‘ରାଜଧାନୀ ପୁସ୍ତକମେଳା’ ପୁରସ୍କାର ପାଇଁ ପୁସ୍ତକ ଆହ୍ଵାନ

ଭୁବନେଶ୍ୱର : ‘ରାଜଧାନୀ ପୁସ୍ତକ ମେଳା’ର ୧୮ତମ ସଂସ୍କରଣ ଆସନ୍ତା ଡିସେମ୍ବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଖାରବେଳ ନଗର ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ୧୨ଟି ବିଭାଗରେ ଗତ ୩ ବର୍ଷ ମଧ୍ୟରେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବିଚାରକୁ ନେଇ ଶ୍ରେଷ୍ଠ ପୁସ୍ତକକୁ ‘ଅଷ୍ଟାଦଶ ରାଜଧାନୀ ପୁସ୍ତକ ମେଳା ପୁରସ୍କାର-୨୦୧୭’ ପ୍ରଦାନ କରାଯିବ। ଏଥିପାଇଁ ପୁସ୍ତକ ମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଆୟୋଜନ କମିଟି ବୈଠକରେ ପୁସ୍ତକ ଚୟନ ନିମନ୍ତେ ଏକ ୪ ଜଣିଆ ବିଚାରକ ମଣ୍ଡଳୀ ଗଠନ କରାଯାଇଛି। ଏଥିପାଇଁ ଲେଖକ ଓ ପ୍ରକାଶକମାନେ ୨୦୧୫ରୁ ୨୦୧୭ ନଭେମ୍ବର ମଧ୍ୟରେ ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରବନ୍ଧ-ସମାଲୋଚନା, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କାବ୍ୟ କବିତା, ନାଟକ, ଅନୁବାଦ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗ ସାହିତ୍ୟ ଓ ଶିଶୁ ସାହିତ୍ୟ ପୁସ୍ତକ ପଠାଇ ପାରିବେ। ପ୍ରତ୍ୟେକ ପୁସ୍ତକର ୪ ଖଣ୍ଡ କପି, ଏକ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଓ ଲେଖକଙ୍କ ସଂକ୍ଷିପ୍ତ ପରିଚୟ ନଭେମ୍ବର ୧୫ ତାରିଖ ସୁଦ୍ଧା ସଭାପତି, ରାଜଧାନୀ ପୁସ୍ତକ ମେଳା କମିଟି, ଅନସୂୟା ରେସିଡେନ୍‌ସି, ୭୮, ସହିଦ ନଗର, ଭୁବନେଶ୍ୱର-୭ ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି। ଆଜିର ଆୟୋଜନ କମିଟି ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକଙ୍କ ସମେତ ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ, ସଂଯୋଜକ କାଳୀପ୍ରସାଦ ଦାସ, ବୀରକିଶୋର ପ୍ରଧାନ, ଆକୁଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ଓ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର