୧୦ ପ୍ରତିଭାଙ୍କୁ ରାଜୀବ ଗାନ୍ଧି ସଦ୍‌ଭାବନା ସମ୍ମାନ

ରାଜୀବ ଗାନ୍ଧିଙ୍କ ୭୫ ତମ ଜୟନ୍ତୀ

ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବିକାଶଶୀଳ ଦେଶ ତଥା ସ୍ବତନ୍ତ୍ର ରାଷ୍ଟରେ ପରିଣତ କରିବା ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧି ସ୍ବପ୍ନ ଦେଖିଥିଲେ। ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ଆଦର୍ଶକୁ ପାଥେୟ କରି ଆଗକୁ ବଢ଼ିବାକୁ ପଡ଼ିବ। ଆଜି ରାଜୀବ ଗାନ୍ଧୀ ଫୋରମ ପକ୍ଷରୁ ଇଡ୍‌କଲ୍‌ ଅଡିଟୋରିୟମ ଠାରେ ଅନୁଷ୍ଠିତ ରାଜୀବ ଗାନ୍ଧିଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଅତିଥିମାନେ ଏଭଳି ମତ ପୋଷଣ କରିଥିଲେ।

ଏହି ଅବସରରେ ‘ରାଜୀବ ଗାନ୍ଧି ସଦ୍‌ଭାବନା ଦିବସ-୨୦୧୯’ ଅନୁଷ୍ଠିତ ହୋଇଯାଇଛି। ଫୋରମର୍‌ ଅଧ୍ୟକ୍ଷ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର ସୂର୍ଯ୍ୟ ମିଶ୍ର, ବରିଷ୍ଠ ସାମ୍ବାଦିକ ରବି ଦାସ, କାର୍ଯ୍ୟକାରୀ ସଭାପତି ସୁରେଶ ରାଉତରାୟ ଏବଂ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି ଯୋଗଦେଇ ରାଜୀବ ଗାନ୍ଧିଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ୧୦ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ‘ରାଜୀବ ଗାନ୍ଧି ସଦ୍‌ଭାବନା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୩୨ ଜଣ କୃତୀ ଶିଶୁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମନୋରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ରଜନୀକାନ୍ତ ସାମନ୍ତରାୟ, ରଶ୍ମିତା ମହାପାତ୍ର, ଦୀପକ ସାହୁ, ରଜନୀକାନ୍ତ ମହାନ୍ତି, ଦୀପକ ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ(ଜୁନିୟର), ବିଶ୍ବଜିତ ଦାସ, ପଦ୍ମାକର ଗୁରୁ, ସୂର୍ଯ୍ୟ ନାରାୟଣ ପଣ୍ଡା, ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର