ଭୁବନେଶ୍ବର: ଆଜି ବି ଯାଯାବର ଢାଞ୍ଚାରେ ଚଳୁଛନ୍ତି ଏମାନେ। ଭୁବନେଶ୍ବରରେ ଏମାନଙ୍କର ସ୍ଥାୟୀ ଠିକଣା ନାହିଁ। ରାଜରାସ୍ତା କଡ଼ରେ ପଡ଼ିଥାଏ ଏମାନଙ୍କ ଡେରା। ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ମହିଳାମାନେ ପସରା ମେଲି ଦେଇଥିବା ବେଳେ ପୁରୁଷମାନେ ଘରକରଣା ତଥା ଘରସଜା ଜିନିଷ ତିଆରିରେ ଲାଗି ପଡ଼ିଥା’ନ୍ତି। ବର୍ଷର ଅଧା ଦିନ ଭୁବନେଶ୍ବରରେ ରହି ବେପାର କରୁଥିବା ଏହି ଯାଯାବରମାନେ ଅନ୍ୟ ସମୟରେ ଗାଁକୁ ଫେରିଯାଇ ଚାଷବାସ କରନ୍ତି। ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ଏମାନେ ଭୁବନେଶ୍ବର ଛାଡ଼ି ନିଜ ଭିଟାମାଟିକୁ ଫେରିଯାଉଥିବା ବେଳେ ଶୀତଋତୁ ସରିବା ବେଳକୁ ପୁଣି ଓଡ଼ିଶା ଫେରିଆସନ୍ତି। ଏମାନେ କୌଣସି ଗୋଟିଏ ରାଜ୍ୟର ନୁହଁନ୍ତି। ଭୁବନେଶ୍ବରରେ ଦେଖାଯାଉଥିବା ଏହି ଯାଯାବରମାନେ ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଆସି ଏଠାରେ ବେପାର କରୁଛନ୍ତି। ରାଜଧାନୀର ପ୍ରାୟ ସବୁ ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତାକଡ଼ରେ ଏମାନଙ୍କୁ ଦେଖିବାକୁ ମିଳୁଛି। ମୁଖ୍ୟ କଥା ହେଉଛି, ଏମାନଙ୍କ ପିଲାମାନେ ବି ନିଜ ନିଜ ସ୍କୁଲ ପାଇଁ ଯାଯାବର ଭଳି। ସେମାନେ ଗାଁରେ ଯେଉଁ ୬ ମାସ ରହନ୍ତି, ସେହି ସମୟ‌ରେ ସ୍କୁଲ୍‌କୁ ଯାଇଥା’ନ୍ତି।

Advertisment

ଏହି ଯାଯାବରମାନଙ୍କ ମଧ୍ୟରେ ଅଧିକ ହେଉଛନ୍ତି ରାଜସ୍ଥାନୀ। ପୁଣି ରାଜସ୍ଥାନୀ ଯାଯାବରଙ୍କ ଭିତରେ ଅଛନ୍ତି ଅଧିକାଂଶ ମହିଳା। ଏହି ମହିଳାମାନେ ବିଭିନ୍ନ ଡିଜାଇନର ରାଜସ୍ଥାନୀ ଶାଢ଼ି, ଚୁଡ଼ି, ପେଣ୍ଟିଂ ଆଦି ବିକ୍ରି କରୁଛନ୍ତି। କେହି କେହି ଟେଡିବିୟର୍, ବିଭିନ୍ନ ଆକର୍ଷଣୀୟ କଣ୍ଢେଇ, ବେଡ୍‌ସିଟ୍‌, ବେଲୁନ୍, ପିଲାଙ୍କ ପାଠପଢ଼ା ଟେବୁଲ ଓ ଚଷମା ଆଦି ବିକ୍ରି କରୁଛନ୍ତି। କିଛି ରାଜସ୍ଥାନୀ ଯୁବକ ମଧ୍ୟ ଭଜା ଓ ସିଝା ବାଦାମ ବିକୁଛନ୍ତି। ମରାଠୀ ଯାଯାବରମାନେ ଲୁହା ତିଆରି ଘରକରଣା ସାମଗ୍ରୀ ବିକୁଛନ୍ତି। ସେମାନେ ହେମଦସ୍ତା, ତାୱା, ଛୁରି, ପନିକି, ଟାଙ୍ଗିଆ, କଢ଼େଇ ଆଦି ବିକ୍ରି କରୁଛନ୍ତି।

ବଡ଼ କଥା ହେଉଛି, ପୁରୁଷମାନେ ରାସ୍ତାକଡ଼ରେ ଶାଳ କରି ଏହି ଜିନିଷ ତିଆରି କରୁଥିବା ବେଳେ ମହିଳାମାନେ ସେସବୁକୁ ବିକୁଛନ୍ତି। ଉତ୍ତରପ୍ରଦେଶରୁ ଆସୁଥିବା ଯୁବକମାନେ ବି ଖେଳଣା ସାମଗ୍ରୀ ସହିତ ଡୋର୍‌ ସ୍କ୍ରିନ୍‌, ବେଡ୍‌ସିଟ୍‌ ଆଦି ବିକ୍ରି କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ନିଜ ହାତରେ ଖେଳଣା ତିଆରି କରୁଛନ୍ତି। ଗୁଜୁରାଟରୁ ଆସିଥିବା ପରିବାରଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାର ପୋଷାକପତ୍ର ବିକୁଛନ୍ତି। ତେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ବହୁ ଯୁବକ ପକୁଡ଼ି ଓ ଜିଲାପି ବିକି ରୋଜଗାର କରୁଛନ୍ତି। ବଡ଼ କଥା ହେଉଛି ଭୁବନେଶ୍ବରର ଜଣାଶୁଣା ମାର୍କେଟ୍‌ ଅଞ୍ଚଳରେ ଏମାନଙ୍କୁ ବେପାର କରିବାକୁ ସ୍ଥାନ ମିଳେ ନାହିଁ। ତଥାପି ଏମାନେ ଯେଉଁଠି ବସିଯାଆନ୍ତି, ସେଇଠି ଅସ୍ଥାୟୀ ବଜାର ଗଢ଼ିଉଠେ। ପଥଚାରୀମାନେ ଏମାନଙ୍କ ଗ୍ରାହକ ହୋଇଥାଆନ୍ତି। ପୂର୍ବରୁ ଏମାନେ ରାଜଧାନୀ ଭିତରେ ପସରା ଧରି ବସୁଥିଲେ। କିନ୍ତୁ ଏବେ ରାଜଧାନୀ କଳେବର ବଢ଼ିଥିବାରୁ ଏମାନଙ୍କୁ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ବି ଦେଖିବାକୁ ମିଳୁଛି।

ରାଜସ୍ଥାନରୁ ଆସି କଣ୍ଢେଇ ବେପାର କରୁଥିବା ବିକି ବାଉରୀଙ୍କ କହିବା କଥା, ଦୀର୍ଘ ୭ ବର୍ଷ ହେଲା ସେ ପିଲାଛୁଆଙ୍କୁ ଧରି ଭୁବନେଶ୍ବର ଆସି ବେପାର କରୁଛନ୍ତି। ଏଠାରେ ୬ ମାସ ବ୍ୟବସାୟ କରିବା ପରେ ବର୍ଷା ଦିନ ଆସିବା ସମୟ ହେଲେ ସେ ଗାଁ’କୁ ଚାଲିଯାଆନ୍ତି। ଗାଁରେ ସେ ଚାଷ କାମ କରନ୍ତି। ସେମାନେ ପ୍ରାୟ ୪୦ ପରିବାର ପ୍ରତିବର୍ଷ ଭୁବନେଶ୍ବର ଆସୁଥିବା ସେ କହିଛନ୍ତି। ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସୁଥିବାରୁ ସେମାନଙ୍କ ପାଠପଢ଼ା ବର୍ଷର ଅଧାଦିନ ବନ୍ଦ ରୁହେ। କିନ୍ତୁ ସେମାନେ ନିରୁପାୟ ବୋଲି ବିକି କହିଛନ୍ତି।

publive-image

ପିଲାଙ୍କ ପାଠପଢ଼ା ପାଇଁ ପେଟ କଥା ପଛକୁ ପକାଇ ହେବ ନାହିଁ ବୋଲି ବିକି କହିଛନ୍ତି। ସେହିଭଳି ଉତ୍ତରପ୍ରଦେଶର ରତେଶ କୁମାରଙ୍କ କହିବା କଥା, ଓଡ଼ିଶାରେ ବିବାହ ଋତୁକୁ ଦେଖି ସେମାନେ ଆସନ୍ତି। ଶାଢ଼ି ଓ ଚୁଡ଼ି ବେପାର ଭଲ ହୁଏ। ଏବେ ଅଧାରୁ ଅଧିକ ଜିନିଷ ବିକ୍ରି ହୋଇସାରିଲାଣି। ବର୍ଷା ଦିନ ଆରମ୍ଭ ହେବାକୁ ଆହୁରି ୨ ମାସ ପ୍ରାୟ ଅଛି। ତେଣୁ ବାକି ଜିନିଷତକ ବିକ୍ରି ହୋଇଯିବ ବୋଲି ଆଶା ରହିଛି। ମହାରାଷ୍ଟ୍ରର ବାଟିଲାଲ୍‌ଙ୍କ କହିବା କଥା, ଗାଁରେ ଯେତିକି ଚାଷ ଅଛି, ସେଥି‌ରେ ବର୍ଷକ ଚଳିବା ସମ୍ଭବ ନୁହେଁ। ସେହିଭଳି ସେଠାରେ ବି ବଜାର ନଥିବାରୁ ସେମାନଙ୍କ ଜିନିଷ ବିକ୍ରି ହୋଇପାରୁନାହିଁ। ତେଣୁ ଓଡ଼ିଶାକୁ ଆସିବାକୁ ବାଧ୍ୟ ହେଉଛୁ। ପିଲାଛୁଆଙ୍କ ପାଠପଢ଼ା କଥା ଦେଖିଲେ ଭୋକରେ ରହିବାକୁ ପଡ଼ିବ। ତେଣୁ ଯେଉଁ ୬ମାସ ଗାଁରେ ରହୁଛୁ, ସେତିକିରେ ପିଲାମାନେ ଯେତିକି ପଢ଼ିବେ ସେତିକି ଯଥେଷ୍ଟ ବୋଲି ସେ କହିଥିଲେ।