ରିମାଣ୍ଡରେ ରାଜେଶ ଓ ରବିନ୍‌ ମାମଲା: ୭୫ ଗ୍ରାମ୍‌ର ୮ ଚେନ୍‌ ଜବତ

ମୋଟ୍‌ ମାମଲା ୩୦ ହେଲା, ପୁଣି ରିମାଣ୍ଡ ଯୋଜନା

ଭୁବନେଶ୍ବର: ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ କୁଖ୍ୟାତ୍‌ ଡକାୟତ ଚକରା ଏନ୍‌କାଉଣ୍ଟରର ଶିକାର ହେବା ପରେ ଧରାପଡ଼ିଥିବା ତା’ ଗ୍ୟାଙ୍ଗ୍‌ର ଅନ୍ୟତମ ମାଷ୍ଟରମାଇଣ୍ଡ ରାଜେଶ ମହାପାତ୍ରକୁ ପୁଲିସ ୫ ଦିନିଆ ରିମାଣ୍ଡରେ ଆଣିଛି। ରାଜେଶ ସହ କୁଖ୍ୟାତ ରବିନ୍‌ ଶତପଥୀକୁ ମଧ୍ୟ ରିମାଣ୍ଡରେ ଅଣାଯାଇଛି। ଆସନ୍ତାକାଲି ରିମାଣ୍ଡ ଅବଧି ‌ଶେଷ ହେଉଛି ଓ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯିବ। ଏହି ରିମାଣ୍ଡ ଅବଧି ଭିତରେ ପୁଲିସ ରାଜେଶର ଲୁଟ୍‌ କାରବାର ବାବଦରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ପୂର୍ବରୁ ୨୨ଟି ଲୁଟ୍‌ ମାମଲାରେ ସେ ଅଭିଯୁକ୍ତ ଥିବା ବେଳେ ପୁଣି ୮ଟି ମାମଲା ଯୋଡ଼ି ହୋଇଛି। ତେଣୁ ରାଜେଶ ନାଁରେ ମୋଟ୍‌ ୩୦ ଲୁଟ୍‌ ଓ ଛିନ୍‌ତାଇ ମାମଲା ରୁଜୁ ହୋଇଛି।

ଆଜି ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ରାଜେଶର ସୂଚନାନୁସାରେ ତା’ ଘରେ ଲୁଚାଇ ରଖିଥିବା ୪ଟି ସୁନାଚେନ୍‌ ସମେତ ଗୋଟିଏ ଭୁଜାଲି ଓ ଖୋର୍ଦ୍ଧାର ଏକ ଜୁଏଲର୍ସଙ୍କ ଠାରୁ ୪ଟି ସୁନାଚେନ୍‌ ଜବତ କରାଯାଇଛି। ୮ଟି ଯାକ ଚେନ୍‌ର ଓଜନ ପ୍ରାୟ ୭୫ ଗ୍ରାମ୍‌। ଲୁଟ୍‌ କରିଥିବା ଆହୁରି କିଛି ଗହଣା ମଧ୍ୟ ସେ ବିକିଥିବା ବା ଅନ୍ୟତ୍ର ଲୁଚାଇ ରଖିଥିବା ଅନୁମାନ କରାଯାଉଛି। ବଡ଼ କଥା ହେଉଛି ରାଜେଶ ଓ ତା’ ଗ୍ୟାଙ୍ଗ୍‌ ଲୁଟ୍‌ କରୁଥିବା ସୁନା ସବୁକୁ ତା’ ମା’ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ବିକ୍ରି କରୁଥିଲା।

ଜଣେ ମହିଳା ସୁନା ଚେନ୍‌ ବିକିବା ବେଳେ କୌଣସି ବ୍ୟବସାୟୀ ସନ୍ଦେହ କରିବା ଅବକାଶ ନଥିବାରୁ ଲୁଟ୍‌ ସୁନା କିଣାବିକା କାରବାର ସହଜ ହେଉଥିଲା। ଏବେ ଏହି ମାମଲାରେ ଜ୍ୟୋତ୍ସ୍ନାକୁ ଗିରଫ କରାଯାଇଛି ଓ ସେ ଜେଲ୍‌ ହାଜତରେ ଅଛି। ଚୋରି ସୁନା କାରବାର ସହଜରେ ହୋଇପାରୁଥିବାରୁ ରାଜେଶ ଲୁଟ୍‌ ପାଇଁ ପାଗଳ ଭଳି ହେଉଥିଲା। ରାସ୍ତାଘାଟରେ ଛିନ୍‌ତାଇ କରିବା ସହ ବିଭିନ୍ନ ଗହଣା ଦୋକାନକୁ ଟାର୍ଗେଟ୍‌ କରୁଥିଲା। ଲୁଟ୍‌ ପାଇଁ ଗୁଳି କରିବାକୁ ହେଉ କି ଭୁଜାଲିରେ ହାଣିପକାଇବାକୁ ସେ ପଛାଉନଥିଲା। ରିମାଣ୍ଡ ଅବଧି ଭିତରେ ସେମାନେ କିଭଳି ସାମନ୍ତରାପୁର ଦେବୀଦୁର୍ଗା ଜୁଏଲାରି ସମ୍ମୁଖରେ ଗୁଳି ଚଳାଇଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର