ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୭୫ ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ବିଏମ୍ସି ଏହି ପ୍ଲାଟିନମ୍ ଜୁବ୍ଲିର ଆୟୋଜନ କରୁଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି। ୩ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏହି ଅବସରରେ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ନାମ ଚୟନରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ୪ଟି ବିଭାଗ ନୂଆ ଯୋଡ଼ା ଯାଇଛି।
ସେହିଭଳି ଶ୍ରେଷ୍ଠ ଥିଏଟର କଳାକାରଙ୍କୁ ଏଥର ନୂଆ କରି ଯୋଡ଼ା ଯାଇଛି। ବିଭିନ୍ନ ମଞ୍ଚରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାରଙ୍କୁ ଏହି ସମ୍ମାନ ମିଳିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି। ସେହିଭଳି ଶ୍ରେଷ୍ଠ ପୋଷ୍ଟ ମ୍ୟାନ୍ଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଉଥିଲା କିନ୍ତୁ ଏଥର ବିଏମ୍ସି ଏହାକୁ ବାଦ୍ ଦେଇ ‘ଷ୍ଟାର୍ଟ-ଅପ’ କ୍ଷେତ୍ରରୁ ଜଣେ ଶ୍ରେଷ୍ଠ ଉଦ୍ୟୋଗୀଙ୍କୁ ନେବାକୁ ସ୍ଥିର କରିଛି। ଷ୍ଟାର୍ଟଅପ୍ରେ ବେଶ୍ ନାଁ କମାଇଥିବା ଉଦ୍ୟୋଗୀଙ୍କ ମଧ୍ୟରୁ ଜଣେ ଶ୍ରେଷ୍ଠ ଉଦ୍ୟୋଗୀଙ୍କୁ ଏଥର ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଶ୍ରେଷ୍ଠ ଆଇନଜୀବୀଙ୍କୁ ଏହି ସମ୍ମାନ ମିଳୁଥିବା ବେଳେ ଜଣେ ଶ୍ରେଷ୍ଠ ଶିକ୍ଷକଙ୍କୁ ଏହି ସମ୍ମାନ ଦେବାକୁ ସ୍ଥିର କରାଯାଇଛି।
ଏଥର କଳା ଓ ହସ୍ତଶିଳ୍ପ କ୍ଷେତ୍ରରୁ ଜଣେ କାରିଗରଙ୍କୁ ଏଥିରେ ସାମିଲ କରାଯିବାକୁ ସ୍ଥିର କରାଯାଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏହା ବାଦ୍ ନିଜ ନିଜ କାମରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଜଣେ ଲେଖାଏଁ ସଫେଇ କର୍ମଚାରୀ, ଟ୍ରାଫିକ୍ କର୍ମଚାରୀ, ନର୍ସ, କ୍ରୀଡାବିତ୍, ଡାକ୍ତର, ପ୍ରଶାସକ, ସାମିଜିକ କର୍ମୀ, ବୈଜ୍ଞାନିକ, ସଙ୍ଗୀତ ନିର୍ଦ୍ଦେଶକ/ଗାୟକ ଗାୟିକା, ଶିଳ୍ପପତି ଏହି ଗୌରବ ପାଇବା ପାଇଁ ଯାଉଛନ୍ତି। ୩ ଦିନ ଧରି ଚାଲିବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୂଚନା ଲୋକ ସମ୍ପର୍କ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ବିଏମ୍ସି କମିସନର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଓ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।