ପୁରୁଣା ଭୁବନେଶ୍ୱର: ରାଜଧାନୀରେ ଶୀତର ଲହରୀ। ଚିନାବାଦାମ ଖାଇବା ପାଇଁ ବିଭିନ୍ନ ରାସ୍ତା କଡ଼ରେ ବସିଛି ବାଦାମ ଭଜାର ପସରା। ତେବେ ଆଉ ଦେଶୀ ବାଦାମ ପସରା ଦେଖିବାକୁ ମିଳୁନି। ସବୁ ଆଡ଼େ ରାଜସ୍ଥାନୀ ବାଦାମର ପସରା ଦେଖିବାକୁ ମିଳୁଛି। ବିଭିନ୍ନ ଛକରେ, ରାଜଧାନୀର ରାଜରାସ୍ତା କଡ଼ରେ ପସରା ମେଲାଇ ବସିଛନ୍ତି ରାଜ୍ୟ ବାହାରର ବାଦାମ ବେପାରୀ। ସେମାନେଏଠାରେ ଭଜାବାଦାମ ବିକି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ଏହି ବେପାରୀମାନେ ବିକୁଛନ୍ତି ରାଜସ୍ଥାନୀ ବାଦାମ। ଖୋଲା ଆକାଶ ତଳେ ଦୋକାନ ଓ ସେଇଠି ବାଦାମ ଭଜା ଶାଳ। ବଡ଼ଚୁଲିରେ ବଡ଼ କଡ଼େଇରେ ଭାଜି ଗରମାଗରମ ବାଦାମ ଗ୍ରାହକମାନଙ୍କୁ ପରଷି ଦେଉଛନ୍ତି। ଓଡ଼ିଶା ବଜାରରେ ବାହାର ରାଜ୍ୟର ବାଦାମର ଚାହିଦାକୁ ଆଖି ଆଗରେ ରଖି ଏହି ରାଜ୍ୟ ବାହାରର ବେପାରୀମାନେ ଗତ କିଛି ବର୍ଷ ହେଲା ରାଜଧାନୀ ବଜାରକୁ କବଜା କରିନେଲେଣି। ଉତ୍ତରପ୍ରଦେଶର ମୋରଦାବାଦ୍ରୁ ଆସିଛନ୍ତି କରନ କୁମାର, ମସର୍ ଖାନ୍, ଚମନ୍ ଖାନ୍, ବିଶାଲ୍ ଖାନ୍ ଓ କାମିନ୍ ଖାନ୍ଙ୍କ ଭଳି ଶହେରୁ ଅଧିକ ବାଦାମ ବେପାରୀ । କାରଗିଲ ରୋଡ଼୍ର ବସ୍ତିରେ ଘର ଭଡ଼ା ନେଇ ରହୁଛନ୍ତି। ସେହିଭଳି କିଛି ଶିଶୁପାଳଗଡ଼ ରାସ୍ତା, ପଟିଆ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବି ରହୁଛନ୍ତି। ଅପରାହ୍ନ ୩ଟା ହେଲେ ବାଦାମ ବସ୍ତା, ଦଣ୍ଡି ପାଲା, କଡ଼େଇ ଓ ଜାଳେଣୀ କାଠ ଆଦି ଧରି ସେମାନେ ବାହାରି ପଡୁଛନ୍ତି ରାଜଧାନୀର ରାସ୍ତା କଡ଼କୁ।
ଜନଗହଳିପୂର୍ଣ୍ଣ ଛକରେ ବସୁନାହାନ୍ତି, ରାସ୍ତାକଡ଼ର ନିଛାଟିଆ ସ୍ଥାନ ଦେଖି ପସରା ମେଲାଉଛନ୍ତି। ସେଇଠି ଗାତଖୋଳି ଚୁଲି କରିଛନ୍ତି। କଞ୍ଚା ବାଦାମ ଗଦେଇ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। କିଛି କିଛି ଗ୍ରାହକ କଞ୍ଚା ବାଦାମ କିଣୁଥିବାବେଳେ କେତେକ ଗ୍ରାହକ ଭଜା କିଣି ନେଉଛନ୍ତି। ଏବେ ପୁରୁଣା ଭୁବନେଶ୍ବର ରଥଦାଣ୍ଡ, ହାଇଟେକ୍ ରାସ୍ତା, ଶିଶୁପାଳଗଡ଼ ନିକଟ ମୁଖ୍ୟ ରାସ୍ତା ପୋଖରୀପୁଟ୍, ଖଣ୍ଡଗିରି, ଜୟଦେବବିହାର, ବରମୁଣ୍ଡା, ସମ୍ ହସ୍ପିଟାଲ୍, ରାମମନ୍ଦିର ଛକ, ନାଲ୍କୋ ଛକ, ପଟିଆ ଛକ ଓ ୫ନମ୍ବର ଜାତୀୟ ରାଜପଥ କଡ଼ରେ ଏମିତି ବେପାରୀଙ୍କୁ ଦେଖିବାକୁ ମିଳୁଛି । ହାଇଟେକ୍ ଅଞ୍ଚଳକୁ ଯିବା ସୁନ୍ଦରପଦା ନିକଟରେ ବସୁଥିବା ସମରେଶ ଓ ତାଙ୍କ ସାଥୀ ଚମନ୍ଙ୍କ କହିବା କଥା ଶୀତ ହେଉନଥିବାରୁ ଏତେଟା ବେପାର ନାହିଁ। କମ୍ ଗ୍ରାହକ କଞ୍ଚା କିଣୁଥିବା ବେଳେ ବେଶୀ ଲୋକ ଭଜା କିଣିବାକୁ ପସନ୍ଦ କରୁଛନ୍ତି। କେଜିଏ କଞ୍ଚା ବାଦାମ ଭାଜିଲେ ୯୦୦ଗ୍ରାମ ରହୁଛି। କଞ୍ଚା ବାଦାମ କେଜି ପ୍ରତି ୧୩୦ଟଙ୍କା ଓ ଭଜା ବାଦାମ କେଜି ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଖୁଚୁରାରେ ଭଜାବାଦାମ ଶହେ ଗ୍ରାମକୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରୁଛନ୍ତି। ଖୁଚୁରା ବେପାରରେ ବେଶୀ ଲାଭ। ସେମାନଙ୍କ କହିବା କଥା, ଶୀତ ଦିନ ସରିବା ବେଳକୁ ଅର୍ଥାତ୍ ମାର୍ଚ୍ଚ ମଧ୍ୟଭାଗରେ ଓଡ଼ିଶା ବାଦାମ ବଜାରକୁ ଆସିବ । ସେତେବେଳେ ବେପାର କମିବ। ମାତ୍ର ରାଜସ୍ଥାନରେ ବାଦାମ ଅମଳ ଏହାର ଯଥେଷ୍ଟ ପୂର୍ବରୁ ହୋଇଥାଏ। ଏବେ ଏହି ବାଦାମ ଅମଳ ହୋଇଥାଏ । ତେଣୁ ଓଡ଼ିଶା ବଜାରରେ ବାଦାମ ଭଜାର ଚାହିଦାକୁ ଦେଖି ସେମାନେ ଚାଲିଆସନ୍ତି। ୩ମାସ ବେପାର କରି ପୁଣି ନିଜ ଘରକୁ ଫେରି ଯାଆନ୍ତି। ଓଡ଼ିଶାରେ ବାଦାମ ଅମଳ ହେବା ପରେ ପରେ ସେମାନେ ଏହି ବଜାର ଛାଡ଼ି ଫେରି ଯାଆନ୍ତି।
IndiGo flight cancel: ଇଣ୍ଡିଗୋ ଯନ୍ତ୍ରଣା କମୁନି: ପଞ୍ଚମ ଦିନରେ ବି ୫୦୦ରୁ ଅଧିକ ବିମାନ ବାତିଲ
ସେମାନଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ସେମାନେ ରାଜସ୍ଥାନରୁ ୧୦ଟ୍ରକ୍ ବାଦାମ ମଗାଇଛନ୍ତି। ଏବେ ପ୍ରାୟ ୧୦ଭାଗ ବାଦାମ ବିକ୍ରି ହୋଇଗଲାଣି । ଯେତିକି ଅଛି, ତାହା ବିକ୍ରି ହେବ ବୋଲି ଆଶା ଅଛି। ମାର୍ଚ୍ଚରେ ସେମାନେ ନିଜ ରାଜ୍ୟକୁ ଫେରିଯିବେ। କିନ୍ତୁ ସିମର୍ଙ୍କ କହିବା କଥା ସେ ଓଡ଼ିଶା ବାଦାମ କିଣି ବେପାର କରିବାକୁ ସ୍ଥିର କରିଛନ୍ତି। ରାଜସ୍ଥାନ ବାଦାମ ଫାଇଦା ପରେ କିଛି ଦିନ ଭୁବନେଶ୍ୱରରେ ରହି ବେପାର କରିବେ। ୬ମାସ ପରେ ନିଜ ରାଜ୍ୟକୁ ଫେରିଯିବେ। ଏକଦା ଓଡ଼ିଶାରେ ପ୍ରଚୁର ବାଦାମ ଚାଷ ହେଉଥିଲା। ବାଦାମ ତେଲର ଚାହିଦା ମଧ୍ୟ ବହୁତ ଥିଲା। କିନ୍ତୁ ଏବେ ଓଡ଼ିଶାରେ ବାଦାମ ଚାଷ ବହୁ ପରିମାଣରେ ହ୍ରାସ ପାଇଛି । ଅଥଚ ଏତିକିବେଳେ ଏଠାରେ ରାଜସ୍ଥାନ ବାଦାମ ବେପାର ଜମୁଛି। ଶ୍ରାବଣ ମାସରୁ କେତେକ ସ୍ଥାନରେ ବିହାର ଓ ଉତ୍ତରପ୍ରଦେଶର ଯୁବକମାନେ ରାସ୍ତା କଡ଼ରେ ବସି ବାଦାମ ବ୍ୟବସାୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/fshhffhxvbvbvb-2025-12-07-03-43-10.jpg)