ରାଜୀବନଗର ଶିଶୁ ହତ୍ୟା ମାମଲା : ଜେଲ ଗଲେ ତନୁଶ୍ରୀ, ତଥାପି ଖୋଲିଲାନି ରହସ୍ୟ

ଭୁବନେଶ୍ବର : ଖଣ୍ଡଗିରି ରାଜୀବନଗରରେ ଶିଶୁପୁତ୍ର ସାଇରାମ ହତ୍ୟାକାଣ୍ଡର ୨୨ ଦିନ ପରେ ଅଭିଯୁକ୍ତ ପଡ଼ୋଶୀ ମହିଳା ତନୁଶ୍ରୀ ପରମାଣିକ ଆଜି ଏମ୍‌ସରୁ ଡିସଚାର୍ଜ ହୋଇଛନ୍ତି। ଏହା ପରେ ଖଣ୍ଡଗିରି ପୁଲିସ ତନୁଶ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଅପରାହ୍‌ଣରେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ତନୁଶ୍ରୀଙ୍କୁ ହାଜର କରିଥିଲା ପୁଲିସ। ତାଙ୍କୁ ଝାରପଡ଼ା ଜେଲ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଖଣ୍ଡଗିରି ପୁଲିସ ଏମ୍‌ସରେ ପହଞ୍ଚିଥିଲା। ଡାକ୍ତରଙ୍କ ସହ ବିଚାରବିମର୍ଷ ପରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ତନୁଶ୍ରୀଙ୍କୁ ଡିସଚାର୍ଜ କରା ଯାଇଥିଲା। ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ନିଜ ହେପାଜତକୁ ନେବା ସହ ଘଟଣା ସମ୍ପର୍କରେ ଆରମ୍ଭ କରିଥିଲା ଜେରା। ଏକ ଘଣ୍ଟାରୁ ଅଧିକ ସମୟ ଧରି ତଦନ୍ତକାରୀ ଅଧିକାରୀ ଜେରା କରିଥିଲେ ମଧ୍ୟ ପୁରୁଣା କଥାକୁ ଦୋହରାଇଥିଲେ ତନୁଶ୍ରୀ। ସାଇରାମକୁ ଘରକୁ ଖେଳିବାକୁ ଡାକିଥିଲେ। ତା’ ବେକରେ ଲୁଗା ଗୁଡ଼ାଇଥିଲେ। କିନ୍ତୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି।

ତନୁଶ୍ରୀ ହତ୍ୟାକାରୀ ବୋଲି ପୁଲିସ ଆରମ୍ଭରୁ ସ୍ପଷ୍ଟ ହୋଇଯାଇଥିଲା। ତନୁଶ୍ରୀ ହତ୍ୟାକାରୀ ନେଇ ତାଙ୍କ ୬ ବର୍ଷର ପ୍ରତ୍ୟକ୍ଷଦର୍ଶୀ ଝିଅର ବୟାନ, ସାଇରାମ ପରିବାର ଲୋକଙ୍କ ବୟାନ, ପଡ଼ୋଶୀଙ୍କ ବୟାନ, ସାଇରାମର ଯିବା ଆସିବା ନେଇ ସିସିଟିଭି ଫୁଟେଜ ସହ ଯଥେଷ୍ଟ ପାରିପାର୍ଶ୍ବିକ ପ୍ରମାଣ ପୁଲିସ ପାଖରେ ରହିଛି। କିନ୍ତୁ ଘଟଣାକୁ ୨୨ ଦିନ ବିତି ଯାଇଥିଲେ ବି ରହସ୍ୟ ଉନ୍ମୋଚନ କରିପାରିନି ପୁଲିସ। କାହିଁକି ୪ବର୍ଷର ଶିଶୁ ସାଇରାମକୁ ତନୁଶ୍ରୀ ହତ୍ୟା କଲେ? ହତ୍ୟା ପଛରେ କ’ଣ ରହିଛି ଉଦ୍ଦେଶ୍ୟ? ସାଇରାମକୁ ଘରକୁ ଖେଳିବା ପାଇଁ ଡାକି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ କି ତନୁଶ୍ରୀ? ନା ହଠାତ୍ ଉତକ୍ଷିପ୍ତ(ସଡନ୍ ପ୍ରୋଭକେସନ୍) ହୋଇ ଏହି ହତ୍ୟାକାଣ୍ଡ ଘଟାଇଥିଲେ? ଏ ସବୁର ଉତ୍ତର କିନ୍ତୁ ପୁଲିସ ପାଇପାରି ନାହିଁ। ପୁଲିସ ଜେରା ବେଳେ ଅଭିଯୁକ୍ତ ତନୁଶ୍ରୀ ଯେତିକି ତଥ୍ୟ ଦେଇଛନ୍ତି ପୁଲିସକୁ ସେତିକିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କିନ୍ତୁ ପୁଲିସ ତଦନ୍ତ ପରିବାର ଲୋକଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ହତ୍ୟା ପଛର କାରଣ ଖୋଜିବାରେ ପୁଲିସ ବିଫଳ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସାଇରାମର ବାପା ସମୀର ରଞ୍ଜନ ପାତ୍ର କହିଛନ୍ତି ହତ୍ୟା ପୂର୍ବରୁ ସବୁ କିଛି ଠିକଠାକ୍ ଥିଲା, କିନ୍ତୁ ଘଟଣା ପରେ ହଠାତ୍ କେମିତି ତନୁଶ୍ରୀ ଅସୁସ୍ଥ ହୋଇ ପଡ଼ିଲେ। ତନୁଶ୍ରୀ ଯଦି ସତରେ ମାନସିକ ରୋଗୀ ତାହାଲେ ତାଙ୍କ ସ୍ବାମୀ କାହିଁକି ଏ କଥା କଲୋନୀବାସୀଙ୍କୁ ଲୁଚାଇଥିଲେ। ତେଣୁ ତାଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ସମୀର। ତନୁଶ୍ରୀ କୋର୍ଟରେ ହାଜର ସମୟରେ ତାଙ୍କୁ ପୁଣି ଏମ୍‌ସରେ ଚିକିତ୍ସା କରାଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଥିଲେ। ବିଚାରବିଭାଗୀୟ ହାଜତକୁ ଯିବା ପରେ ଜେଲ୍ କର୍ତ୍ତୃପକ୍ଷ ଏମ୍‌ସ ସହ ଯୋଗାଯୋଗ କରି ନିଷ୍ପତ୍ତି ନେଇପାରିବେ ବୋଲି ତନୁଶ୍ରୀଙ୍କ ଓକିଲ ଉମେଶ ଚନ୍ଦ୍ର ସେଠୀ କହିଛନ୍ତି।

