ରାଜୀବନଗରରେ ଶିଶୁପୁତ୍ର ହତ୍ୟା ମାମଲା : ତନୁଶ୍ରୀଙ୍କ ଘରେ ପୁଲିସ୍‌ର ଛାନ୍‌ଭିନ୍

ଭୁବନେଶ୍ବର : ଖଣ୍ଡଗିରି ରାଜୀବନଗରରେ ୪ ବର୍ଷର ଶିଶୁପୁତ୍ର ସାଇରାମକୁ ହତ୍ୟା ମାମଲାରେ ଅଭିଯୁକ୍ତ ମହିଳା ତନୁଶ୍ରୀ ପରମାଣିକଙ୍କ ଘରେ ଛାନଭିନ୍‌ କରିଛି ପୁଲିସ। ତନୁଶ୍ରୀଙ୍କ ବିରୋଧରେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ଲାଗି ପୁଲିସ ଲାଗି ପଡ଼ିଛି। ହତ୍ୟାକାଣ୍ଡ ସ୍ଥଳରେ ପଡ଼ିଥିବା କିଛି ସାମଗ୍ରୀ ପୁଲିସ ଜବତ କରିଛି। ତନୁଶ୍ରୀ ରହୁଥିବା ଭଡ଼ାଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି ପୁଲିସ। ଘଟଣା ପୂର୍ବରୁ ସେଠାରେ କ’ଣ କାର୍ଯ୍ୟକଳାପ ରହିଥିଲା, କିଏ ଯିବା ଆସିବା କରିଥିଲା କି ନାହିଁ, ପୁଲିସ ଯାଞ୍ଚ କରିଥିବା ଜଣାପଡ଼ିଛି।

ସାଇରାମ ଘର ଭିତରକୁ ଯିବା ସମୟର ଫୁଟେଜ୍‌ ମଧ୍ୟ ପୁଲିସ ସଂଗ୍ରହ କରିଥିବା ସୂଚନା ମିଳିଛି। ଗତକାଲି ଆଇସିୟୁରୁ ଵାର୍ଡକୁ ଆସିଥିବା ତନୁଶ୍ରୀ ଆଜି ଡିସ୍‌ଚାର୍ଜ ହେବେ ବୋଲି ଆଶା ବାନ୍ଧିଥିଲା ପୁଲିସ। କିନ୍ତୁ ତାହା ହେଲା ନାହିଁ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତନୁଶ୍ରୀ ଡିସ୍‌ଚାର୍ଜ ହେଲେ ତାଙ୍କର ବୟାନ ରେକର୍ଡ କରିବ ବୋଲି ପୁଲିସ ଅପେକ୍ଷା କରିଛି। ଖୁବଶୀଘ୍ର ତନୁଶ୍ରୀ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଜଣାପଡ଼ିଛି। ଏହା ପରେ ପୁଲିସ ପଦକ୍ଷେପ ଗ୍ରହଣ କରିବ।

ସମ୍ବନ୍ଧିତ ଖବର