ଭୁବନେଶ୍ୱର: ‘ସ୍ବର୍ଗତ ରଜତ କୁମାର କର ଏକାଧାରରେ ଥିଲେ ଜଣେ ପ୍ରବୀଣ ବକ୍ତା, ସାହିତ୍ୟିକ, ଲେଖକ, ଇତିହାସ ଗବେଷକ, ନାଟ୍ୟକାର ଓ କବି। ଭଞ୍ଜ ସାହିତ୍ୟ ଓ ରୀତିଯୁଗୀୟ ସାହିତ୍ୟର ପ୍ରସାର କରିବା ପାଇଁ ତାଙ୍କ ନିରନ୍ତର ଉଦ୍ୟମ ସ୍ମରଣୀୟ ହୋଇରହିଛି। ସେ ଥିଲେ ଅନ୍ୟତମ ସାରଥି। ବଡ଼ କଥା ହେଉଛି ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ୬୨ବର୍ଷ ଧରି ଧାରା ବିବରଣୀ ଦେଇ ସେ ନିଜକୁ ମହାପ୍ରଭୁଙ୍କ ଅନନ୍ୟ ସେବକ ଭାବେ ପ୍ରମାଣିତ କରିପାରିଥିଲେ।’ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତିସଂସଦର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସ୍ବର୍ଗତ କରଙ୍କ ୯୨ତମ ଜୟନ୍ତୀ ଉତ୍ସବର ଅତିଥିମାନେ ଏହା କହିଛନ୍ତି।
ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ। ସ୍ବର୍ଗତ କରଙ୍କ ସହ ରେଭେନ୍ସା ବେଳର ସ୍ମୃତିଗୁଡ଼ିକ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଗୁରୁ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ‘କଳିଙ୍ଗ ଭାରତୀ’ ମାଧ୍ୟମରେ ସ୍ବର୍ଗତ କର କିଭଳି ଭଞ୍ଜ ସାହିତ୍ୟ ଓ ରୀତି ଯୁଗୀୟ ସାହିତ୍ୟର ପ୍ରସାର କରୁଥିଲେ, ତାହା ଉପରେ ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ରେଖାପାତ କରିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ପାଲା ଗାୟକ ସୁଦର୍ଶନ ମହାପାତ୍ର, ସ୍ୱର୍ଗତ କରଙ୍କ ସ୍ମୃତିଚାରଣ କରିବାକୁ ଯାଇ କହିଲେ ଯେ ରଥଯାତ୍ରାର ଧାରା ବିବରଣୀ ଦେଲାବେଳେ ତାଙ୍କ ଭିତରେ ସେ ଐଶ୍ୱରିକ ସତ୍ତାର ଅନୁଭବ କରିଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଅକାଦେମିର ସଦସ୍ୟ ବିଜୟାନନ୍ଦ ସିଂହ ଭଞ୍ଜ ସାହିତ୍ୟ ପ୍ରସାରରେ ସ୍ବର୍ଗତ କରଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ସ୍ୱର୍ଗତ କରଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଅଳ୍ପ ଦିନର ଗଳ୍ପ’ ଉନ୍ମୋଚିତ ହୋଇଥିଲା। ସ୍ମୃତି ସଂସଦ ତରଫରୁ ଡାକ୍ତର ଅଂଶୁମାନ କର ତାଙ୍କ କାଳଜୟୀ ସୃଷ୍ଟିମାନଙ୍କୁ ପ୍ରକାଶ କରିଥିଲେ। ରଣଜିତ କର ଅତିଥି ପରିଚୟ ଦେଇଥିଲେ ଏବଂ ଅଧ୍ୟାପକ ରାଜୀବ କୁମାର କର ଧନ୍ୟବାଦ ଦେଇଥିଲେ। ଶିକ୍ଷାବିତ୍ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ବେଦପାଠ ଓ କବିତା ପାଠ କରିଥିଲେ। ଗାୟକ ଉଦୟ ଭାନୁ, ଅମରେନ୍ଦ୍ର ପଟ୍ଟନାୟକ ଓ ସାଥୀମାନେ ପାଲା ପରିବେଷଣ କରିଥିଲେ। ଅନୁଷ୍ଠାନ ତରଫରୁ ପାଲାଗାୟକ ଓ ତାଙ୍କ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଗରିକ ପ୍ରହରାଜ ସଭା ପରିଚାଳନା କରିଥିଲେ ଏବଂ ନିବେଦିତା କର, ଦେବସ୍ମିତା ମହାପାତ୍ର, ଅଂଶୁମିତା, ଡାକ୍ତର ଉପେନ୍ଦ୍ର ନାୟକ, ପ୍ରଭାତ କୁମାର ନନ୍ଦ, ପୀତବାସ ରାଉତରାୟ, ତପସ୍ୱିନୀ କର, ଅଶୋକ କୁମାର ଦାଶ, ଡାକ୍ତର ଦୀପକ ରାଜ, ଅମୂଲ୍ୟ କୁମାର ସ୍ୱାଇଁ, ପ୍ରଦୀପ କର, ଅନୁପ ମାର୍ଥା, ଜ୍ଞାନରଞ୍ଜନ ନନ୍ଦ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/03/dagdagdga-2025-09-03-05-01-40.jpg)