‘ଭଗବାନ ଆଉ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ’
ଭଗବାନ ଆଉ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ। ପୁଅକୁ ହରାଇବାର କଷ୍ଟ କେବଳ ସେହି ମା’ ଜାଣିଛି ଯିଏ ମୋ ଭଳି ପୁଅକୁ ହରାଇଛି। ଏମିତି କାହା ସହ କେବେବି ନ ଘଟୁ ବୋଲି କୋହଭରା କଣ୍ଠରେ କହିଛନ୍ତି ସାଇରାମର ମା’ ଦୀପ୍ତିରାଣୀ। ତନୁଶ୍ରୀ ଆଇନ ଜାଲରୁ ଖସିବା ଲାଗି ବିଭିନ୍ନ ନାଟକ କରୁଛନ୍ତି। ସେମାନଙ୍କ ସହ କିଛି ବ୍ୟକ୍ତି ସମ୍ପୃକ୍ତ ରହିଛନ୍ତି। ଏହି ମାମଲାରୁ ତାଙ୍କୁ ଖସାଇବା ଲାଗି ଯୋଜନା ଚାଲିଛି। ହତ୍ୟାକାଣ୍ଡ ପୂର୍ବରୁ ସବୁ କିଛି ଠିକଠାକ୍ ଥିବା ବେଳେ ହତ୍ୟା ପରେ ହଠାତ୍ କେମିତି ଅସୁସ୍ଥ ହୋଇ ପଡ଼ିଲେ ତନୁଶ୍ରୀ? ମାନସିକ ଅସୁସ୍ଥ ଆଳରେ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ତନୁଶ୍ରୀଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି କହିଛନ୍ତି ଦୀପ୍ତିରାଣୀ।

କ’ଣ କହୁଛି ଆଇନ?
ଆଇନଜୀବୀ ଧରଣୀଧର ନାୟକଙ୍କ ମତରେ ଅଭିଯୁକ୍ତ ମହିଳା ତନୁଶ୍ରୀ ପରମାଣିକଙ୍କ ଝିଅ ହତ୍ୟାକାଣ୍ଡର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ। କୋମଳମତି ଶିଶୁକନ୍ୟାର ବୟାନ ସବୁଠୁ ବଳିଷ୍ଠ ସାକ୍ଷ୍ୟ ହୋଇପାରିବ। ସିଆରପିସି-୧୬୧ ଓ ସିଆରପିସି-୧୬୪ ଅନୁସାରେ ଶିଶୁକନ୍ୟା ଯେଉଁ ବୟାନ ଦେଇଛି, କୋର୍ଟରେ ମାମଲାର ଶୁଣାଣି ସମୟରେ ଯଦି ସେହି ବୟାନ ଦିଏ ତାହାଲେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବେ। ଏଭଳି କ୍ଷେତ୍ରରେ ମାମଲାର ବିଚାର ଚାଲିବା ସମୟରେ ଶିଶୁ ପ୍ରଭାବିତ ହେବାର ନଜିର୍ ରହିଛି। କିନ୍ତୁ ପୁଲିସକୁ ମିଳିଥିବା ପାରିପାର୍ଶ୍ବିକ ପ୍ରମାଣ, ହତ୍ୟାରେ ବ୍ୟବହୃତ ସାମଗ୍ରୀ, ପରିବାର ଲୋକ, ପଡ଼ୋଶୀଙ୍କ ବୟାନକୁ କୋର୍ଟରେ ବଳିଷ୍ଠ ଭାବେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି। ଏହି ସବୁ ସାକ୍ଷ୍ୟ ପ୍ରମାଣ ଠିକ୍ ଭାବେ ଉପସ୍ଥାପନ କରାଗଲେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର