ଭୁବନେଶ୍ବର : ୟୁନିଟ୍-୨ସ୍ଥିତ ରାଜଧାନୀ ପୂଜା ସମିତିର ଦୋକାନ ଭଡ଼ା କେଳେଙ୍କାରୀକୁ ନେଇ ତନାଘନା ଚାଲିଛି। ୨୦୧୯ ମସିହାରେ ସିଏଜି ଅଡିଟ୍ ଅନୁସାରେ ୩ କୋଟି ୧୦ ଲକ୍ଷ ୭୫ ହଜାର ୩୩୮ଟଙ୍କାର ଅନିୟମିତତା ହୋଇଥିଲା। ସେହି ମାମଲାରେ ଏବେ ୪୧ ଜଣ ଦୋକାନୀଙ୍କଠାରୁ ୨ କୋଟି ଟଙ୍କା ଆଦାୟ ହୋଇସାରିଲାଣି। ସେହିଭଳି ଦୋକାନ ନେଇ ଅନ୍ୟକୁ ଭଡ଼ାରେ ଦେଇଥିବା ୨ଜଣଙ୍କୁ ବେଦଖଲ କରାଯାଇଛି। ତେବେ ୧୭ ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ମାମଲା ବିଚାରାଧୀନ ରହିଛି। ଅଡିଟ୍ ରିପୋର୍ଟ ଅନୁସାରେ ପୂଜା ସମିତି ବିନା ଚୁକ୍ତିରେ ଶାଗ, ମାଛ ଦରରେ ୭୫ ଦୋକାନ ଭଡ଼ା ଦେଇଥିଲା। ଏଥିପାଇଁ ସମିତିର ବିପୁଳ କ୍ଷତି ହୋଇଥିଲା। ପରେ ମାମଲାର ତଦନ୍ତଭାର କାଇମ୍ବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ନୂଆ କରି ଗଠିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୪୧ଜଣ ଦୋକାନୀ ନିଜ ଆଡ଼ୁ ଆସି ଦୋକାନ ଘର ପାଇଁ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡ ସହ ଚୁକ୍ତି କରିଛନ୍ତି। ସେମାନଙ୍କଠାରୁ ୨କୋଟି ଟଙ୍କା ଆଦାୟ ହୋଇଛି। ଅନ୍ୟ ଦୋକାନୀଙ୍କଠାରୁ ଅର୍ଥ ଆଦାୟ ପ୍ରକ୍ରିୟା ଜାରି ରହିଛି।
ସୂଚନାଯୋଗ୍ୟ, ୧୯୬୦ ମସିହାରୁ ୯୦ ବର୍ଷିଆ ଲିଜ୍ ସୂତ୍ରରେ ସରକାର ରାଜଧାନୀ ପୂଜା ସମିତିକୁ ୧.୪୪ ଏକର ଜାଗା ଯୋଗାଇ ଦେଇଛନ୍ତି। ୧୯୭୦ ମସିହାରୁ ତତ୍କାଳୀନ ଟ୍ରଷ୍ଟ ବୋର୍ଡ ୭୫ ଦୋକାନ ଘର ତିଆରି କରି ଭଡ଼ା ଦେଇଥିଲା। ଦୋକାନ ମାଲିକଙ୍କଠାରୁ ସିକ୍ୟୁରିଟି ଜମା ଓ ଭଡ଼ା ବାବଦରେ ତତ୍କାଳୀନ ଟ୍ରଷ୍ଟି ଅନିୟମିତତା କରିଥିବା ଅଡିଟ୍ ଧରିଥିଲେ। ୧୯୮୧ ମସିହାରୁ ଏହା ଦେବୋତ୍ତର ବିଭାଗ ଅଧୀନକୁ ଆସିଥିଲେ ମଧ୍ୟ କୌଣସି ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଡିଟ୍ରେ ଦର୍ଶାଯାଇଥିଲା। ତେଣୁ ୫ ଜଣ ସରକାରୀ ଅଧିକାରୀଙ୍କୁ ନେଇ ନୂଆ ଟ୍ରଷ୍ଟବୋର୍ଡ ଗଠନ ହୋଇଥିଲା। ଏହି ଟ୍ରଷ୍ଟବୋର୍ଡର ସୁପାରିସକ୍ରମେ ବର୍ତ୍ତମାନର ଦେବୋତ୍ତର କମିସନର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ବଡ଼ କଥା ହେଉଛି, ଏଭଳି କେଳେଙ୍କାରୀ ଜଣାପଡ଼ିବା ପରେ ସମିତିର ତତ୍କାଳୀନ କନିଷ୍ଠ ସହାୟକ ତଥା ଆକାଉଣ୍ଟାଣ୍ଟ ଶିଶିର ଦ୍ବିବେଦୀ ଗତ ୨୦୧୮ ମସିହାରୁ ଚାକିରି ଛାଡ଼ି ଦେଇଛନ୍ତି। ଆକାଉଣ୍ଟାଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଜାରି ରଖିଛି।