ରାଜୀବନଗରରେ ଶିଶୁପୁତ୍ର ହତ୍ୟା ମାମଲା : ଆଇସିୟୁରୁ ଓ୍ୱାର୍ଡକୁ ଆସିଲେ ତନୁଶ୍ରୀ

ଭୁବନେଶ୍ବର : ଖଣ୍ଡଗିରି ରାଜୀବନଗରରେ ୫ ବର୍ଷର ଶିଶୁପୁତ୍ର ସାଇରାମକୁ କାହିଁକି ହତ୍ୟା କଲେ ପଡ଼ୋଶୀ ମହିଳା ତନୁଶ୍ରୀ ପରମାଣିକ? ହତ୍ୟା ପଛର କାରଣ କ’ଣ? ଏମିତି କ’ଣ ଘଟିଲା ଯାହା ଫଳରେ ନିଷ୍ପାପ ଶିଶୁକୁ ହତ୍ୟା କଲେ ତନୁଶ୍ରୀ? ଯୋଜନାବଦ୍ଧ ନା ଆକସ୍ମିକ? ଯେଉଁଠି ସାଇରାମ ହତ୍ୟାର ଶିକାର ହେଲେ ସେହି ଘର ଭିତରେ କ’ଣ ଘଟିଲା? ଏଭଳି ଏକାଧିକ ଅସମାହିତ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛି ପୁଲିସ। ତନୁଶ୍ରୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଜେରା କରି ଏ ସବୁ ପ୍ରଶ୍ନର ଉତ୍ତର ପୁଲିସ କାଢିବ। ସାଇରାମ ହତ୍ୟା ଘଟଣାକୁ ୬ ଦିନ ବିତି ଯାଇଥିବା ବେଳେ ତନୁଶ୍ରୀ କେବେ ଡିସଚାର୍ଜ ହେବେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

ଆଇସିୟୁରେ ଚିକିତ୍ସିତ ହେଉଥିବା ତନୁଶ୍ରୀ ଆଜି ମାନସିକ ରୋଗ ଵାର୍ଡକୁ ଆସିଛନ୍ତି। ପୁଲିସ ତାଙ୍କୁ ଜେରା କରିବା ପାଇଁ ଚାହିଁଥିଲେ ବି ଡାକ୍ତରଙ୍କ ଅନୁମତି ମିଳି ପାରି ନାହିଁ। ଡିସଚାର୍ଜ ହେଲା ପରେ ଜେରା କରିବା ଲାଗି ପୁଲିସକୁ ଅନୁମତି ମିଳିବ ବୋଲି କହିଛନ୍ତି ଡାକ୍ତର। ଏମ୍ସରେ ଚିକିତ୍ସାଧୀନ ତନୁଶ୍ରୀଙ୍କୁ ୨୪ ଘଣ୍ଟିଆ ପୁଲିସ ପହରା ଦେଉଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ଡିସଚାର୍ଜ ହେବେ ବୋଲି ଅନୁମାନ କରୁଛି ପୁଲିସ। ସାଇରାମକୁ ତନୁଶ୍ରୀ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଏହା ପଛର କାରଣକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ସୂଚନାଯୋଗ୍ୟ, ଗତ ୪ ତାରିଖରେ ସାଇରାମ ତନୁଶ୍ରୀଙ୍କ ଘରକୁ ଖେଳିବାକୁ ଯାଇଥିଲେ। ମଧ୍ୟାହ୍ନରେ ସାଇରାମକୁ ହତ୍ୟା କରା ଯାଇଥିବା ନେଇ ତାର ବଡ଼ ଭାଇ ଦେଖିଥିଲା।

ସମ୍ବନ୍ଧିତ ଖବର