଜାଲରେ ଛନ୍ଦି ଦେଇଥିଲେ। ତେବେ ପ୍ରୀତିଙ୍କ ବ୍ଲାକମେଲ୍‌ର ଶିକାର ହୋଇଥିବା ରାଜସ୍ଥାନର କପଡ଼ା ବ୍ୟବସାୟୀ ତାଙ୍କ ଖବର ନେଉଥିଲେ। କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ ପ୍ରୀତି ଭୁବନେଶ୍ବରରେ ଅଛନ୍ତି। ବ୍ୟକ୍ତିଗତ ସ୍ତରରେ ଅନୁସନ୍ଧାନ କରି ସେ ସ୍ଥିର ନିଶ୍ଚିତ ହେବା ପରେ ତାଙ୍କୁ ଧରିବା ପାଇଁ ରାଜସ୍ଥାନର ଭରତପୁର ଜିଲ୍ଲାର କୋଟବାଲି ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଦୁଇ ଦିନ ତଳେ ରାଜସ୍ଥାନ ପୁଲିସ୍‌ର ଏକ ଟିମ୍ ଭୁବନେଶ୍ୱରରେ ଡେରା ପକାଇଥିଲା। ଗତକାଲି ଚନ୍ଦ୍ରଶେଖର ଥାନା ପୁଲିସ୍ ସହାୟତାରେ ସେମାନେ ପ୍ରୀତିଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର