ଭୁବନେଶ୍ୱର: ମର୍ଦ୍ଦଳ, ମୃଦଙ୍ଗ, ହାରମୋନିୟମ୍‌, ବୀଣା ପ୍ରମୁଖ ବାଦ୍ୟଯନ୍ତ୍ରର ସମବେତ ବାଦନ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣକୁ ମୁଖରିତ କରୁଥିଲା। ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀରେ ଶିଳ୍ପୀଙ୍କ ଏକକ, ଦ୍ୱୈତ ଓ ଦଳଗତ ନୃତ୍ୟ ମଞ୍ଚର ଗରିମା ବୃଦ୍ଧି କରୁଥିଲା। ଶିଳ୍ପୀଙ୍କ ଭାବ, ରସ ଓ ଲାଳିତ୍ୟରେ ଆନମନା ହେଉଥିଲେ ଦର୍ଶକ। ପ୍ରାଙ୍ଗଣରେ ପିପିଲି ଚାନ୍ଦୁଆ, ବିଚ୍ଛୁରିତ ହୋଇ ପଡ଼ୁଥିବା ଅତ୍ୟାଧୁନିକ ରଙ୍ଗବେରଙ୍ଗର ଆଲୋକ ଓ ସୁନ୍ଦର ସାଜସଜ୍ଜା ଉତ୍ସବର ଶୋଭା ବଢ଼ାଉଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ‘ମୁକ୍ତେଶ୍ୱର ନୃତ୍ୟ ଉତ୍ସବ’ର ଉଦ୍‌ଘାଟନୀ ସନ୍ଧ୍ୟାରେ ଏମିତି ଥିଲା ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣ। ଏହି ତିନିଦିନିଆ ଉତ୍ସବକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅଶ୍ବିନୀ ପାତ୍ର, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌, ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଗୁରୁ ଅରୁଣା ମହାନ୍ତି ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ।

Advertisment

ଶିବ ବନ୍ଦନା-ଶ୍ରୀରୁଦ୍ରାଷ୍ଟକମ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାକୁ ଗୁରୁ ପ୍ରଦୀପ କୁମାର ଦାସ ଓ ସଙ୍ଗୀତ ମହାବିଦ୍ୟାଳୟର ଶିଳ୍ପୀ ପରିବେଷଣ କରିଥିଲେ। ଏହାପରେ ଦିଲ୍ଲୀରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ୱିବେଦୀଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ୍‌ ମନଛୁଆଁ ହୋଇଥିଲା। ତାଙ୍କ ପରିବେଷଣରେ ଥିଲା ‘ଅଭିଶପ୍ତା କେତକୀ’। ଯାହାର ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପାଲିତ୍‌ ଓ ନୃତ୍ୟ ସଂରଚନା ନିଜେ କବିତା ଦ୍ୱିବେଦୀ କରିଥିଲେ। ପରେ ଦ୍ୱୈତ ନୃତ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଆସିଥିବା ଶୋଭା ବିସିତ୍‌ ଓ ଦୀପିକା ବିସିତ୍‌ଙ୍କ ଦ୍ୱାରା ପ୍ରଥମେ ଶିବଙ୍କ ଉପରେ ନିବଦ୍ଧ ‘ନଟରାଜ’ ପରିବେଷିତ ହୋଇଥିଲା। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ମାଧବୀ ମୁଦ୍‌ଗଲ୍‌। ଏହାପରେ କାଳୀଦାସଙ୍କ ରଚିତ ଅଭିନୟ ‘ବସନ୍ତ’ ପରିବେଷଣ ହୋଇଥିଲା। ତାଙ୍କର ଅନ୍ତିମ ଅର୍ଘ୍ୟରେ ଥିଲା ‘ପଲ୍ଲବୀ’। ଶେଷରେ ବେଙ୍ଗାଲୁରୁରୁ ଆସିଥିବା ମଧୁଲିତା ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ନୃତ୍ୟାନ୍ତ’ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ଗୁରୁ ମଧୁଲିତା ମହାପାତ୍ରଙ୍କ ନୃତ୍ୟ ସଂରଚନାରେ ପ୍ରଥମେ ‘ଈଶ୍ୱରୀ’ ଓ ପରେ ପରେ ‘ମହ୍ଲାର ପଲ୍ଲବୀ’ ପରିବେଷିତ ହୋଇଥିଲା। ଶ୍ରୀନିବାସ ଘଟୁଆରୀ ଓ ନାଜିଆ ଆଲମ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଅଧିକାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ନୃତ୍ୟ ଉତ୍ସବର ସିଧା ପ୍ରସାରଣ ଦୂରଦର୍ଶନର ଡିଡି ଭାରତୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରଣ କରାଯାଇଥିଲା।