ରାଜୀବନଗର ଶିଶୁ ହତ୍ୟା ମାମଲା : ତନୁଶ୍ରୀଙ୍କୁ ଏମ୍‌ସରେ ଜେରା

‘ସାଇରାମ ବେକରେ ଲୁଗା ଗୁଡ଼ାଇଥିଲି, ତା ପରେ...’

ଭୁବନେଶ୍ବର : ଖଣ୍ଡଗିରି ରାଜୀବନଗରରେ ୪ ବର୍ଷର ଶିଶୁପୁତ୍ର ସାଇରାମକୁ ହତ୍ୟା ମାମଲାର ୧୫ଦିନ ପରେ ଅଭିଯୁକ୍ତ ମହିଳା ତନୁଶ୍ରୀ ପରମାଣିକକୁ ପ୍ରଥମ ଥର ପାଇଁ ଜେରା କରିଛି ପୁଲିସ। ଖଣ୍ଡଗିରି ପୁଲିସର ତଦନ୍ତକାରୀ ଟିମ୍ ଆଜି ଅପରାହ୍‌ଣରେ ଏମ୍‌ସରେ ଚିକିତ୍ସାଧୀନ ଥିବା ତନୁଶ୍ରୀଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ଜେରା କରିଥିଲା। ଡାକ୍ତରଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ଏହି ଜେରା କରାଯାଇଛି। ସାଇରାମ ବେକରେ ଲୁଗା ଗୁଡ଼ାଇବା ପର୍ଯ୍ୟନ୍ତ କହିବା ପରେ ଅଟକି ଯାଇଥିଲେ ତନୁଶ୍ରୀ। ତେବେ ତନୁଶ୍ରୀ ହତ୍ୟାକାରୀ ବୋଲି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ, ପାରିପାର୍ଶ୍ବିକ ପ୍ରମାଣ ସବୁ କିଛି ପୁଲିସ ହାତରେ ଲାଗିବା ପରେ ଘଟଣା ପଛର କାରଣ ଜାଣିବାକୁ ଚାହିଁଛି ପୁଲିସ।

ପୁଲିସ ସୂଚନା ଅନୁସାରେ, ତନୁଶ୍ରୀ ଦେଇଥିବା ବୟାନ ଅନୁଯାୟୀ, ଘଟଣା ଦିନ ସାଇରାମ ତାଙ୍କ ଘରକୁ ଖେଳିବାକୁ ଯାଇଥିଲା। ଖେଳୁଥିବା ବେଳେ ସେ ସାଇରାମ ବେକରେ ଓଢ଼ଣୀ ଗୁଡ଼ାଇଥିଲେ। କିନ୍ତୁ ତା’ ପରେ କ’ଣ ହେଲା ସେ କିଛି ଜାଣିନାହାନ୍ତି। କିଛି ସମୟ ପରେ ସେ ନିଜକୁ ହସ୍ପିଟାଲରେ ଦେଖିବାକୁ ପାଇଥିଲେ। ସାଇରାମ ବେକରେ ତନୁଶ୍ରୀ ଲୁଗା ଗୁଡ଼ାଇବା ହତ୍ୟାକାଣ୍ଡ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେମିତି, କେଉଁ ପରିସ୍ଥିତିରେ ସାଇରାମକୁ ମା’ ହତ୍ୟା କଲା, ସେ ସମ୍ପର୍କରେ ପୂରା ଘଟଣା ବଖାଣିଥିବା ତନୁଶ୍ରୀଙ୍କ ଝିଅଙ୍କ ବୟାନକୁ ମେଳ କରିବା ପାଇଁ ପୁଲିସ କିଛି ପ୍ରଶ୍ନ ପଚାରିଥିଲା। ଏହି ହତ୍ୟା ମାମଲାରେ ପୁଲିସ ପାଖରେ ଯଥେଷ୍ଟ ପାରିପାର୍ଶ୍ବିକ ପ୍ରମାଣ, ହତ୍ୟାରେ ବ୍ୟବହୃତ ଓଢ଼ଣୀ ଓ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ରହିଛନ୍ତି। ଯାହା ଜଣେ ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ବୋଲି ଜଣେ ଅଧିକାରୀ କହିଛନ୍ତି।

