ପ୍ରକୃତ ହିତାଧିକାରୀ ବାଦ୍‌, ବାହାରୁ ପଶିଲେ ୫୬

ରାଜୀବ ଆବାସ ଯୋଜନାରେ ଜାଲିଆତି ଅଭିଯୋଗ

ଭୁବନେଶ୍ୱର :ବସ୍ତିରେ ନ ରହିଲେ ବି ରାଜୀବ ଆବାସ ଯୋଜନାରେ କେମିତି ଘର ମିଳେ ତାହା କରି ଦେଖାଇଛି ବିଏମ୍‌ସି। ଏଥିପାଇଁ କେବଳ ସର୍ଭେ କରୁଥିବା ଟିମ୍‌, ଦାୟିତ୍ୱରେ ଥିବା ଅଧିକାରୀ ଏବଂ ବିଏମ୍‌ସି ମୁଖିଆଙ୍କ ମନ କଥା ବୁଝିବାକୁ ପଡ଼ୁଛି। ଲୋକ ଯେଉଁ ବସ୍ତି ବାସିନ୍ଦାଙ୍କୁ ଘର ପ୍ରଦାନ କରାଯାଉଛି ସେଠାରେ ନିୟମ ଅନୁଯାୟୀ ବାସ କରିଥାନ୍ତୁ କି ନଥାନ୍ତୁ, ଭୁବନେଶ୍ୱର ବାହାରେ କେଉଁଠି ରହିଲେ ବି କିଛି ଫରକ ପଡ଼ୁନି। ଅନିୟମିତତା କରିବା ପାଇଁ ଚୂଡ଼ାନ୍ତ ତାଲିକାକୁ ରାତାରାତି ବଦଳାଇ ଘର ଆବଣ୍ଟନ କରାଯାଉଛି। ଆଉ ଯିଏ ପ୍ରକୃତ ହିତାଧିକାରୀ ତାଙ୍କୁ ଟ୍ରାନଜିଟ୍‌ ଘରକୁ ପଠାଇ ଦିଆଯାଉଛି।

ଏହାର ସଦ୍ୟ ଉଦାହରଣ ଓ୍ଵାର୍ଡ ନଂ-୯ ଅଧୀନରେ ଥିବା ଡମଣା ଅରବିନ୍ଦ ନଗର ଓ ତାରିଣୀ ବସ୍ତିର ବାସିନ୍ଦାଙ୍କୁ ଗାଡ଼କଣ ମୌଜାରେ କାଞ୍ଚନଜଙ୍ଗା ଆପାର୍ଟମେଣ୍ଟ ନିକଟରେ ଆବଣ୍ଟନ ହୋଇଥିବା ରାଜୀବ ଆବାସ ଘର। ଏଠାରେ ବିଏମ୍‌ସି କର୍ତ୍ତୃପକ୍ଷ ସବୁ ନିୟମକୁ ଜଳାଞ୍ଜଳି ଦେଇ ଚୂଡ଼ାନ୍ତ ତାଲିକାକୁ ବଦଳାଇ ଦେଇଥିବା ଦୁଇ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି। ଏପରିକି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଇଙ୍ଗିତରେ ଏହି ତାଲିକା ଅଦଳବଦଳ ହୋଇଥିବା କେତେକ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅରବିନ୍ଦ ନଗର ବସ୍ତି ତାଲିକାରେ ୪୫ଜଣଙ୍କୁ ଏବଂ ତାରିଣୀ ବସ୍ତି ତାଲିକାରେ ୧୧ଜଣଙ୍କ ନାମ ଯୋଡ଼ାଯାଇଛି। ଏହି ୫୬ଜଣଙ୍କ ନାମ ସର୍ଭେ ସମୟରେ ଏବଂ ଚୂଡ଼ାନ୍ତ ତାଲିକାରେ ନଥିବାବେଳେ କିପରି ପୁଣି ସାମିଲ୍‌ ହେଲା ବୋଲି ପଚାରିବାରୁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ଉତ୍ତର ଦେଉନାହାନ୍ତି। ବିଡ଼ମ୍ବନାର ବିଷୟ ହେଲା ୫୬ଜଣ ରାଜୀବ ଆବାସ ନିୟମ ଅନୁଯାୟୀ ଯୋଗ୍ୟ ହେଉନଥିବାବେଳେ ଉପରୋକ୍ତ ଦୁଇଟି ବସ୍ତିର ବାସିନ୍ଦା ବି ନୁହଁନ୍ତି। ଅଭିଯୋଗ ଅନୁଯାୟୀ, ଘନଶ୍ୟାମ ସାହୁ, ପ୍ରଦୀପ କୁମାର ପରିଡ଼ା, ବିଜୟ କୁମାର ଦାସ, ମେଘନାଦ ବେହେରା, ବିଜେନ୍ଦ୍ର ସାହୁ, ସଞ୍ଜୟ କୁମାର ସାହୁ, ରମେଶ ଚନ୍ଦ୍ର ମଲ୍ଲିକ, ସତ୍ୟାଭାମା ବେଓ୍ଵା, ହେମନ୍ତ କୁମାର ମାଇତି, ଅଶୋକ କୁମାର ମାଇତି, ଗଣେଶ ନାଥ ପ୍ରମୁଖ ୧୧ଜଣ ତାରିଣୀ ବସ୍ତିର ବାସିନ୍ଦା ହୋଇନଥିବାବେଳେ ସେମାନଙ୍କୁ କିପରି ଘର ମିଳିଲା।

