ଭୁବନେଶ୍ବର: ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ଗତ ୩ ବର୍ଷ ଧରି ବନ୍ଦ ଥିବା ‘ରାଜଧାନୀ ପୁସ୍ତକ ମେଳା ପୁରସ୍କାର’ ଚଳିତ ବର୍ଷ ପ୍ରଦାନ କରାଯିବ। ରା‌ଜଧାନୀ ପୁସ୍ତକ ମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ‌ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କମିଟିର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ବାଇଁ, ବୀରକିଶୋର ପ୍ରଧାନ, ଆକୁଳ ଚନ୍ଦ୍ର ନାଥ ଓ କମଳିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଓଡ଼ିଆ ଭାଷା ଓ ସାହିତ୍ୟର ୧୨ଟି ବିଭାଗ ଯଥା ପ୍ରବନ୍ଧ-ସମାଲୋଚନା, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କାବ୍ୟ-କବିତା, ନାଟକ, ଅନୁବାଦ, ବିଜ୍ଞାନ ସାହିତ୍ୟ, ଧର୍ମସାହିତ୍ୟ, ଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗ ସାହିତ୍ୟ ଓ ଶିଶୁ ସାହିତ୍ୟରେ ୨୦୧୮ରୁ ୨୦୨୨ ମସିହା ମଧ୍ୟରେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବିଚାରକୁ ନିଆଯାଇ ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ‘ରାଜଧାନୀ ପୁସ୍ତକ ମେଳା ପୁରସ୍କାର’ ପ୍ରଦାନ କରାଯିବ। ଆଗ୍ରହୀ ଲେଖକ କିମ୍ବା ପ୍ରକାଶକ ପୁସ୍ତକର ୩ ଖଣ୍ଡ କପି ସହ କେଉଁ ବର୍ଷ ପାଇଁ ଆବେଦନ କରୁଛନ୍ତି ଓ ଲେଖକଙ୍କ ସଂକ୍ଷିପ୍ତ ପରିଚୟ ଆସନ୍ତା ୨୫ ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଇଛି। ଏହିସବୁ ବିବରଣୀ ସହ ପୁସ୍ତକଗୁଡ଼ିକୁ ସଭାପତି, ରାଜଧାନୀ ପୁସ୍ତକମେଳା, ଅନସୂୟା ରେସିଡେନ୍ସି, ପ୍ଲଟ୍‌ ନମ୍ବର-୭୮, ସହିଦନଗର, ଭୁବନେଶ୍ବର-୭ ଠିକଣାରେ ପଠାଇବା ପାଇଁ କମିଟି ପକ୍ଷରୁ କୁହାଯାଇଛି।