‘ପାରିପାର୍ଶ୍ବିକ ପ୍ରମାଣ ଦୋଷୀ ସାବ୍ୟସ୍ତ କରାଇବ’
ଅଭିଯୁକ୍ତ ତନୁଶ୍ରୀଙ୍କ ବିରୋଧରେ ଅନେକ ତଥ୍ୟ ପ୍ରମାଣ ଯୋଗାଡ଼ କରି ସାରିଛି ପୁଲିସ। ଯେପରି ସାଇରାମକୁ ଡାକି ନିଜ ଘରକୁ ନେବା, ପରିବାରଲୋକ ଓ ପଡ଼ୋଶୀଙ୍କ ବୟାନ, ସାଇରାମର ମୃତଦେହ ବାହାରିବା ସମୟର ସିସିଟିଭି ଫୁଟେଜ୍, ହତ୍ୟାରେ ବ୍ୟବହୃତ ଜବତ ଲୁଗା, ଘର ଭିତ‌ରେ ରକ୍ତଛିଟା, ସାଇରାମର ବେକ ଓ ଶରୀରରେ ତନୁଶ୍ରୀଙ୍କ ଅଙ୍ଗୁଳି ଛାପ ଭଳି ଅନେକ ପାରିପାର୍ଶ୍ବିକ ପ୍ରମାଣ ପୁଲିସ୍‌ ପାଖରେ ରହିଛି। ଏହାସହ ହତ୍ୟା ସମ୍ପର୍କରେ ତନୁଶ୍ରୀଙ୍କ ୫ ବର୍ଷୀୟା ଝିଅର ସିଆରପିସି-୧୬୧ ଅନୁସାରେ ପୁଲିସ ଓ ସିଆରପିସି ଧାରା-୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଥିବା ବୟାନ ଆଉ ଏକ ବଡ଼ ପ୍ରମାଣ ବୋଲି କହିଛନ୍ତି ଆଇନଜୀବୀ ସିଦ୍ଧାର୍ଥ ଦାସ। ଆଉ ଏକ ପ୍ରମାଣ ହେଉଛି ‘ଲାଷ୍ଟ ସିନ୍ ଥିଓରି’। ସାଇରାମଙ୍କୁ ଅଭିଯୁକ୍ତ ତନୁଶ୍ରୀଙ୍କ ସହ ଘରକୁ ଯିବା ସମୟରେ ପରିବାରଲୋକ ଓ ପଡ଼ୋଶୀ ଦେଖିଛନ୍ତି। ଏହା ପରେ ତନୁଶ୍ରୀଙ୍କ ଘରୁ ମୃତଦେହ ମିଳିଥିଲା। ତନୁଶ୍ରୀ ହିଁ ହତ୍ୟାକାରୀ ବୋଲି ‘ଲାଷ୍ଟ ସିନ୍ ଥିଓରି’ ଆଉ ଏକ ପ୍ରମାଣ। ଏସବୁ ତଥ୍ୟ ପ୍ରମାଣ, ସାକ୍ଷ୍ୟ ଓ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଭିଯୁକ୍ତ ତନୁଶ୍ରୀକୁ ଦୋଷୀ ସାବ୍ୟସ୍ତ କରାଇବାରେ ଯଥେଷ୍ଟ ସହାୟକ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

କେବେ ଡିସ୍‌ଚାର୍ଜ ହେବେ?
ହତ୍ୟାକାଣ୍ଡ ପରଠାରୁ ଏମ୍‌ସରେ ଭର୍ତ୍ତି ହୋଇଥିବା ତନୁଶ୍ରୀ ପ୍ରାୟ ୧୫ଦିନ ହେଲା ଚିକିତ୍ସିତ ହେଉଛନ୍ତି। ହତ୍ୟାକାଣ୍ଡ ପୂର୍ବରୁ ସବୁ ଠିକଠାକ୍ ଥିବା ବେଳେ ହଠାତ୍ କେମିତି ଏତେ ଅସୁସ୍ଥ ହୋଇ ପଡ଼ିଲେ ବୋଲି ସାଇରାମର ପରିବାରଲୋକ ପ୍ରଶ୍ନ ଉଠାଇଛନ୍ତି। ତନୁଶ୍ରୀ କେବେ ଡିସଚାର୍ଜ ହେବେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାରଲୋକ। ଅପରପକ୍ଷେ ତଦନ୍ତକୁ ଗତିଶୀଳ କରାଇବା ପାଇଁ ମଧ୍ୟ ପୁଲିସ ତନୁଶ୍ରୀଙ୍କ ଡିସଚାର୍ଜକୁ ଅପେକ୍ଷା କରିଛି। ଡିସ୍‌ଚାର୍ଜ ହେଲେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର