ଚନ୍ଦ୍ରଶେଖରପୁର: ଦେଶର ମାଟି, ପାଣି, ପବନ କେବଳ ସାହସୀ ଓ ବଳିଦାନ ଦେଉଥିବା ଯୁବଶକ୍ତିଙ୍କ ପାଇଁ ବଞ୍ଚିଛି। ଭାରତ ଆଜି ଶ୍ରେଷ୍ଠ ରାଷ୍ଟ୍ର ହେବାରେ ଯବାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ନିଜର ବର୍ତମାନକୁ ବଳିଦାନ ଦେଇ ଭବିଷ୍ୟତର ସୁରକ୍ଷା କରୁଛନ୍ତି। ଯାହାର ଉଦାହରଣ ହେଉଛନ୍ତି ଓଡ଼ିଶାର ସହିଦ ବୀର ଯବାନ ମନୋଜ ବେହେରା ଓ ପ୍ରସନ୍ନ କୁମାର ସାହୁ। ସେମାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି କଲେଜର ରଜତ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି। ଉତ୍ସବରେ ସାଂସଦ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଛାତ୍ରଛାତ୍ରୀ, କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଆଜି ଏହି କଲେଜ ଶୀର୍ଷରେ ପହଞ୍ଚିଛି। ପଟିଆ ଅଞ୍ଚଳ ଶିକ୍ଷା ହବ୍ ଭାବେ ପରିଗଣିତ ହୋଇଛି। ସହିଦଙ୍କ ପାଇଁ ଉତ୍ସବ ସମର୍ପିତ ହୋଇଥିବାରୁ ଗର୍ବ ଲାଗୁଛି। ଦୁଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କିଟ୍ ଓ କିସ୍ ପକ୍ଷରୁ ଘୋଷଣା କରାଯାଉଛି ଯେ ସେମାନଙ୍କ ପରିବାରର କୌଣସି ସଦସ୍ୟ ଯେତେବେଳେ ବି ଚାହିବେ, କିଟ୍ ଓ କିସ୍ରେ ମାଗଣା ଶିକ୍ଷାଗ୍ରହଣ କରିପାରିବେ। ଯୋଗ୍ୟତା ଅନୁଯାୟୀ ଚାକିରି ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ ସହିଦ ମନୋଜ ବେହେରାଙ୍କ ପତ୍ନୀ ଲିଲିତା ବେହେରା, ପିତା ଜିତେନ୍ଦ୍ର ବେହେରା, ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନା ସାହୁ, ଝିଅ ରୋନୀ ସାହୁ ଓ ପୁଅ ଜଗନ ସାହୁଙ୍କୁ କଲେଜର ଛାତ୍ରଛାତ୍ରୀଙ୍କ ତରଫରୁ ରାଜ୍ୟପାଳ ମଞ୍ଚରେ ସମ୍ମାନିତ କରିଥିଲେ। କଲେଜର ରୌପ୍ୟଜୟନ୍ତୀ ପୁସ୍ତିକା ‘ଦି ଶିଖର’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କଲେଜ ପରିଚାଳନା ସମିତିର ସଭାପତି ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ସ୍ବାଗତ ଭାଷଣ ଓ ଜୁନିଅର କଲେଜ ଅଧ୍ୟକ୍ଷ ତ୍ରିଲୋଚନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରାଜା ମଧୁସୂଦନ ଦେବ ଡିଗ୍ରି କଲେଜର ରଜତ ଜୟନ୍ତୀ: ଭବିଷ୍ୟତର ସୁରକ୍ଷା କରୁଛନ୍ତି ଯବାନ
/sambad/media/post_attachments/wp-content/uploads/2019/02/Untitled-16-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)