ସଦ୍‌ଭାବନା ଦିବସରେ ପ୍ରତିଭା ପୁରସ୍କାର, ବିଶ୍ୱଭାତୃତ୍ୱ ଭାବ ପ୍ରତିଷ୍ଠାର ପ୍ରତୀକ ଥିଲେ ରାଜୀବ ଗାନ୍ଧି

ଭୁବନେଶ୍ୱର: ଓଡ଼ିଶା ରାଜୀବ ଗାନ୍ଧି ଛାତ୍ର ଫୋରମ ଓ ରାଜୀବ ଗାନ୍ଧି ଷ୍ଟଡି ସର୍କଲ ଆନୁକୁଲ୍ୟରେ ଜୟଦେବ ଭବନରେ ଭାରତରତ୍ନ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମ ବାର୍ଷିକୀ ଓ ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫୋରମର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଅଖିଳ ଭାରତ କଂଗ୍ରେସ କମିଟି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କିସ୍‌ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇ ରାଜୀବ ଗାନ୍ଧୀ ଶାନ୍ତି, ମୈତ୍ରୀ ଓ ବିଶ୍ୱଭାତୃତ୍ୱ ଭାବ ପ୍ରତିଷ୍ଠାର ପ୍ରତୀକ ଥିଲେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ କୁମାର ମନ୍ତ୍ରୀ, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ରୁଦ୍ର ରାଜୁ, କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା, ‘ପର୍ଯ୍ୟବେକ୍ଷକ’ ସଂପାଦକ ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଦେଶର ଅଖଣ୍ଡତା ପାଇଁ ରାଜୀବଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଛାତ୍ର ଫୋରମ ୨୦ବର୍ଷ ହେଲା ସଦ୍‌ଭାବନା ଦିବସରେ‌ ରାଜ୍ୟର ପ୍ରତିଭାମାନଙ୍କୁ ‘ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର’ ପ୍ରଦାନ କରୁଛି ବୋଲି ସଭାପତି ସତ୍ୟବ୍ରତ ନାୟକ ସୂଚନା ଦେଇଥିଲେ। ଏନ୍‌ସିସି, ସ୍କାଉଟ୍‌ ଆଣ୍ଡ ଗାଇଡ୍‌, ୟୁଥ୍‌ ରେଡ୍‌କ୍ରସ୍‌, ବିଜ୍ଞାନ, ସାହିତ୍ୟ, ସଂଗୀତ, ଓଡ଼ିଶୀ, ଚିତ୍ରକଳା, କ୍ରୀଡ଼ା, ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୭୩ଜଣ ଯୁବଛାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୧୦ଜଣ ଶିକ୍ଷକ ଓ ଅଧ୍ୟାପକଙ୍କୁ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର, ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ଟିମ ଲିଡର, ୟୁଥ୍‌ ରେଡ୍‌କ୍ରସ୍‌ କାଉନସିଲର ଭାବେ ସୁନାମ ଅର୍ଜନ କରିଥିବାରୁ ସେମାନଙ୍କୁ ରାଜୀବ ଗାନ୍ଧି ଶିକ୍ଷା ସମ୍ମାନ -୨୦୧୯ରେ ସମ୍ମାନିତ କରାଯାଇଥିଲା। ପ୍ରିୟବ୍ରତ ନାୟକ, କମଳାକାନ୍ତ, ଭାଗ୍ୟଶ୍ରୀ, ସାଗର ପରିଡ଼ା, ଅନିଲ ଛୁଆଳସିଂହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଫୋରମର ସଧାରଣ ସଂପାଦକ ପଦ୍ମାକର ଗୁରୁ ଧନ୍ୟବାଦ ଅର୍ପଣ କରିଥଲେ।

ସମ୍ବନ୍ଧିତ ଖବର