ଏନେଇ ବିଏମ୍‌ସିର ଉତ୍ତର ଜୋନ୍‌ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ରାଜୀବ ଆବାସ ଯୋଜନାରେ ଘର ଆବଣ୍ଟନ ନିୟମ ଅନୁଯାୟୀ ହେଉଛି। ସର୍ଭେ ବେଳେ ଯଦି କିଛି ଏପଟସେପଟ ହୋଇଥିବ ସେନେଇ ଅଭିଯୋଗ ଆସିଲେ ଯାଞ୍ଚ ହେବ।

ଜାଲ୍‌ ହିତାଧିକାରୀ ସାମିଲ୍‌ ହେବା ପଛରେ ବିଏମ୍‌ସି ମେୟରଙ୍କ ସଂପୃକ୍ତି ଥିବା ଅଭିଯୋଗ ଉଠୁଥିବାବେଳେ ଏନେଇ ମେୟର ଅନନ୍ତ ନାରାୟଣ ଜୋନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହି ଅଭିଯୋଗ ମିଛ। କୌଣସି ସ୍ଥିତିରେ ବି ଜାଲ୍‌ ହିତାଧିକାରୀଙ୍କୁ ଘର ମିଳିନି।

ସୂଚନାଯୋଗ୍ୟ ଯେ, ବିଏମ୍‌ସିର ଓ୍ଵାର୍ଡ ନଂ-୯ ଅଧୀନରେ ଥିବା ଡମଣା ଅରବିନ୍ଦ ନଗର ଓ ତାରିଣୀ ବସ୍ତିରେ ବାସ କରୁଥିବା ପରିବାରଗୁଡ଼ିକୁ ରାଜୀବ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଉଛି। ଏହି ଯୋଜନା ଅନ୍ତର୍ଗତ ତାରିଣୀ ବସ୍ତିର ୧୪୦ ପରିବାର ଓ ଅରବିନ୍ଦନଗର ବସ୍ତିର ୩୯୧ ପରିବାର ବାସ କରୁଥିବା ସର୍ଭେ ସମୟରେ ଜଣାପଡ଼ିଥିଲା। ଏହି ଦୁଇ ବସ୍ତି ମଧ୍ୟରୁ ଅରବିନ୍ଦ ନଗରର ୧୪୪ ପରିବାର ଓ ତାରିଣୀ ବସ୍ତିର ୪୪ ପରିବାରକୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ଗାଡ଼କଣ ମୌଜାରେ ଥିବା କାଞ୍ଚନଜଙ୍ଗା ଆପାର୍ଟମେଣ୍ଟ୍‌ ପଛପଟେ ନିର୍ମାଣ କରାଯାଇଥିବା କୋଠାକୁ ଏହି ପରିବାରଗୁଡ଼ିକୁ ଯିବା ପାଇଁ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ବସ୍ତିରୁ ବାଦ୍‌ ପଡ଼ିଥିବା ୨୪୩ ପରିବାରକୁ କନ୍ୟାଶ୍ରମସ୍ଥିତ ଟ୍ରାନ୍‌ଜିଟ୍‌ ହାଉସ୍‌କୁ ଯିବା ପାଇଁ କୁହାଯାଇଛି। ଏହି ବସ୍ତିବାସିନ୍ଦାମାନେ ଅଭିଯୋଗ ଆଣିଛନ୍ତି ଯେ, ଆମକୁ ପୂର୍ବରୁ ରାଜୀବ ଆବାସରେ ଘର ମିଳିବ ବୋଲି କହିଥିଲେ। କିନ୍ତୁ ୫୬ଜଣ ଜାଲ୍‌ ହିତାଧିକାରୀଙ୍କୁ ସାମିଲ୍‌ କରିବା ପରେ ଆମକୁ ବାଦ୍‌ ପକାଇ ଦେଇଛନ୍ତି। କହୁଛନ୍ତି ଏବେ ଟ୍ରାନଜିଟ୍‌ ଘରେ ରୁହ। ପରେ ଦେଖିବା। ଏହି ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଯେ, ପୂର୍ବରୁ ନାରାୟଣୀ ବସ୍ତିର ବହୁ ପରିବାର କନ୍ୟାଶ୍ରମ ନିକଟସ୍ଥ ଟ୍ରାନଜିଟ୍‌ ହାଉସ୍‌ରେ ୭ବର୍ଷ ହେଲା ବାସ କରୁଥିଲେ ହେଁ ସେମାନଙ୍କୁ କେଉଁଠି ବି ଘର ମିଳିନି। ତେଣୁ ଆମକୁ କିପରି ଘର ମିଳିବ ଆଶା କରି ବସ୍ତି ଛାଡ଼ିବୁ ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି।

ସମ୍ବନ୍ଧିତ ଖବର